ଡାମାସକସ୍: ଇସ୍ରାଏଲ୍ ଏବେ ସିରିଆ ଉପରେ ଆକ୍ରମଣକୁ ଜୋରଦାର କରିଛି । ବିଶେଷକରି ସିରିଆର ସୈନ୍ୟମାନେ ପୁଣି ଥରେ ଦ୍ରୁଜ୍ ସଂପ୍ରଦାୟ ବହୁଳ ସହର ସୁୱେଇଦାକୁ ଦଖଲ କରିବା ପରେ ଇସ୍ରାଏଲ ମାତ୍ରାଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛି । ତେବେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଭୟଭୀତ ହୋଇପଡିଥିବା ସିରିଆ ରାଷ୍ଟ୍ରପତି ଅହମଦ ଅଲ୍ ଶାରା ଏବଂ ପ୍ରତିରକ୍ଷା ମନ୍ତ୍ରୀ ମୁରହାଫ୍ ଅବୁ କସ୍ରା ନିଜ ନିଜ ପରିବାର ସହିତ ରାଜଧାନୀ ଡାମାସକସ୍ ଛାଡି ପଳାୟନ କରିଥିବା ସୂଚନା ମିଳିଛି । ସରକାରୀ ସୂତ୍ରକୁ ଉଦ୍ଧାର କରି ଅଲ ମାୟାଦିନ ଖବରକାଗଜ ଏପରି କିଛି ସମ୍ବାଦ ରିପୋର୍ଟ କରିଛି । ଅହମଦ୍ ଅଲ ଶାରା ଏବଂ ତାଙ୍କ ପରିବାର ତୁର୍କୀ ସୀମା ନିକଟସ୍ଥ ଇଦବିବ୍କୁ କିମ୍ବା ତୁର୍କୀ ଚାଲିଯାଇଥିବା କୁହାଯାଉଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ କସ୍ରା କିନ୍ତୁ କୁଆଡ଼େ ଯାଇଛନ୍ତି ସେସଂପର୍କରେ ଜଣାପଡ଼ିନାହିଁ । ପ୍ରକାଶ, ଅହମ୍ମଦ ଅଲ୍ ଶାରା ଇସ୍ରାଏଲର ଟାର୍ଗେଟରେ ଅଛନ୍ତି । ଇସ୍ରାଏଲ୍ ତାଙ୍କୁ ହତ୍ୟା କରିବାକୁ ଚାହୁଁଛି । ନିକଟରେ ଇସ୍ରାଏଲର ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ହମାସ କମାଣ୍ଡରମାନଙ୍କୁ ଯେପରି ହତ୍ୟା କରାଯାଇଥିଲା ସେହିପରି ଅଲ୍ ଶାରାଙ୍କୁ ମଧ୍ୟ ହତ୍ୟା କରାଯିବ । ପ୍ରକାଶ, ଜୁଲାଇ ୧୬ ତାରିଖରେ ଯେତେବେଳେ ଇସ୍ରାଏଲ ପକ୍ଷରୁ ଡାମାସକସ୍ ସ୍ଥିତସିରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା । ଏଥିରେ ୩ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ । ସେହିପରି ଗୋଟିଏ କ୍ଷେପଣାସ୍ତ୍ର ଅହମ୍ମଦ ଅଲ୍ ଶାରାଙ୍କ ଘର ନିକଟରେ ମଧ୍ୟ ମାଡ଼ କରିଥିଲା ଇସ୍ରାଏଲ । ତେବେ ଏହି ସମୟରେ ତୁର୍କୀ ସିରିଆ ରାଷ୍ଟ୍ରପତି ଅଲ୍ ଶାରାଙ୍କୁ ତୁରନ୍ତ ରାଷ୍ଟ୍ରପତି ଭବନ ଛାଡିବାକୁ ପରାମର୍ଶ ଦେଇଥିଲା ।










