21.1 C
Bhubaneswar
Saturday, December 20, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଓବିସି ମୋର୍ଚ୍ଚାର କର୍ମକର୍ତ୍ତା ଓ ସଦସ୍ୟଗଣ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଓବିସି ମୋର୍ଚ୍ଚାର କର୍ମକର୍ତ୍ତା ଓ ସଦସ୍ୟଗଣ

ଭୁବନେଶ୍ବର: ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥିଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ଅନ୍ୟାନ୍ୟ ପଛୁଆବର୍ଗ ମୋର୍ଚ୍ଚାର କର୍ମକର୍ତ୍ତା, ସଦସ୍ୟ ଏବଂ ବିଭିନ୍ନ ଜାତିସଂଗଠନର ସଦସ୍ୟମାନେ ଭେଟି ଶିକ୍ଷା କ୍ଷେତ୍ରରେ ଏସ୍‍ଇବିସି ବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିବାରୁ ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ମେ ୧୪ ତାରିଖ ଦିନ ଏହି ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହା ଚଳିତ ଶିକ୍ଷା ବର୍ଷ ୨୦୨୫-୨୬ରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟ, ସରକାରୀ ଓ ଅନୁଦାନ ପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଲାଗୁ ହେବ ।

ପୂର୍ବରୁ ଓଡ଼ିଶାରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ଶିକ୍ଷା କ୍ଷେତ୍ରରେ ଏହା ଲାଗୁ କରିବା ପାଇଁ ଦୀର୍ଘଦିନର ଦାବୀ ରହିଥିଲା । ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ଏସ୍‍ଇବିସି ବର୍ଗର ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାକ୍ଷେତ୍ରରେ ସାମାଜିକ ନ୍ୟାୟ ପାଇଁ ଯେଉଁ ଦୀର୍ଘ ଦିନର ଅପେକ୍ଷା ଥିଲା ତା’ର ଅନ୍ତ ଘଟିଛି । ଆଜି ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରୁ ଓବିସି ମୋର୍ଚ୍ଚାର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହିତ ଓବିସି ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ପ୍ରକାଶ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି, ବିଭିନ୍ନ ଜାତି ସଂଗଠନ ଯଥା- କଳିଙ୍ଗ ପାଇକ ସଂଗଠନ, ଉତ୍କଳ ବିକାଶ ପରିଷଦ, ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି, ଉତ୍କଳ ଯାଦବ ମହାସଭା, ନିଖିଳ ଉତ୍କଳ ଶୁଣ୍ଢି ସମାଜ, ନିଖିଳ ଉତ୍କଳ ବାରିକ ମହାସଂଘ, ଗଞ୍ଜାମ କାଳଞ୍ଚି ଖଣ୍ଡାୟତ ସମାଜ, ପଛୁଆ ବର୍ଗ ଜନସାମୁଖ୍ୟ, ତୈଳିକ ବୈଶ୍ୟ ମହାସଂଘର ସଦସ୍ୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking