19.1 C
Bhubaneswar
Friday, December 19, 2025
Homeଓଡିଶାଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ନିର୍ମାଣର ସ୍ଥାୟିତ୍ୱ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ନିର୍ମାଣର ସ୍ଥାୟିତ୍ୱ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ବର୍ତ୍ତମାନ ଯୁଗ ହେଉଛି ଆଧୁନିକ ଜ୍ଞାନକୌଶଳର ଯୁଗ । ବିଭିନ୍ନ ଟେକ୍‌ନୋଲୋଜି ତଥା କୃତି୍ରମ ବୁଦ୍ଧିମତ୍ତାର ଉପଯୋଗ କରି ବହୁ ଆସାଧ୍ୟ କାର୍ଯ୍ୟକୁ କମ୍‌ ସମୟ ମଧ୍ୟରେ ସମ୍ଭବ କରିହେଉଛି । ରାଜ୍ୟ ସରକାର ସବୁବେଳେ ଉନ୍ନତ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଆଧୁନିକ ଜ୍ଞାନକୌଶଳ ଓ ସବୁ ପ୍ରକାର ଟେକ୍‌ନୋଲୋଜିର ବ୍ୟବହାର କରି ଉନ୍ନତ ତଥା ଉତ୍କୃଷ୍ଟ ଭିତ୍ତିଭୂମି ନିର୍ମାଣ କରିବାକୁ ପୂର୍ତ୍ତ, ଆଇନ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଇଣ୍ଡିଆନ୍‌ ବିଲ୍‌ଡିଂ କଂଗ୍ରେସ (ଆଇବିସି)ର କାର୍ଯ୍ୟକାରିଣି କମିଟି ବୈଠକ ଏବଂ ବୈଷୟିକ କର୍ମଶାଳା ଆଜି ଏଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏବଂ ଆଇବିସି ପକ୍ଷରୁ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ପରିଗଣିତ । ନିୟମିତ ଭାବେ ବନ୍ୟା, ବାତ୍ୟା ସହ ଅନେକ ସମୟରେ ଭୂମିକମ୍ପ ଘଟଣା ନଜରକୁ ଆସୁଛି ।

ଏହାକୁ ଦୃଷ୍ଟିରେ ରଖି ଆଗକୁ ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ଭିତ୍ତିଭୂମିଗୁଡ଼ିକ ବିପର୍ଯ୍ୟୟ ସହନଶୀଳ ହେବା ସହ ସମସ୍ତ ଆଧୁନିକ ବ୍ୟବସ୍ଥାରେ ପରିପୂର୍ଣ୍ଣ ହେବା ଆବଶ୍ୟକ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ପରିବେଶ ସହନଶୀଳ ନିର୍ମାଣକୁ ଗୁରୁତ୍ୱ ଦେବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବୈଠକରେ ଯୋଗ ଦେଇଥିବା ଇଂଜିନିୟରମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଅଣ୍ଡରଗ୍ରାଉଣ୍ଡ ମେଟ୍ରୋଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ପ୍ରକଳ୍ପ ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି । ତେଣୁ ଏହିସବୁ ପ୍ରକଳ୍ପକୁ ନିର୍ମାଣ ସମୟରେ ସବୁଠୁ ଉନ୍ନତ ଟେକ୍‌ନୋଲୋଜି ଏବଂ ବର୍ଜ୍ୟବସ୍ତୁ ବ୍ୟବହାର ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅନ୍ୟ ପକ୍ଷରେ ଇଂଜିନିୟରମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ନିୟମିତ ବ୍ୟବଧାନରେ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇବିସି ଓଡ଼ିଶା ଚାପ୍‌ଟରର ଅଧ୍ୟକ୍ଷ ଶ୍ରୀ ବିଜୟ ଚନ୍ଦ୍ର ତି୍ରପାଠୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଆଇବିିସି, ନୂଆଦିଲ୍ଲୀର ସଭାପତି ଇଂ. ସି. ଦେବନାଥ ଏବଂ ପ୍ରତିଷ୍ଠାନ ସଭାପତି ଇଂ. ଓ.ପି. ଗୋଏଲ୍‌ ଆଇବିସିର କାର୍ଯ୍ୟଧାରା ସହ ଇଂଜିନିୟରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ କର୍ମଶାଳା ଆୟୋଜନ ଏବଂ ପରସ୍ପର ମଧ୍ୟରେ ଅଭିଜ୍ଞତା ବଣ୍ଟନ, ନୂଆ ଟେକ୍‌ନୋଲୋଜିର ବ୍ୟବହାର ଉପରେ ନିଜର ମତ ରଖିଥିଲେ । ଏହି ଅବସରରେ ଇଂ. ଏମ୍‌ ମୁରୁଗେସନ୍‌ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପ୍ରକଳ୍ପ ନିର୍ମାଣରେ ଆହ୍ୱାନ ଏବଂ ବିକଳ୍ପ ଡିଜାଇନ୍‌ର ଉପଯୋଗ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚିତ ହେବା ସହ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଆଇବିସିର ସମ୍ପାଦକ ଶ୍ରୀ ଭି. ଆର୍‌. ବଂଶଲ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking