16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଇସ୍ରାଏଲର ସିରିଆ ଉପରେ ଏୟାରଷ୍ଟ୍ରାଇକ୍‌

ଇସ୍ରାଏଲର ସିରିଆ ଉପରେ ଏୟାରଷ୍ଟ୍ରାଇକ୍‌

ଡାମାସ୍‌କସ୍‌: ଇସ୍ରାଏଲ ସେନା ସିରିଆର ରାଜଧାନୀ ଡାମାସକସ୍‌ରେ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରପତି ଭବନ ନିକଟରେ ଏୟାରଷ୍ଟ୍ରାଇକ୍ କରିଛି । ଏଥିରେ ଅତିକମ୍‌ରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ଜଣ ଆହତ ହୋଇଥିବା ଜଣାପଡିଛି । ସେହିପରି ସିରିଆ ସାମରିକ ମୁଖ୍ୟାଳୟର ପ୍ରବେଶ ପଥରେ ମଧ୍ୟ ଇସ୍ରାଏଲ୍ ସେନା ଆକ୍ରମଣ କରିଛି । ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ କହିଛନ୍ତି, ସୁୱେଇଦାରୁ ନିଜ ସେନାକୁ ପ୍ରତ୍ୟାହାର କରିବା ପାଇଁ ସିରିଆକୁ ଏକ ଧାର୍ଯ୍ୟ ସମୟ ଦିଆଯାଇଥିଲା । କିନ୍ତୁ ସିରିଆ ଏଦିଗରେ କୌଣସି ତତ୍ପରତା ଦେଖାଇନାହିଁ । ଅନ୍ୟପକ୍ଷେ “ଡାମାସକସକୁ ଦିଆଯାଇଥିବା ଚେତାବନୀ ମଧ୍ୟ ଶେଷ ହୋଇଛି । ଏବେ କେବଳ କଠୋର ଜବାବୀ କାର୍ଯ୍ୟାନୁଷ୍ଠାନ ହେବ । ସୁୱେଇଦାରୁ ସିରିଆ ନିଜ ସେନାକୁ ପ୍ରତ୍ୟାହାର ନକଲେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ସିରିଆର ଦକ୍ଷିଣାଞ୍ଚଳ ସୁୱେଇଦାରେ ଶକ୍ତିଶାଳୀ ଭାବେ କାର୍ଯ୍ୟ ଜାରି ରଖିବ । ସେ ଏହି ଅବସରରେ ଇସ୍ରାଏଲରେ ରହୁଥିବା ଦ୍ରୁଜ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, “ଆଇଡିଏଫ୍ ସିରିଆରେ ରହୁଥିବା ଦ୍ରୁଜ ସମ୍ପ୍ରଦାୟଙ୍କୁ ସୁରକ୍ଷା ଦେବ । ସୁତରାଂ ଭୟଭୀତ ହେବାର କୌଣସି କାରଣ ନାହିଁ ।” ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ସେ ନିଜେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଏକ ପ୍ରତିଶ୍ରୁତି ଦେଇଛନ୍ତି, ଯାହାକୁ ସେମାନେ ପାଳନ କରିବେ ।”

ଦେଶର ଦକ୍ଷିଣ ଭାଗରୁ ସିରିଆର ସରକାରୀ ସେନା ପ୍ରତ୍ୟାହାର ନକଲେ ଇସ୍ରାଏଲ ଆକ୍ରମଣ ବୃଦ୍ଧି କରିବାକୁ ଧମକ ଦେବାର କିଛି ଘଣ୍ଟା ମଧ୍ୟରେ ଆଇଡିଏଫ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ତେବେ ଇସ୍ରାଏଲ୍ ସେନାର ଏହି ଆକ୍ରମଣ ମଧ୍ୟରୁ ଗୋଟେ ଦୁଇଟି ବୋମାମାଡ ଏକ ଟିଭି ଚ୍ୟାନେଲ୍ ବିଲ୍ଡିଂ ନିକଟରେ ମଧ୍ୟ ହୋଇଥିବା ଜଣାପଡିଛି । ଆକ୍ରମଣ ସମୟରେ ଜଣେ ଟିଭି ଆଙ୍କର ଲାଇଭ ପ୍ରସାରଣଜନିତ ନ୍ୟୁଜ୍ ପଢ଼ୁଥିବା ବେଳେ ବୋମା ମାଡ଼ ହେଉଥିବା ଏବଂ ସେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଉଥିବା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଇସ୍ରାଏଲର ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ କି ସୁୱେଇଦା ସହରରେ ସିରିଆ ସରକାରୀ ବାହିନୀ ଏବଂ ଦ୍ରୁଜ୍ ସମ୍ପ୍ରଦାୟର ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ଥିବା ଯୁଦ୍ଧ ବିରତି ନିଷ୍ଫଳ ହୋଇଛି ଏବଂ ଗତ ରବିବାର ଠାରୁ ଦୁଇ ପକ୍ଷ ମଧ୍ୟରେ ସଶସ୍ତ୍ର ସଂଘର୍ଷ ଆରମ୍ଭ ହୋଇଛି । ଏହା ଇସ୍ରାଏଲର ସିରିଆ ଉପରେ କ୍ରମାଗତ ତୃତୀୟ ଦିନର ଆକ୍ରମଣ । ପ୍ରକାଶ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମଙ୍ଗଳବାର ରାତିରେ ଏକ ବିବୃତିରେ କହିଛନ୍ତି ଯେ, ଇସ୍ରାଏଲ ସିରିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳକୁ ଏକ ନିରସ୍ତ୍ରୀକୃତ ଅଞ୍ଚଳ ଭାବେ ରଖିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ “ଦ୍ରୁଜ ସମ୍ପ୍ରଦାୟଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ୱ ।” ତେବେ ଇସ୍ରାଏଲ୍‌ର ଏହି ଆକ୍ରମଣକୁ ସିରିଆ ସରକାର “ସାର୍ବଭୌମତ୍ୱର ଉଲ୍ଲଂଘନ” ବୋଲି କହି ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking