24.1 C
Bhubaneswar
Wednesday, January 14, 2026
Homeଖେଳପଞ୍ଜାବ କିଙ୍ଗ୍‌ସକୁ ୮ ୱିକେଟ୍‌ରେ ହରାଇଲା ସନ୍‌ରାଇଜର୍ସ ହାଇଦ୍ରାବାଦ

ପଞ୍ଜାବ କିଙ୍ଗ୍‌ସକୁ ୮ ୱିକେଟ୍‌ରେ ହରାଇଲା ସନ୍‌ରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ: ସନ୍‌ରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ୮ ୱିକେଟ୍‌ରେ ହରାଇ ଚଳିତ ଆଇପିଏଲ୍ ସିଜନ୍‌ରେ ନିଜର ପରାଜୟ ଧାରାକୁ ଭାଙ୍ଗିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ହାଇଦ୍ରାବାଦ ୨୪୬ ରନ୍‌ର ଲକ୍ଷ୍ୟକୁ ୯ ରନ୍ ପୂର୍ବରୁ ହାସଲ କରିନେଇଛି। ଏହା ଚଳିତ ସିଜନ୍‌ରେ ଦ୍ୱିତୀୟ ବୃହତ୍ ରନ୍ ଚେଜ୍‌। ଏହା ଲଗାତାର ୪ ପରାଜୟ ପରେ ହାଇଦ୍ରାବାଦର ପ୍ରଥମ ତଥା ୬ ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ୫ ମ୍ୟାଚ୍‌ରୁ ପଞ୍ଜାବର ଦ୍ୱିତୀୟ ପରାଜୟ।

ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ଓ ଟ୍ରାଭିସ୍ ହେଡ୍ ପ୍ରଥମ ଓଭର୍‌ରେ ଚୌକା ଛକା ବର୍ଷା ସହ ବିସ୍ଫୋରକ ଆରମ୍ଭ କରିଥିଲେ। ଚତୁର୍ଥ ଓଭର୍‌ରେ ଭାଗ୍ୟ ବଳରେ ଜୀବନ ଦାନ ପାଇଥିବା ଅଭିଷେକ ୧୯ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ଓପ୍ନର୍ ଧୂଆଁଧାର ବ୍ୟାଟିଂ କରି ୧୦ ଓଭର୍‌ରେ ୧୪୩ ରନ୍ ଉଠାଇଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୭୪ ବଲ୍‌ରେ ୧୭୧ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ୧୩ଶ ଓଭର୍‌ରେ ଟ୍ରାଭିସ୍ ହେଡ୍‌ଙ୍କୁ ମାକ୍ସୱେଲ୍‌ଙ୍କ ହାତରେ କ୍ୟାଚ୍ କରାଇ ୟୁଜବେନ୍ଦ୍ର ଚହଲ୍ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ହେଡ୍ ୯ ଚୌକା ଓ ତିନି ଛକା ସହାୟତାରେ ୩୭ ବଲ୍‌ରୁ ୬୬ ରନ୍ କରିଥିଲେ। ହେଡ୍‌ଙ୍କ ଆଉଟ୍‌ର କିଛି ସମୟ ପରେ ଅଭିଷେକ ୪୦ ବଲ୍‌ରେ ନିଜର ଶତକ ପୂରଣ କରିଥିଲେ। ଅଭିଷେକ ୫୫ ବଲ୍‌ରେ ୧୪ ଚୌକା ଓ ୧୦ ଛକା ସହାୟତାରେ ୧୪୧ ରନ୍ କରି ଅର୍ଶଦୀପ ସିଂହଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ହେନ୍‌ରିକ୍ କ୍ଲାସେନ୍ (୨୧³) ଓ ଈଶାନ୍ କିଶନ୍ (୯³) ୯ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲେ।

ଟସ୍ ଜିତି ବ୍ୟାଟି ନେଇଥିବା ପଞ୍ଜାବ କିଙ୍ଗ୍‌ସ ୬ ୱିକେଟ୍‌ରେ ୨୪୫ ରନ୍ କରିଥିଲା। ଚଳିତ ଆଇପିଏଲ୍ ସିଜନ୍‌ରେ ଏହା କୌଣସି ଟିମ୍‌ର ଦ୍ୱିତୀୟ ସର୍ବାଧିକ ସ୍କୋର୍‌। ଟିମ୍ ପକ୍ଷରୁ ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମ୍‌ରନ୍ ସିଂହ ଧମାକାଦାର ଆରମ୍ଭ କରି ୪ ଓଭର୍‌ରେ ୬୬ ରନ୍‌ର ପାର୍ଟନର୍‌ଶିପ୍ କରିଥିଲେ। ପ୍ରିୟାଂଶ ୧୩ ବଲ୍‌ରେ ୨ ଚୌକା ଓ ୪ ଛକା ସହାୟତାରେ ୩୬ ରନ୍ କରି ହର୍ଷଲ୍ ପଟେଲ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ପ୍ରଭସିମ୍‌ରନ୍ ୨୩ ବଲ୍‌ରେ ୭ ଚୌକା ଓ ଗୋଟିଏ ଛକା ବଳରେ ୪୨ ରନ୍ କରି ଡେବ୍ୟୁଟାଣ୍ଟ୍ ଇଶାନ୍ ମାଲିଙ୍ଗାଙ୍କ ଶିକାର ହୋଇଥିଲେ। ଏହାପରେ କ୍ୟାପ୍‌ଟେନ୍ ଶ୍ରେୟସ ଆୟର୍ ଓ ନେହାଲ୍ ୱଧେରାଙ୍କ ମଧ୍ୟରେ ୭୩ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ଇତିମଧ୍ୟରେ ଶ୍ରେୟସ୍ ୨୨ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଆଇପିଏଲ୍‌ରେ ଏହା ତାଙ୍କର ଦ୍ରୁତ ଅର୍ଦ୍ଧଶତକ। ନେହାଲ୍‌(୨୭)ଙ୍କୁ ଏଲ୍‌ବିଡବ୍ଲ୍ୟୁ କହି ମାଲିଙ୍ଗା ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ଏହାପରେ ଶଶାଙ୍କ ସିଂ (୨), ଗ୍ଲେନ୍ ମାକ୍ସୱେଲ୍ (୩) ଓ ଶ୍ରେୟସ୍ (୮୨)ଙ୍କୁ ହର୍ଷଲ୍ ପଟେଲ୍‌ଙ୍କ ଆଉଟ୍ କରିଥିଲେ। ଶ୍ରେୟସ୍‌ଙ୍କ ୩୬ ବଲ୍‌ର ଇନିଂସ୍‌ରେ ୬ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ମାର୍କସ୍ ଷ୍ଟୋଇନିସ୍ (୩୪) ଓ ମାର୍କୋ ଜାନ୍‌ସେନ୍ (୫) ଅପରାଜିତ ଫେରିଥିଲେ। ହାଇଦ୍ରାବାଦ ପକ୍ଷରୁ ହର୍ଷଲ୍ ପଟେଲ୍ ୪ଟି ଓ ଈଶାନ୍ ମାଲିଙ୍ଗା ୨ଟି ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking