ଜଗତ୍ସିଂହପୁର: ପୁଣି ଜଗତସିଂହପୁର ଜିଲ୍ଲାରେ ଲଜ୍ୟା। ଗତକାଲି ସନ୍ଧ୍ୟାରେ ରଘୁନାଥପୁର ଥାନା ଅଞ୍ଚଳର ଏକ ମହିଳା ଛେଳି ଚରାଇ ଫେରୁଥିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ଏକ ବଣ ଭିତରେ ଦୁଷ୍କର୍ମ କରି ମାଡ ମାରି ଗୁରୁତର କରିଥିବା ରଘୁନାଥପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି ରଖିଛି। ଖବର ଅନୁଯାୟୀ, ଗତକାଲି ରଘୁନାଥପୁର ଥାନା ଅଞ୍ଚଳର ଜଣେ ମହିଳା ଛେଳି ଚରାଇବା ପାଇଁ ବିଲକୁ ଯାଇଥିଲା। ହେଲେ ସେଠାରେ ମହିଳାଙ୍କୁ ଏକାକି ଥିବା ଦେଖି ଜଣେ ଦୁର୍ବୃତ୍ତ ମହିଳାଙ୍କୁ ଟେକି ନେଇ ନିକଟସ୍ଥ ବୁଦା ଆଢୁଆଳରେ ଦୁଷ୍କର୍ମ କରିବା ସହିତ ଘଟଣା ସମ୍ପର୍କରେ କାହାକୁ ନକହିବା ପାଇଁ କହି ନିସ୍ତୁକ ମାଡ ମାରି ଗୁରୁତର କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଅଞ୍ଚଳବାସୀ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରୁ ପିଡିତାଙ୍କୁ ରଘୁନାଥପୁର ଥାନାକୁ ନେଇ ଯାଇଥିଲେ। ସେଠାରେ ପୁଲିସ ପ୍ରଥମେ ପୀଡ଼ିତାଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିିର୍ କରିଥିଲେ। ସୁସ୍ଥ ହେବା ପରେ ପୀଡ଼ିତା ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ସହିତ ପୁଲିସ ବୟାନ ରେକର୍ଡ କରିଥିଲା। ପରେ ପୁଲିସ ପୀଡିତାଙ୍କୁ ଏକାକି ରାତିରେ ଛାଡି ଦେଇଥିଲେ। ପୀଡ଼ିତା ଜଣଙ୍କ ଥାନା ଠାରୁ ୬ ରୁ ୮କିମି ଦୂରରେ ଥିବା ନିଜ ଘରକୁ ଏକାକି ଚାଲି ଚାଲି ଯିବା ସମୟରେ ଅଧ ରାସ୍ତାରେ ସାମର୍ଥ୍ୟ ହରାଇ ବେହୋସ ହୋଇଯାଇଥିଲା। ପୁନର୍ବାର ସ୍ଥାନୀୟ ଅଞ୍ଚଳବାସୀ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିର୍ କରି ଚିକିତ୍ସା କରାଯାଉଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ଅସଫଳ। ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ପୁଲିସ କିପରି ପୀଡ଼ିତାଙ୍କୁ ଏକାକୀ ଘରକୁ ଯିବା ପାଇଁ ଅନୁମତି ଦେଲା ତାହା ତଦନ୍ତ ସାପେକ୍ଷ।










