21.1 C
Bhubaneswar
Saturday, February 7, 2026
Homeଓଡିଶାଫ୍ଲାଟ୍ ଷ୍ଟିଲ୍ ଆମଦାନୀ ଉପରେ ୧୨% ସେଫଗାର୍ଡ ଡ୍ୟୁଟି ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଐତିହାସିକ...

ଫ୍ଲାଟ୍ ଷ୍ଟିଲ୍ ଆମଦାନୀ ଉପରେ ୧୨% ସେଫଗାର୍ଡ ଡ୍ୟୁଟି ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଐତିହାସିକ ପଦକ୍ଷେପ: ନବୀନ ଜିନ୍ଦଲ

ନୂଆଦିଲ୍ଲୀ : ଘରୋଇ ଇସ୍ପାତ ଶିଳ୍ପକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଫ୍ଲାଟ ଇସ୍ପାତ ଉତ୍ପାଦ ଆମଦାନୀ ଉପରେ ୧୨% ସେଫଗାର୍ଡ ଡ୍ୟୁଟି (ସୁରକ୍ଷା ଶୁଳ୍କ) ଲାଗୁ କରିଛନ୍ତି, ଯାହା ଏପ୍ରିଲ ୨୧ରୁ ଆଗାମୀ ୨୦୦ ଦିନ ପାଇଁ କାର୍ଯ୍ୟକାରୀ ହେବ । ଏହି ପଦକ୍ଷେପ ଚୀନ୍, ଦକ୍ଷିଣ କୋରିଆ ଏବଂ ଜାପାନରୁ ଶସ୍ତା ଇସ୍ପାତ ଆମଦାନୀକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଦିଷ୍ଟ, ଯାହା ଦ୍ଵାରା ଘରୋଇ ଇସ୍ପାତ ନିର୍ମାତାମାନଙ୍କୁ ଆଶ୍ୱସ୍ତି ମିଳିବ । ଡାଇରେକ୍ଟର ଜେନେରାଲ ଅଫ୍ ଟ୍ରେଡ୍ ରେମେଡିଜ୍ ଦ୍ୱାରା କରାଯାଇଥିବା ଏକ ତଦନ୍ତରୁ ଜଣାପଡିଛି ଯେ ଉପରୋକ୍ତ ଦେଶଗୁଡ଼ିକରୁ ଇସ୍ପାତ ଆମଦାନୀ ଯୋଗୁଁ ଘରୋଇ ଶିଳ୍ପର “ଗମ୍ଭୀର କ୍ଷତି” ହେଉଛି । ଏହା ଉଲ୍ଲେଖନୀୟ ଯେ, ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅଶୋଧିତ ଇସ୍ପାତ ଉତ୍ପାଦନକାରୀ ଦେଶ ଭାରତ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଫିନିଶ୍ଡ୍ ଇସ୍ପାତର ନିଟ୍ ଆମଦାନୀକାରୀ ପାଲଟିଛି ଏବଂ ୨୦୨୪-୨୫ ମସିହାରେ ଏହି ଆମଦାନୀ ନଅ ବର୍ଷର ସର୍ବୋଚ୍ଚ ସ୍ତର ୯.୫ ନିୟୁତ ମେଟ୍ରିକ୍ ଟନ୍ ରେ ପହଞ୍ଚିଛି ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତୀୟ ଇସ୍ପାତ ସଂଘ (ଆଇଏସଏ) ଏବଂ ଦେଶର ପ୍ରମୁଖ ଶିଳ୍ପପତିମାନେ ସ୍ୱାଗତ କରିଛନ୍ତି। ଭାରତୀୟ ଇସ୍ପାତ ସଂଘର ସଭାପତି ଏବଂ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ନବୀନ ଜିନ୍ଦଲ ଏହାକୁ ଆତ୍ମନିର୍ଭର ଭାରତ ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। ସେ କହିଛନ୍ତି ଯେ “ଫ୍ଲାଟ୍ ଇସ୍ପାତ ଉତ୍ପାଦ ଉପରେ ୧୨% ସେଫଗାର୍ଡ ଡ୍ୟୁଟି ଲାଗୁ କରିବା ପାଇଁ ସରକାରଙ୍କ ନିର୍ଣ୍ଣାୟକ ନିଷ୍ପତି ପାଇଁ ଆମେ କୃତଜ୍ଞ, ଯାହା ଅତ୍ୟଧିକ ମୂଲ୍ୟରେ ଆସୁଥିବା ଆମଦାନୀକୁ ରୋକିବା ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା । ସରକାରଙ୍କ ଏହି ସହଯୋଗ ନିବେଶକମାନଙ୍କୁ 2030 ସୁଦ୍ଧା 300 ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କ୍ଷମତା ଲକ୍ଷ୍ୟ ହାସଲ ପାଇଁ ନୂତନ ଉତ୍ସାହ ସହିତ କାମ କରିବାକୁ ପ୍ରେରଣା ଦେବା ସହ ଏକ ଆତ୍ମନିର୍ଭର ଭାରତ ତଥା ବିକଶିତ ଭାରତ ନିର୍ମାଣ ଦିଗରେ ଅଗ୍ରସର କରିବ ।

ଭାରତର ଜାତୀୟ ଇସ୍ପାତ ନୀତି-୨୦୧୭ ରେ ଦେଶର ଇସ୍ପାତ ଉତ୍ପାଦନ କ୍ଷମତାକୁ ୨୦୩୦ ସୁଦ୍ଧା ୩୦୦ ନିୟୁତ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଘରୋଇ ବଜାରରେ ଯଥେଷ୍ଟ ପୁଞ୍ଜିନିବେଶ ଏବଂ ବିଶ୍ୱାସର ଆବଶ୍ୟକତା ରହିଛି, ଯାହା କି ନୂତନ ଭାବେ ଲାଗୁ ହୋଇଥିବା ସେଫଗାର୍ଡ ଡ୍ୟୁଟି ପରି ସୁରକ୍ଷାମୂଳକ ପଦକ୍ଷେପ ଦ୍ୱାରା ସୁଦୃଢ଼ ହୋଇ ପାରିଛି  । ସରକାରଙ୍କ ଏହି ପଦକ୍ଷେପ ଭାରତକୁ ବିଦେଶୀ ଇସ୍ପାତ ଆମଦାନୀକୁ ନିୟନ୍ତ୍ରଣ କରିବା ସହିତ ଘରୋଇ ଉତ୍ପାଦନ କ୍ଷେତ୍ରକୁ ସୁରକ୍ଷା ଦେବା ପାଇଁ ଚାହୁଁଥିବା ଅନ୍ୟ ଦେଶମାନଙ୍କ ସହିତ ସମନ୍ୱିତ କରୁଛି । ଏକ ସମାନ କ୍ଷେତ୍ର ସୃଷ୍ଟି କରି, ଏହି ସେଫଗାର୍ଡ ଡ୍ୟୁଟି ନିବେଶକଙ୍କ ବିଶ୍ୱାସକୁ ସୁଦୃଢ କରିବ ଏବଂ ଜାତୀୟ ଅଭିବୃଦ୍ଧିରେ ଇସ୍ପାତ କ୍ଷେତ୍ରର ଅବଦାନକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି । ଇସ୍ପାତ ଶିଳ୍ପର ଭବିଷ୍ୟତ ପାଇଁ ଏହି ସେଫଗାର୍ଡ ଶୁଳ୍କର କାର୍ଯ୍ୟାନ୍ୱୟନ ଭାରତର ଆତ୍ମନିର୍ଭରଶୀଳତା ଏବଂ ଆର୍ଥିକ ସ୍ଥିରତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking