-୧୬୩ କୋଟି ମୂଲ୍ୟର ୪୫ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
-ନୂତନ ବସ୍ ଟର୍ମିନାଲ୍ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ
-କୃଷି ବ୍ୟବସାୟ ଆଧାରିତ ଅର୍ଥନୀତି ହେବ ଦେବଗଡ଼
ଦେବଗଡ଼: ରାଜ୍ୟରେ ପ୍ରଥମ ଥର ପାଇଁ ହୋଇଥିବା ଡବଲ୍ ଇଞ୍ଜିନର ସରକାର ଗରିବଙ୍କ ମୁହଁରେ ହସ ଫୁଟାଉଛି। ସମସ୍ତ ସରକାରୀ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦିଗରେ ଆମ ସରକାର ନିରନ୍ତର ପ୍ରୟାସ କରୁଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶୁକ୍ରବାର ଦେବଗଡ଼ ଠାରେ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି।
ଶ୍ରୀ ପ୍ରଧାନ ଡବଲ ଇଞ୍ଜିନ ସରକାରର ୧୪ଟି ବିଭାଗର ପ୍ରାୟ ୧୬୩ କୋଟି ଟଙ୍କା ମୂଲ୍ୟର ୪୫ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ସହ କହିଛନ୍ତି ଯେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରାଯାଉଛି। ଓଡ଼ିଶାରେ ଯେଉଁ ସରକାର ହୋଇଛି ତାହା ଲୋକଙ୍କ ସରକାର, ଲୋକଙ୍କ ପାଇଁ ସରକାର ଏବଂ ଲୋକଙ୍କ ଦ୍ୱାରା ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତୋଦୟ ଯୋଜନାରେ ଗରିବଙ୍କୁ ଘର ମିଳୁଛି। ପୂର୍ବ ସରକାର ମୋଦୀଙ୍କ ଲୋକପ୍ରିୟତା ବଢ଼ିଯିବ ବୋଲି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦିଲ୍ଲୀ ପଠାଉନଥିଲେ। ଲୋକଙ୍କୁ ଦଳୀୟ ଆଧାରରେ ଘର ଦିଆଯାଉଥିଲା, ଫଳସ୍ୱରୂପ ଗରିବ ଲୋକମାନେ ଘର ପାଇବା ପାଇଁ ବଞ୍ଚିତ ହେଉଥିଲେ । ଆମ ସରକାରରେ ଦଳୀୟ ରାଜନୀତି ଶେଷ ହୋଇଛି। ଯୋଗ୍ୟ ଲୋକମାନଙ୍କୁ ଘର ପ୍ରଦାନ କରାଯାଉଛି। ଡବଲ ଇଞ୍ଜିନ ସରକାରରେ ଗରିବ ଲୋକ ନିଜର ଅଧିକାର ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହାଛଡ଼ା ସେ କହିଛନ୍ତି ଯେ ଦେବଗଡ଼ ଜିଲ୍ଲା ଏକ ଚଷା ଚାଷୀର ଅଞ୍ଚଳ। ପଶୁପାଳନ ସହ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଏଠାରେ ଅପାର ସମ୍ଭାବନା ରହିଛି। ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ସହଯୋଗରେ ଏହି ଜିଲ୍ଲାରେ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବା ସହ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ, ମତ୍ସ୍ୟଚାଷ, ଗୋପାଳନ ଓ ଦୁଗ୍ଧ ଚାଷ ସମେତ ଆନୁଷାଙ୍ଗିକ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବା ପାଇଁ ବିସ୍ତୁତ ଯୋଜନା ହେବ। ଦେବଗଡ଼ ଜିଲ୍ଲାକୁ ଏକ କୃଷି ବ୍ୟବସାୟ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଆମ ସରକାର ବଦ୍ଧ ପରିକର। ଦେବଗଡ଼ ଜିଲ୍ଲାକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ହେଉଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ଏହି ଅବସରରେ ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲାର ସବୁ ପଞ୍ଚାୟତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଥିବା ଯୋଜନାର ତାଲିକା, ଅନଲାଇନ୍ ଆବେଦନର ପ୍ରକ୍ରିୟା ଏବଂ ବିଭିନ୍ନ ଚାଷର ଯୋଜନା ଓ ସରକାରୀ ପ୍ରୋତ୍ସାହନର ତାଲିକା ମାରିବା ପାଇଁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଦେବଗଡ଼ରେ ନୂତନ ବସ ଟର୍ମିନାଲ ସହ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ୫ଟି ବର୍ଜ୍ୟବସ୍ତୁ ପରିଚାଳନା ଗାଡ଼ି ଓ ମଶା ଧୁଆଁ ଗାଡିର ଲୋକାର୍ପଣ କରିଥିଲେ।










