ଭୁବନେଶ୍ୱର: ରାଜ୍ୟରେ ପୁଲିସ ପ୍ରଶାସନର ବର୍ବରତା ସବୁ ସୀମା ଟପି ସାରିଲାଣି। ଥାନା ଭିତରେ ନିର୍ଯାତନା ଏବଂ ହାଜତ ମୃତ୍ୟୁ ମାମଲା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଘଟୁଥିବା ହିଂସା ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ପୁଲିସ ପ୍ରଶାସନ ବିଫଳ ହୋଇ ଥିବାବେଳେ ସାଧାରଣ ଲୋକଙ୍କୁ ହାଜତରେ ନିର୍ଯାତନା ଦେବା ନିନ୍ଦନୀୟ ବୋଲି ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ଏବଂ ମୁଖପାତ୍ର ଡ. ମନିଷା ଦାସ ପଟ୍ଟନାୟକ କଂଗ୍ରେସ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।
ରାଜ୍ୟରେ ଆଇଶୃଙ୍ଖଳା ସରକାରଙ୍କ ଆୟତ୍ତରେ ନାହିଁ । ଦିନକୁ ଦିନ ରାଜ୍ୟରେ ଅରାଜକତା, ହିଂସା, ହତ୍ୟା, ଧର୍ଷଣ, ସାଧାରଣ ଲୋକଙ୍କ ଉପରେ ନିର୍ଯ୍ୟାତନା, ପୋଲିସ ବର୍ବରତା ବଢି ଚାଲିଥିବା ନେଇ ଶ୍ରୀ ପ୍ରଧାନ ଉଦବେଗ ପ୍ରକାଶ କରିଥିଲେ । କବିସୂର୍ଯ୍ୟ ନଗରରେ ଘଟିଥିବା ହାଜତ ହତ୍ୟା ପାଇଁ ସରକାରଙ୍କ ଗୃହ ବିଭାଗ ଏବଂ ପୋଲିସର ଅପାରଗତା ଦାୟୀ ବୋଲି ସେ କହିଥିଲେ ଏବଂ ଉପଯୁକ୍ତ ତଦନ୍ତ ପାଇଁ ଦାବୀ କରିଥିଲେ । ସେହିପରି ମୁଖପାତ୍ର ଡ. ମନିଷା କହିଥିଲେ; ପୁଲିସ ମହାନିର୍ଦେଶକ ଗତ ୧୦ ଦିନ ଭିତରେ ଦୁଇଥର କହିସାରିଲେଣି ଓଡ଼ିଶାରେ ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। ଏହାସତ୍ତ୍ବେ ଅପରାଧୀ ଅପରାଧ ଘଟାଇ ଚାଲିଛନ୍ତି। ଅପରପକ୍ଷରେ ପୁଲିସ ସାଧାରଣ ଲୋକଙ୍କୁ ଥାନାକୁ ଡକାଇ ଅକଥନୀୟ ନିର୍ଯାତନା ଦେଉଛି। ବାରଙ୍ଗ ଥାନାରେ ରାକେଶ ବେହେରାଙ୍କୁ ପୁଲିସ ଅଟକ ରଖି ନିର୍ଯାତନା ଦେବା ପରେ ସେ ଜୀବନ- ମରଣ ସହ ସଂଘର୍ଷ କରୁଛନ୍ତି। ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ଭିତରେ ଆଇଆଇସି ଜଣେ ଗରିବ ମା’ ଓ ପୁଅଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ। ଆଇଆଇସିଙ୍କୁ ବଦଳି କରି ପୁଲିସ ପ୍ରଶାସନ ଲୋକଙ୍କ ପ୍ରତିବାଦ ଯୋଗୁଁ ଉଭୟ ଥାନାର ଚୁପ୍ ହୋଇ ବସି ରହିଛି। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନାର ଆଇଆଇସି ଜଣେ ନିରୀହ ଭିନ୍ନକ୍ଷମ ଯୁବକଙ୍କୁ ଉଠାଇ ଆଣି ଦୀର୍ଘ ୩ ଦିନ ଧରି ହାଜତ ଭିତରେ ଅକଥନୀୟ ନିର୍ଯାତନା ଏଵଂ ପ୍ରବଳ ମାଡ ଦେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଗତ ୨୦ ଦିନ ଭିତରେ ଗଞ୍ଜାମ ଜିଲାରେ ୧୦ଟି ହତ୍ୟାକାଣ୍ଡ ହେଲାଣି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଂସଦରେ ଉପସ୍ଥାପନ କରିଥିବା ରିପୋର୍ଟ ଅନୁଯାୟୀ; ୨୦୨୫-୨୬ ବର୍ଷରେ ଓଡ଼ିଶାରେ ହାଜତ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଓଡ଼ିଶାରେ ବିଜେପି ସରକାର ୨ ବର୍ଷ ପୂର୍ତି ପାଳନ କରିବାକୁ ଯାଉଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନ କହିଲେ ଭଲ। କବିସୂର୍ଯ୍ୟନଗରରେ ଜଣେ ନିରୀହ ଶ୍ରମିକ ଯାହାଙ୍କର ଏତଲାରେ ନାମ ନଥିଲା ତାଙ୍କୁ ଥାନାକୁ ଡକାଇ ପିଟିପିଟି ମାରିଦେବା ଘଟଣାରେ ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ସେ ସରକାରଙ୍କୁ ଆହ୍ୱାନ ଦେଇଥିଲେ । ଆହୁରି ମଧ୍ଯ ସେ କହିଥିଲେ କେବଳ ବଦଳି ଆଉ ନିଲମ୍ବନ କଲେ ଏ ସମସ୍ୟାର କୌଣସି ପରିବର୍ତ୍ତନ ହେବନାହିଁ । ଅନ୍ୟ ରାଜ୍ୟରେ ଏପରି ଘଟଣାରେ ପୋଲିସକୁ ଫାଶୀ ଦଣ୍ଡ ଦିଆଯାଉଥିଲା ବେଳେ ଓଡ଼ିଶାରେ ଅପରାଧୀ ପୋଲିସଙ୍କ ପାଇଁ ସରକାର ଏତେ ତତ୍ପର କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ସରକାର ତାଙ୍କର ଦୁଇ ବର୍ଷ ପୂର୍ତ୍ତିପାଳନରେ ନାରୀ ନିର୍ଯାତନା, ପୋଲିସ ବର୍ବରତା, ହାଜତ ମୃତ୍ୟୁ, ଚାଷୀ ମାରଣ, ଶିଶୁ କନ୍ୟା ବଳାତ୍କାର, ଜଘନ୍ୟ ଭିଡ଼ ହିଂସା ହତ୍ୟା, ନିର୍ଦ୍ଦୋଷକୁ ଦୋଷୀ ସଜେଇ ପୋଲିସ ହତ୍ୟାକୁ ନେଇ ପ୍ରଧାମନ୍ତ୍ରୀଙ୍କୁ ରିପୋର୍ଟ ଦେବେକି ବୋଲି ଡଃ ପଟ୍ଟନାୟକ ପ୍ରଶ୍ନ କରିଥିଲେ ।










