30.1 C
Bhubaneswar
Tuesday, February 24, 2026
Homeଓଡିଶାପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଲାଗିଥିବା ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା କଲେ ମନ୍ତ୍ରୀ ଗୋକୁଳାନନ୍ଦ...

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଲାଗିଥିବା ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବଡ଼ ଆଙ୍କୁଲା ଗାଁରେ କୁକୁଡ଼ାମାନଙ୍କୁ ବାର୍ଡ ଫ୍ଲୁ ରୋଗ ଲାଗିଥିବା ଜାତୀୟ ଉଚ୍ଚ ସୁରକ୍ଷା ପ୍ରାଣିରୋଗ ପ୍ରତିଷ୍ଠାନ, ଭୋପାଳ ଜୁଲାଇ ୧୧ ତାରିଖ ଦିନ ନିଶ୍ଚିତ କରିଛି । ଖବର ପାଇବା କ୍ଷଣି ରାଜ୍ୟ ସରକାର ଏହି ରୋଗ କିପରି ଅନ୍ୟ ଅଞ୍ଚଳକୁ ବ୍ୟାପିବ ନାହିଁ ଓ ରୋଗର ନିରାକରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଅଞ୍ଚଳକୁ ଗସ୍ତ କରି ରୋଗ ଲାଗିଥିବା ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି । ଶ୍ରୀ ମଲ୍ଲିକ ରୋଗ ନିୟନ୍ତ୍ରଣ ବିଷୟରେ ସମୀକ୍ଷା କରି କ୍ଷେତ୍ର ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ରୋଗ ଲାଗିଥିବା ଅଞ୍ଚଳରେ କୁକୁଡ଼ା ମରା, ବିଶୋଧନ, ପରିଷ୍କାର ପରିଚ୍ଛନ୍ନତା ଓ ରୋଗ ନିୟନ୍ତ୍ରଣ ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ତରଫରୁ ୭ ଗୋଟି ରାପିଡ ରେସପନ୍ସ ଦଳ ଗଠନ କରାଯାଇଛି। ୧୨ ଜୁଲାଇ ୨୦୨୫ ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ରାପିଡ ରେସପନ୍ସ ଦଳ ଗୁଡିକୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ଏବଂ ବିଶେଷଜ୍ଞ ପ୍ରାଣିଚିକିତ୍ସକ ମାନେ ଏହାର ତଦାରଖ କରୁଛନ୍ତି ।

୧୨ ଓ ୧୩ ଜୁଲାଇ ଦୁଇ ଦିନ ଧରି ରୋଗ ଲାଗିଥିବା ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ୬,୭୫୬ କୁକୁଡ଼ାଙ୍କୁ ମାନବୀୟ ପଦ୍ଧତିରେ ମରାଯାଇଛି। ଏହି କାର୍ଯ୍ୟ ଅତି ଶୀଘ୍ର ସମାପନ କରାଯାଇ ଜୈବ ସୁରକ୍ଷା ନିୟମ ଅନୁଯାୟୀ ମରାଯାଇଥିବା କୁକୁଡାଙ୍କୁ ବୈଜ୍ଞାନିକ ପଦ୍ଧତିରେ ଗଭୀର ଗାତ ଖୋଳି ଚୂନ ଦେଇ ପୋତି ଦିଆଯାଇଛି । ଭାରତ ସରକାରଙ୍କ ତରଫରୁ ଜାରି ନିୟମାବଳୀ ଅନୁଯାୟୀ କୁକୁଡ଼ା ମରା ଯାଇଥିବା କୁକୁଡାପାଳକଙ୍କ ଜୀବିକା ଓ ରୋଜଗାର ନିଶ୍ଚିତ କରିବାକୁ ଦୁଇ ଦିନ ମଧ୍ୟରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ରୋଗ ଲାଗିଥିବା ସ୍ଥାନର ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଜୈବ-ସୁରକ୍ଷା ପଦକ୍ଷେପ କଡାକଡି ଗ୍ରହଣ କରାଯାଇଛି । ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ରୋକିବାକୁ କୁକୁଡ଼ା ଫାର୍ମ ଗୁଡିକରେ ଯାନବାହାନ ଯିବାଆସିବାକୁ ନିୟନ୍ତ୍ରଣ କରାଯାଇଛି ଓ ବିଶୋଧନ ପ୍ରକ୍ରିୟା ଜାରି ରହିଛି। କୁକୁଡ଼ାପାଳନ କ୍ଷେତ୍ରକୁ ଆବଶ୍ୟକୀୟ ଗୁରୁତ୍ବ ପ୍ରଦାନ, କୁକୁଡ଼ା ପାଳକଙ୍କ ସ୍ଵାର୍ଥ ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି ।ମନ୍ତ୍ରୀଙ୍କ ଗସ୍ତ ସମୟରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଏବଂ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପ୍ରାଣିସମ୍ପଦ ଅଧିକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking