27.1 C
Bhubaneswar
Friday, December 19, 2025
Homeଓଡିଶାଡିଜିପିଙ୍କ କାର୍ଯ୍ୟାଳୟରେ ରେଳବାଇ ସୁରକ୍ଷା କମିଟିର ରାଜ୍ୟସ୍ତରୀୟ ବୈଠକ

ଡିଜିପିଙ୍କ କାର୍ଯ୍ୟାଳୟରେ ରେଳବାଇ ସୁରକ୍ଷା କମିଟିର ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ୱର : ଆଜି ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ରେଳବାଇ ସୁରକ୍ଷା କମିଟିର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ରେଳବାଇ ସମ୍ପର୍କିତ ବିଭିନ୍ନ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବିଭିନ୍ନ ସମୟରେ ଅପରାଧୀମାନେ ଟ୍ରେନ ଯୋଗେ ଗଞ୍ଜେଇ, ଅଫିମ ଭଳି ନିଶା ଦ୍ରବ୍ୟ ଚୋରା ଚାଲାଣ କରୁଛନ୍ତି। ଏ ଭଳି ନିଶା ଦ୍ରବ୍ୟ ବୋଝେଇ ଏବଂ ଓଲ୍ହା ଯାଉଥିବା ଷ୍ଟେସନକୁ ଚିହ୍ନଟ କରି ବିହିତ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏହା ସହ ରାଜ୍ୟର ଯେଉଁ ଷ୍ଟେସନ ଗୁଡିକରେ ସିସିଟିଭି ନାହିଁ, ସେଠାରେ ସିସିଟିଭି ଲଗା ଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହା ସହ ସିସିଟିଭି ଗୁଡିକର ସମୟ ଅବଧି ବୃଦ୍ଧି କରାଯିବା ଉପରେ ଡିଜିପି ଗୁରୁତ୍ୱ ଦେଇଥିଲେ।

ରାଜ୍ୟର ବିଭିନ୍ନ ମାଓ ପ୍ରଭାବିତ ଜିଲ୍ଲା ମଧ୍ୟ ଦେଇ ରେଳ ଲାଇନ ଯାଇଛି। ଭବିଷ୍ୟତରେ ମାଓବାଦୀ ମାନେ ଏହି ରେଳ ଲାଇନକୁ ମଧ୍ୟ ଟାର୍ଗେଟ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆରପିଏଫ ଓ ଜିଆରପି ଉପଯୁକ୍ତ ସମନ୍ୱୟ ରଖି ତ୍ୱରିତ ପଦକ୍ଷେପ ନେବାକୁ ସେ ନିର୍ଦେଶ ଦେଇଥିଲେ। ବିଭିନ୍ନ ସମୟରେ କିଛି ସ୍ଥାନରେ ଚଳନ୍ତା ଟ୍ରେନ ଉପରକୁ ଢେଲା ପଥର ଫିଙ୍ଗିବା ଭଳି ଘଟଣା ଦୃଷ୍ଟିଗୋଚର ହୋଇଥାଏ। ଏ ଭଳି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବୈଠକରେ ଆଲୋଚନା ହୋଇଥିଲା। ଏହା ସହ ଜିଆରପିର ପୋଲିସ ଅଧିକାରୀଙ୍କୁ ସାଇବର ଅପରାଧ ମୁକାବିଲା ସଂକ୍ରାନ୍ତରେ ସାଇବର ବିଶେଷଜ୍ଞ ମାନଙ୍କ ଦ୍ଵାରା ତାଲିମ ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହ ଚଳନ୍ତା ଟ୍ରେନ ଏବଂ ଷ୍ଟେସନ ଗୁଡିକରେ ପକେଟ ମାର, ଚୋରି, ଛିନତାଇ, ଲୁଟ କରୁଥିବା ଅଭ୍ୟାସ ଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଅପରାଧୀଙ୍କ ଫୋଟଗ୍ରାଫ ରେଳ ଷ୍ଟେସନ ଓ ରେଳବାଇ ଥାନା ସମ୍ମୁଖରେ ଲଗା ଯିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ସେମାନଙ୍କ ଫୋଟଗ୍ରାଫକୁ ଆରପିଏଫକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ଅପରାଧୀମାନଙ୍କ ଫୋଟୋ ସର୍ବସାଧାରଣ ସ୍ଥାନରେ ଲଗା ଯାଇ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରା ପାଇଁ ରେଳବାଇ ପକ୍ଷରୁ ପ୍ରତି ବର୍ଷ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଟ୍ରେନର ଆୟୋଜନ ସରକାର କରିଥାନ୍ତି। ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଟ୍ରେନ ପୁରୀ ଅଭିମୁଖେ ଯାତ୍ରା କରିବ। ସେଥିପାଇଁ ବିଭିନ୍ନ ରେଳ ଷ୍ଟେସନ ଗୁଡିକରେ ସୁରକ୍ଷା ଦୃଷ୍ଟିରୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।ଏହା ବ୍ୟତୀତ ବିଭିନ୍ନ ସମୟରେ ଟ୍ରେନ ମାଧ୍ୟମରେ ମାନବ ଚୋରା ଚାଲାଣ ରୋକିବାକୁ ରେଳବାଇ, ରେଳବାଇ ଥାନା, ରେଳ ସୁରକ୍ଷା ବଳ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ଏହି ବୈଠକ ରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ପୂର୍ବ ତଟ ରେଳବାଇ ଆଇଜି ଶ୍ରୀ ଆଲୋକ ଭୋରା, ଦକ୍ଷିଣ ପୂର୍ବ ରେଳବାଇ ଆଇଜି ଶ୍ରୀ ସଞ୍ଜୟ ମିଶ୍ର, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଆଇଜି ମୁନୱାର ଖୁର୍ଷିଦ, ଖୋର୍ଦ୍ଧା ଡିଭିଜନର ରେଳ ଉପ ପ୍ରବନ୍ଧକ ଶ୍ରୀ ପ୍ରଦୀପ ବେହେରା, ଶ୍ରୀ ଦିଲ୍ଲୀପ ରଞ୍ଜନ ପାଲ, କେନ୍ଦ୍ରୀୟ ଗୁଇନ୍ଦା ଉପ ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, କଟକ ରେଳବାଇ ଏସପି ବିବେକାନନ୍ଦ ଶର୍ମା, ରାଉରକେଲା ରେଳବାଇ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ବରିଷ୍ଠ ରେଳବାଇ ସୁରକ୍ଷା ଅଧିକ୍ଷକ ଶ୍ରୀ ମିଥୁନ ସୋନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ସେମାନଙ୍କ ମୂଲ୍ୟବାନ ମତାମତ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking