କୋଲକାତା: ଗତବର୍ଷ ଜଣେ ଟ୍ରେନି ଡାକ୍ତରାଣୀଙ୍କୁ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଲୋମଟାଙ୍କୁରା ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଥରେ କୋଲକାତାରେ ଆଉ ଜଣେ ଆଇନ୍ ପଢ଼ା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଜୁନ୍ ୨୫ ତାରିଖ ସନ୍ଧ୍ୟା ୭:୩୦ ରୁ ୮:୫୦ ମଧ୍ୟରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ସେ କିନ୍ତ ଗୁରୁବାର ରାତିରେ ଗଣଦୁଷ୍କର୍ମ ଘଟଣାର ଅଭିଯୋଗ ଦାଖଲ କରିଥିଲେ । ତେବେ ଏହି ଘଟଣାକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ବେଶ୍ ସରଗରମ୍ ହୋଇପଡ଼ିଛି । ବିରୋଧୀ ବିଜେପି, ଏହି ଘଟଣାକୁ ନେଇ ଶାସକ ଦଳ ଟିଏମ୍ସିକୁ ଭର୍ତ୍ସନା କରୁଥିବା ବେଳେ ଟିଏମ୍ସି ବିଜେପି ଉପରେ ଅଭିଯୁକ୍ତକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଥିବା ଭଳି ପାଲଟା ଅଭିଯୋଗ ଲଗାଇଛି । ତେବେ ଏହି ଘଟଣାରେ କସବା ପୁଲିସ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମନୋଜିତ ମିଶ୍ର (୩୧), ଜୈବ ଅହମ୍ମଦ (୧୯) ଏବଂ ପ୍ରମିତ ମୁଖାର୍ଜୀ (୨୦) । ୩ଜଣ ଅଭିଯୁକ୍ତ ମଧ୍ୟରେ ମନୋଜିତ୍ ମିଶ୍ର ଜଣେ ପୂର୍ବତନ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ନେତା ବୋଲି ଜଣାପଡିଛି ।
ପୀଡ଼ତା ଆଇନ ଛାତ୍ରୀ ନିଜ ସହିତ ଘଟିଥିବା ଏହି ଲୋମଟାଙ୍କୁରା ଘଟଣାକୁ ପୁଲିସ ନିକଟରେ ବଖାଇ କହିଛନ୍ତି, ‘ମନୋଜିତ ମିଶ୍ର, ଜୈବ ଅହମ୍ମଦ ଏବଂ ପ୍ରମିତ ମୁଖୋପାଧ୍ୟାୟ ତାଙ୍କୁ ଜୋରଜବରଦସ୍ତି କରି ଠେଲି ଦେଇ ହକିଷ୍ଟିକରେ ପଟିଥିଲେ । ପୀଡ଼ିତା ସେମାନଙ୍କ ଗୋଡ ଧରି ତାଙ୍କୁ ଛାଡିଦେବାକୁ ମଧ୍ୟ ଅନୁରୋଧ କରିଥିଲେ କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ଛାଡିନଥିଲେ । ଏପରିକି ପୀଡ଼ିତା ଯେଉଁ ଯୁବକଙ୍କ ସହ ରିଲେସନ୍ସିପ୍ରେ ଅଛନ୍ତି ତାଙ୍କୁ ହତ୍ୟା କରିଦେବେ, ତାଙ୍କ ବାପା ଓ ମା’ଙ୍କୁ ଜେଲ ପଠାଇ ଦେବାର ଧମକ ଦେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏପରିକି କଲେଜ ମୁଖ୍ୟ ଦ୍ୱାରକୁ ବନ୍ଦ କରି ଦେଇଥିଲେ । ଗାର୍ଡ ସବୁ ଜାଣିବି ପୀଡ଼ିତାଙ୍କୁ ସାହାଯ୍ୟ କରିନଥିଲେ । ପୁଲିସ୍ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।










