23.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଭୁଶୁଡି ପଡ଼ିଲା ନାଇଟ୍ କ୍ଲବ୍ ଛାତ, ୧୧୩ ମୃତ

ଭୁଶୁଡି ପଡ଼ିଲା ନାଇଟ୍ କ୍ଲବ୍ ଛାତ, ୧୧୩ ମୃତ

ସାଣ୍ଟୋ ଡୋମିଙ୍ଗୋ: ଡୋମିନିକାନ୍ ଗଣରାଜ୍ୟ ( ଡୋମିନିକାନ୍ ରିପବ୍ଲିକ୍‌)ର ରାଜଧାନୀ ସାଣ୍ଟୋ ଡୋମିଙ୍ଗୋରେ ଏକ ନାଇଟ୍ କ୍ଲବ୍‌ର ଛାତ ଭୁଶୁଡ଼ି ପଡ଼ିବାରୁ ଅତିକମ୍‌ରେ ୧୧୩ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ୧୫୦ରୁ ଅଧିକ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି। ମୃତକଙ୍କ ମଧ୍ୟରେ ମୋଣ୍ଟେ କ୍ରିଷ୍ଟି ପ୍ରଦେଶର ରାଜ୍ୟପାଳ ନେଲସି କ୍ରୁଜ୍ ଏବଂ ପୂର୍ବତନ ମେଜର ଲିଗ୍ ବେସବଲ୍ ପିଚର ଅକ୍ଟାଭିଓ ଡୋଟେଲ ମଧ୍ୟ ଅନ୍ତର୍ଭୁକ୍ତ ଥିବା ସୂଚନା ଦିଆଯାଇଛି। ୫୧ ବର୍ଷୀୟ ଡୋଟେଲଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯିବା ପରେ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ରିପୋର୍ଟ ଅନୁସାରେ ମଙ୍ଗଳବାର ସକାଳେ ଜେଟ୍ ସେଟ୍ ନାଇଟ୍ କ୍ଲବ୍‌ରେ ଲୋକପ୍ରିୟ ମେରେଙ୍ଗ୍ୟୁ ଗାୟିକା ରୁବି ପେରେଜଙ୍କ ଏକ କନସର୍ଟ ସମୟରେ ଏହି ଘଟଣା ଘଟିଥିଲା। ତାଙ୍କ ମ୍ୟାନେଜର କହିଛନ୍ତି ଯେ, ଏହି ଘଟଣାରେ ରୁବି ପେରେଜ୍ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଅନ୍ୟପକ୍ଷେ ରୁବି ପେରେଜଙ୍କ ଝିଅ କହିଛନ୍ତି ଯେ, ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ତାଙ୍କ ବାପା ମଧ୍ୟ ଅଛନ୍ତି।

କନସର୍ଟ ଆୟୋଜନ ହେଉଥିବାରୁ ଏଠାରେ ଶହ ଶହ ଲୋକ ଉପସ୍ଥିତ ଥିଲେ। ତେବେ ଆୟୋଜକଙ୍କ ପକ୍ଷରୁ ବାସ୍ତବରେ ଅଘଟଣ ସମୟରେ କେତେ ଲୋକ ଏଠାରେ ଉପସ୍ଥିତ ଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇପାରିନାହିଁ। ପ୍ରାୟ ୪୦୦ ଉଦ୍ଧାରକାରୀ ଭଗ୍ନାବଶେଷ ତଳୁ ଲୋକଙ୍କୁ ଖୋଜିବାରେ ଲାଗିଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ପ୍ରକାଶ, ଜେଟ୍ ସେଟ୍ ସାଣ୍ଟୋ ଡୋମିଙ୍ଗୋର ଏକ ଲୋକପ୍ରିୟ ନାଇଟ୍ କ୍ଲବ୍ ଯାହାକି ପ୍ରତ୍ୟେକ ସନ୍ଧ୍ୟାରେ ନିୟମିତ ରୂପେ ନୃତ୍ୟ ସଂଗୀତ କନସର୍ଟ ଆଦି ଆୟୋଜନ କରେ। ରାଜନେତା, ଖେଳାଳି ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିମାନେ ଏଥିରେ ସାମିଲ ହୋଇଥାନ୍ତି। ତେବେ ଏଥର କିନ୍ତୁ ଏମାନେ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେଣ୍ଟର ଫର୍ ଇମରଜେନ୍ସି ଅପରେସନ୍ସ (ସିଓଇ)ର ନିର୍ଦ୍ଦେଶକ ଜୁଆନ୍ ମାନୁଏଲ୍ ମେଣ୍ଡେଜ୍ କହିଛନ୍ତି ଯେ, ଭୁଶୁଡ଼ି ପଡ଼ିଥିବା ଛାତ ତଳେ ଫସିରହିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି ବୋଲି ସେ ଆଶା କରୁଛନ୍ତି। ସେହିପରି ରାଷ୍ଟ୍ରପତି ଲୁଇସ୍ ଆବିନାଡର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking