ମସ୍କୋ: ୟୁକ୍ରେନ ବିରୋଧରେ ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ କରାଯାଇଛି। ରବିବାର ବିଳମ୍ବିତ ରାତିରେ ୟୁକ୍ରେନ ଉପରେ ରୁଷିଆ ଡ୍ରୋନ ଓ ମିଜାଇଲ ମାଡ଼ କରିଛି। ୟୁକ୍ରେନର ଝିଟୋମିର ସହର ଉପରକୁ ରୁଷିଆ ଘନ ଘନ ମିଜାଇଲ ମାଡ଼ କରିବାରୁ ୩ ଶିଶୁ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।
ୟୁକ୍ରେନର ୧୧୦ଟି ଡ୍ରୋନକୁ ମାରି ଖସାଇ ଦେଇଥିବ ରୁଷିଆ କହିଛି। ତେବେ ରୁଷିଆର ଡ୍ରୋନ ଓ ମିଜାଇଲ ଆକ୍ରମଣର କଡ଼ା ଯବାବ ଦିଆଯାଇଛି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ରୁଷିଆର ଏୟାରଷ୍ଟ୍ରାଇକକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ନିନ୍ଦା କରିଛନ୍ତି। ରୁଷିଆର ପତନ ଆରମ୍ଭ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ରୁଷ ପକ୍ଷରୁ ଶନିବାର ରାତିରେ ୟୁକ୍ରେନ ଉପରେ ପ୍ରବଳ ଆକ୍ରମଣ କରାଯାଇଛି। ରୁଷ୍ର ଲଢୁଆ ବିମାନଗୁଡିକ କ୍ଷେପଣାସ୍ତ୍ର ଏବଂ ବୋମାମାଡ କରିବାରୁ ୟୁକ୍ରେନରେ ୧୩ ଜଣଙ୍କର ପ୍ରାଣହାନି ଘଟିଛି। ଏଥିରେ ୧୫ରୁ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୟୁକ୍ରେନର ରାଜଧାନୀ କିଏଭ୍ରେ କେବଳ ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ୟୁକ୍ରେନର ଖାର୍କିଭ୍, ମାଇକୋଲେଭ୍ ଭଳି ସହରଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରୁଷ୍ ପକ୍ଷରୁ ୩୦ଟି ସହର ଉପରେ ଆକ୍ରମଣ କରାଯାଇଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍ସ୍କି କହିଛନ୍ତି।
ରୁଷ୍ ସେନା ସ୍ଥଳପଥରେ ୟୁକ୍ରେନର ପୂର୍ବରେ ଅବସ୍ଥିତ ଡୋନେସ୍କ୍ ଏବଂ ଉତ୍ତରରେ ଅବସ୍ଥିତ ସୁମି ଅଞ୍ଚଳକୁ ଦ୍ରୁତଗତିରେ ଅଗ୍ରସର ହେଉଥିବା ଜଣାପଡିଛି। ଶନିବାର ରୁଷ୍ ପକ୍ଷରୁ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରି ୨୯୮ ଡ୍ରୋନ୍ ଓ ୬୯ଟି କ୍ଷେପଣାସ୍ତ୍ର ମାଡ କରାଯାଇଛି। ଏଥିମଧ୍ୟରୁ ୨୬୬ ଡ୍ରୋନ୍ ଓ ୪୫ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ନଷ୍ଟ କରାଯାଇଛି ବୋଲି ୟୁକ୍ରେନ ଦାବି କରିଛି। ୨୦୨୨ ଫେବୃଆରୀରେ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେବାର ଏକ ସପ୍ତାହ ମଧ୍ୟରେ ରୁଷ୍ ସେନା ୟୁକ୍ରେନର ପୂର୍ବରେ ଅବସ୍ଥିତ ଡନ୍ବାସ୍, ଡୋନେସ୍କ୍ ଏବଂ ଲୁହାନ୍ସ୍କ ଅଞ୍ଚଳ ଅକ୍ତିଆର କରିବାକୁ ପ୍ରବଳ ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇପାରିନାହିଁ। ଅପରପକ୍ଷରେ ଇସ୍ତାନବୁଲରେ ସ୍ବାକ୍ଷରିତ ରାଜାନିମା ଅନୁଯାୟୀ ଚଳିତ ସପ୍ତାହରେ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧବନ୍ଦୀ ବିନିମୟ କାର୍ଯ୍ୟ ଆରମ୍ଭ ହୋଇଛି। ରବିବାର ଉଭୟପକ୍ଷ ୩୦୭ ଯୁଦ୍ଧବନ୍ଦୀଙ୍କୁ ଫେରାଇ ଦେଇଛନ୍ତି। ଗତ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୩୯୦ ଲେଖାଏଁ ଯୁଦ୍ଧବନ୍ଦୀ ହସ୍ତାନ୍ତର କରାଯାଇଛି। ରାଜିନାମା ଅନୁଯାୟୀ ଦୁଇପକ୍ଷ ୧୦୦୦ ଲେଖାଏଁ ଯୁଦ୍ଧବନ୍ଦୀ ଫେରାଇବେ।










