ଭୁବନେଶ୍ୱର : ନିଶା ପାଇଁ ଲକ୍ଷ ଲକ୍ଷ ପରିବାର ଉଜୁଡିବା ସହିତ ଅନେକ ନାରୀଙ୍କ ସିନ୍ଥିରୁ ସିନ୍ଦୂର ଲିଭୁଛି । ବହୁ ପିଲା ବାପ ମା’ ଛେଉଣ୍ଡ ହେଉଥିବାବେଳେ ଦୁର୍ଘଟଣା, ରୋଗବ୍ୟାଧି, ଅପରାଧ, ନାରୀ ନିର୍ଯ୍ୟାତନା ଆଦି ମଧ୍ୟ ବଢି ଚାଲିଛି । ମଦ ସମେତ ଅନ୍ୟାନ୍ୟ ନିଶାର ଉଦବେଗଜନକ ପ୍ରସାର ଯୋଗୁଁ ବ୍ୟକ୍ତି, ପରିବାର, ରାଜ୍ୟ, ରାଷ୍ଟ୍ର ଓ ସମାଜ ଯେଉଁ ବିପୁଳ କ୍ଷତିର ସମ୍ମୁଖୀନ ହେଉଛି ତାହାର ପରିମାଣ ମିଳୁଥିବା ଅବକାରୀ ରାଜସ୍ୱ ଠାରୁ ଶହେଗୁଣରୁ ଅଧିକ । ଏ ପରିପ୍ରେକ୍ଷୀରେ ନିଶାମୁକ୍ତ ଓଡିଶା ପାଇଁ ଓଡିଶାର ନାରୀ ସମାଜ ସାବିତ୍ରୀ ଅମାବାସ୍ୟା ଅବସରରେ ସିନ୍ଦୂର ସୁରକ୍ଷା ସଙ୍କଳ୍ପ ନେଇ ନିଶାମୁକ୍ତି ସଂଗ୍ରାମକୁ ବ୍ୟାପକ କରିବାପାଇଁ ବହୁ ମହିଳା ଓ ସମାଜସେବୀ ଆହ୍ୱାନ ଦେଇଛନ୍ତି । ଓଡିଶା ସରକାର ତାଙ୍କ ଯୁବ ନୀତିରେ ନିଶା ପାଇଁ ଯୁବ ଗୋଷ୍ଠି ପଥଭ୍ରଷ୍ଟ ହେଉଥିବା ସ୍ୱୀକାର କରିଥିବାବେଳେ ମହିଳା ଓ ବାଳିକା ନୀତିରେ ରାଜ୍ୟରେ ନାରୀ ନିର୍ଯ୍ୟାତନା କିଭଳି ଭୟଙ୍କର ସ୍ଥିତିରେ ରହିଛି ତାହାର କରୁଣ ଚିତ୍ର ମଧ୍ୟ ଦର୍ଶାଯାଇଛି ।
କେଉଁଠି ନିଶାଖୋର ବାପା ନିଜ ଝିଅକୁ ବଳାତ୍କାର କରୁଛି ତ ଆଉ କେଉଁଠି ନିଶାଖୋର ପୁଅ କବଳରୁ ଜନ୍ମଦାତ୍ରୀ ମା’ ବି ମୁକ୍ତି ପାଉନାହିଁ । ଘରେ, କର୍ମକ୍ଷେତ୍ରରେ ଏବଂ ରାସ୍ତାଘାଟରେ କୁନି କୁନି ଝିଅଙ୍କ ଠାରୁ ଆରମ୍ଭକରି ବୟସ୍କା ମହିଳାଙ୍କ ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ନାରୀ ନିର୍ଯ୍ୟାତନା ମାମଲା ବର୍ଷକୁ ବର୍ଷ ବଢି ଚାଲିଥିବାବେଳେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି । ବିଗୁଡୁଥିବା ସମାଜ ଓ ପାରିବାରିକ ବ୍ୟବସ୍ଥାକୁ ସରକାରୀକଳ ସୁଧାରିବା ପରିବର୍ତ୍ତେ ନିଶା ପ୍ରସାରଣରେ ମାତି ବର୍ଷ ବର୍ଷ ଧରି ବିଗାଡିଚାଲିଛି । ଏମିତିକି ପ୍ରାୟ ୭୦ବର୍ଷ ତଳେ ପ୍ରଣୟନ କରାଯାଇଥିବା ଓଡିଶା ନିଶା ନିବାରଣ ଆଇନକୁ ମଧ୍ୟ ଲାଗୁ କରାଯାଉନାହିଁ । ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ଥିଲା ନିଶା ନିବାରଣ ଓ ନାରୀ ସୁରକ୍ଷା ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାହ ହୀନ୍ଦ୍ ଫଉଜ ମଧ୍ୟ ନିଶା ନିବାରଣର ଉଦାହରଣ ସୃଷ୍ଟି କରିଯାଇଛିା ଓଡିଶାରେ ବହୁ ବର୍ଷ ଧରି ମହିଳାମାନେ ବିକ୍ଷିପ୍ତ ଭାବେ ନିଶା ବିରୁଦ୍ଧରେ ସ୍ୱର ଉଠାଉଛନ୍ତି । ତେବେ ସରକାରୀକଳ ନିଶା ପ୍ରସାରଣରେ ମାତିଥିବାରୁ ଜନ ଜୀବନ ବିପନ୍ନ ହେବା ସହିତ ରାଜ୍ୟ ନାହିଁ ନଥିବା ଦୁର୍ଗତିର ସମ୍ମୁଖୀନ ହେଉଥିଲେ ବି ନିଶା ନିବାରିତ ହୋଇପାରୁନାହିଁ । ୨୦୨୪ର ର୍ନିବାଚନବେଳେ ରାଜ୍ୟ ବିଜେପି ଯେଉଁ ସଙ୍କଳ୍ପପତ୍ର ଜାରି କରିଥିଲା ସେଥିରେ ବି ଓଡିଶାକୁ ନିଶାମୁକ୍ତ କରିବାପାଇଁ ଘୋଷଣା କରାଯାଇଛି । ଏ ପରିପ୍ରେକ୍ଷୀରେ ଉଭୟ ଚୋରା ଓ ସରକାରୀ ନିଶାର ଦୌରାତ୍ମ୍ୟରୁ ରାଜ୍ୟକୁ ବିଶେଷକରି ନାରୀ ସମାଜକୁ ରକ୍ଷା କରିବାଲାଗି ପବିତ୍ର ସାବିତ୍ରୀ ଅମାବାସ୍ୟା ପର୍ବରେ ମହିଳାମାନେ ସିନ୍ଦୂର ସୁରକ୍ଷା ସଙ୍କଳ୍ପ ନେଇ ନିଜ ପରିବାରରେ ଓ ନିଜ ନିଜ ଅଞ୍ଚଳରେ ମଦମୁକ୍ତି ଅଭିଯାନକୁ ତ୍ୱରାନ୍ୱିତ କରିବାପାଇଁ ନିବେଦନ କରାଯାଇଛି ।










