26.1 C
Bhubaneswar
Friday, July 4, 2025
Homeଦେଶ ବିଦେଶମଣିପୁର ରାଜଭବନ ନିକଟରେ ବ୍ୟାପକ ହିଂସା; ବିକ୍ଷୋଭ ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ

ମଣିପୁର ରାଜଭବନ ନିକଟରେ ବ୍ୟାପକ ହିଂସା; ବିକ୍ଷୋଭ ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ

ଇମ୍ଫାଲ: ମଣିପୁର ପୁଣିଥରେ ଅଶାନ୍ତ ହୋଇପଡିଛି । ରାଜଧାନୀ ଇମ୍ଫାଲ୍‌ରେ ଥିବା ରାଜ୍ୟପାଳଙ୍କ ବାସଭବନ ନିକଟରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ବ୍ୟାପକ ହିଂସାକାଣ୍ଡ ସଂଘଠିତ ହୋଇଛି । ରିପୋର୍ଟ ଅନୁସାରେ ପ୍ରଦଶର୍ନକାରୀମାନେ କିଛି ଦାବି ନେଇ ରାଜ୍ୟପାଳଙ୍କୁ ଭେଟିବାକୁ ଆସୁଥିବା ବେଳେ ସୁରକ୍ଷା ବାହିନୀର ଯବାନମାନେ ସେମାନଙ୍କୁ ଅଟକାଇଥିଲେ । କିନ୍ତୁ ପ୍ରଦର୍ଶନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିଲେ ଏବଂ ସୁରକ୍ଷା ଯବାନ୍‌ଙ୍କ କଥା ଶୁଣିନଥିଲେ । ଫଳରେ ବାଧ୍ୟ ହୋଇ ସୁରକ୍ଷା ବାହିନୀର ଯବାନମାନେ ପ୍ରଦର୍ଶନକାରୀଙ୍କ ଉପରେ ଲୁହ ବୁହା ଗ୍ୟାସ୍ ସେଲ୍ ଏବଂ ନକଲି ବୋମାମାଡ଼ କରିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଦର୍ଶନକାରୀମାନେ ସୁରକ୍ଷା ଯବାନ୍‌ଙ୍କ ଉପରେ ଆକ୍ରମଣ କରିଛନ୍ତି । ସୁରକ୍ଷା ଯବାନ୍ ମଧ୍ୟ ଲାଠିଚାର୍ଜ ସାଙ୍ଗକୁ ରବର ଗୁଳିମାଡ଼ କରିଥିଲା । ତେବେ ଏଥିରେ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ୭ ମହିଳା ଗୁରୁତର ହୋଇପଡିଥିବା ଜଣାପଡିଛି ।

ମେ ୨୦ ତାରିଖରେ ଏକ ସରକାରୀ ବସ୍‌ରୁ ରାଜ୍ୟର ନାମ କଥିତ ଭାବରେ ହଟାଇବା ବିରୋଧରେ ନାଗରିକ ସମାଜ ଗୋଷ୍ଠୀ ସମନ୍ୱୟ କମିଟି ଫର୍ ମଣିପୁର ଇଣ୍ଟିଗ୍ରିଟି (ସିଓସିଓଏମ୍‌ଆଇ)ର ଡାକରାରେ ବିକ୍ଷୋଭକାରୀମାନେ ପ୍ରଦର୍ଶନ କରୁଥିଲେ । ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ରାଜ୍ୟ ପରିବହନ ବସ୍‌ରୁ “ମଣିପୁର’ ଶବ୍ଦ ହଟାଇ ଦିଆଯିବାର ଅଭିଯୋଗକୁ ନିନ୍ଦା କରି, ସିଓସିଓଏମ୍‌ଆଇ ସଂଯୋଜକ ଖୁରାଇଜାମ ଆଥୌବା ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ଠାରୁ ଆନୁଷ୍ଠାନିକ କ୍ଷମା ପ୍ରାର୍ଥନା ଦାବି କରିଥିଲେ । ରବିବାର ଦିନ ଇମ୍ଫାଲରେ ରାଜଭବନ ଅଭିମୁଖେ ଶୋଭାଯାତ୍ରା କରୁଥିବା ପ୍ରଦର୍ଶନକାରୀମାନଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷା ବାହିନୀ ବ୍ୟାପକ ଚେଷ୍ଟା କରିବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ପ୍ରଦର୍ଶନକାରୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ଘଟଣାରେ ସୁରକ୍ଷା କର୍ମୀମାନେ ପାଲଟା ଜବାବ ଦେବାକୁ ବାଧ୍ୟ ହୋଇଥିଲେ । ତେବେ ରିପୋର୍ଟ ଲେଖାହେବା ବେଳକୁ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା କୁହାଯାଇଛି ।

ମେ ୨୦ ତାରିଖରେ, ଉଖରୁଲ୍ ଜିଲ୍ଲାରେ ୫ ଦିନିଆ ଶିରୁଇ ଲିଲି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବକୁ କଭରେଜ୍ କରିବାକୁ ଯାଉଥିବା ଏକ ଗଣମାଧ୍ୟମ ଦଳକୁ ଇମ୍ଫାଲ ପୂର୍ବ ଜିଲ୍ଲାର ଗ୍ୱାଲଟାବିରେ କିଛି ସୁରକ୍ଷା କର୍ମୀ ଅଟକାଇଥିଲେ ଏବଂ ସେମାନଙ୍କୁ ଇମ୍ଫାଲ ଫେରିବାକୁ ବାଧ୍ୟ କରିଥିଲେ । ଏହାକୁ ନେଇ ବିବାଦର ସୂତ୍ରପାତ ହୋଇଛି । ଅଲ୍ ମଣିପୁର ୱାର୍କିଂ ଜର୍ଣ୍ଣାଲିଷ୍ଟ୍ସ ୟୁନିଅନ୍ (ଏଏମ୍‌ଡବ୍ଲ୍ୟୁଜେୟୁ) ଏବଂ ଏଡିଟର୍ସ ଗିଲ୍ଡ ମଣିପୁର (ଇଜିଏମ୍‌) ମଙ୍ଗଳବାର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଏକ ମିଳିତ ଚିଠି ଲେଖି ଦର୍ଶାଇଛନ୍ତି ଯେ, ସୁରକ୍ଷା କର୍ମୀମାନେ ୨୦ ଜଣ ସାମ୍ବାଦିକ ଏବଂ ସୂଚନା ବିଭାଗର କିଛି ଅଧିକାରୀଙ୍କୁ ଅଧାବାଟରୁ ଫେରାଇଦେବା ଏବଂ ସେମାନେ ଯାତ୍ରା କରୁଥିବା ବସ୍‌ର ସମ୍ମୁଖ ଭାଗରେ “ମଣିପୁର ରାଜ୍ୟ ପରିବହନ ନିଗମ’ ସାଇନେଜ୍ ବୋଡ୍‌ର୍କୁ ଲୁଚାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏଦିଗରେ ତଦନ୍ତ କରାଯିବା ଉଚିତ୍ । ରାଜ୍ୟପାଳଙ୍କ ପାଖରେ ଏବେ ସର୍ବାଧିକ କ୍ଷମତା ରହିଥିବା ବେଳେ ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଥିଲେ । ତେବେ ମଣିପୁର ସରକାର ଏହି ପ୍ରସଙ୍ଗର ତଦନ୍ତ ପାଇଁ ଏକ ଦୁଇ ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ମଧ୍ୟ ଗଠନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଆବେଦନକାରୀଙ୍କୁ ଆକ୍ରମଣାତ୍ମକ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking