25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକର୍ଣ୍ଣାଟକ ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲା: ପ୍ରଜ୍ଜ୍ୱଳଙ୍କୁ ଆଜୀବନ କାରାଦଣ୍ଡ

କର୍ଣ୍ଣାଟକ ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲା: ପ୍ରଜ୍ଜ୍ୱଳଙ୍କୁ ଆଜୀବନ କାରାଦଣ୍ଡ

ବେଙ୍ଗାଲୁରୁ: ନିଜ ଘରେ କାମ କରୁଥିବା ଜଣେ ୪୭ ବର୍ଷୀୟା ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଜ୍ୱଳ ରେବନ୍ନାଙ୍କୁ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଶନିବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ପ୍ରଜ୍ୱଳଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଅର୍ଥଦଣ୍ଡ (ଜୋରିମାନା) ଲାଗୁ କରିଛନ୍ତି। ଏଥିମଧ୍ୟରୁ ପୀଡ଼ିତାଙ୍କୁ ୭ଲକ୍ଷର କ୍ଷତିପୂରଣ ଦିଆଯିବ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି।
ଦିନକ ପୂର୍ବେ କୋର୍ଟ ପ୍ରଜ୍ୱଳଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ରାୟକୁ ସଂରକ୍ଷିତ ରଖିଥିଲେ। ତେବେ ଶନିବାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଜ୍ୱଳଙ୍କ ଉପସ୍ଥିତିରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରଜ୍ୱଳ ରେବନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ନାତି, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରାସ୍ୱାମୀଙ୍କ ପୁତୁରା। ଏଥିସହ ସହ ସେ ଜେଡିଏସ୍ ପକ୍ଷରୁ ହାସନ ସଂସଦୀୟ କ୍ଷେତ୍ରର ସାଂସଦ ମଧ୍ୟ ଥିଲେ। ତେବେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

ଦୁଷ୍କର୍ମ, ଯୌନ ନିର୍ଯାତନା, ଦୃଶ୍ୟମାନତା, ପ୍ରମାଣ ନଷ୍ଟ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଅନୁଯାୟୀ ଅପରାଧ ପାଇଁ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ବିଚାରପତି ଜଷ୍ଟିସ୍ ସନ୍ତୋଷ ଗଜାନନ ଭଟ୍ଟ ରେବନ୍ନାଙ୍କ ଗିରଫଦାରୀର ପ୍ରାୟ ୧୪ ମାସ ପରେ ଏବଂ ବିଚାର ଆରମ୍ଭ ହେବାର ୮ ସପ୍ତାହ ମଧ୍ୟରେ ରାୟ ଶୁଣାଇଛନ୍ତି। ଆଜି ଯେତେବେଳେ ବିଚାରପତି କାରାଦଣ୍ଡାଦେଶ ଦେଲେ ସେତେବେଳେ କୋର୍ଟରୁମ୍‌ରେ ଥିବା ପ୍ରଜ୍ୱଳ କାନ୍ଦି ପକାଇଥିଲେ ଏବଂ ଦଣ୍ଡାଦେଶ କମ୍ କରିବାକୁ ବିଚାରପତିଙ୍କୁ ଗୁହାରି କରିଥିଲେ। ନିଜ ନିର୍ବାଚନମଣ୍ଡଳୀରେ ରେବନ୍ନା ସମ୍ପୃକ୍ତ ଥିବା ଶହ ଶହ ଅଶ୍ଳୀଳ ଭିଡିଓ ଥିବା ପେନ୍‌ଡ୍ରାଇଭ୍ ପ୍ରସାରିତ ହେବା ପରେ ୨୦୨୪ରେ ସେ ଜର୍ମାନୀ ଚାଲିଯାଇଥିଲେ। ନିର୍ବାଚନ ପରେ ସେ ଭାରତ ଫେରିଆସିଥିଲେ ଏବଂ ମେ’ ୩୧ରେ ବେଙ୍ଗାଲୁରୁ ବିମାନବନ୍ଦରରେ ତାଙ୍କୁ ଗିରଫ କରାଯାଇଥିଲା। ୪୦ ଜଣିଆ ଏସ୍‌ଆଇଟି ଟିମ୍ ତାଙ୍କ ବିରୋଧରେ ୧୮୦୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରିଛି। ୩୮ଥରର ଶୁଣାଣି ସମୟରେ ୨୬ଜଣ ସାକ୍ଷୀଙ୍କୁ ଜେରା କରାଯାଇଥିଲା ଏବଂ ୧୮୦ଟି ଡକ୍ୟୁମେଣ୍ଟ ଯାଞ୍ଚ୍ କରାଯାଇଥିଲା। ତିନି ତିନିଥର ସାଂସଦ ହୋଇଥିବା ରେଭନ୍ନା ସମାନ ତଦନ୍ତ ସହିତ ଜଡ଼ିତ ଅନ୍ୟ ତିନୋଟି ମାମଲାରେ ଏବେ ବି ବିଚାରର ସମ୍ମୁଖୀନ ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking