21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବ୍ରେକ୍‌ଅପ୍ ହୋଇଗଲେ ମହିଳାମାନେ ବଳାତ୍କାର ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ: ସୁପ୍ରିମକୋର୍ଟ

ବ୍ରେକ୍‌ଅପ୍ ହୋଇଗଲେ ମହିଳାମାନେ ବଳାତ୍କାର ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶାରୀରିକ ସମ୍ପର୍କ ସ୍ଥାପନ ପରେ ଯୋଡ଼ିଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଗଲେ ମହିଳାମାନେ ବଳାତ୍କାର ଅଭିଯୋଗ ଆଣୁଥିବା ଧାରାକୁ ଦେଖି ବୁଧବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ନିଜ ବିରୋଧରେ ବଳାତ୍କାର ମାମଲା ଖାରଜ ସକାଶେ ଜଣେ ପୁରୁଷଙ୍କ ପକ୍ଷରୁ ଦାଖଲ ଆବେଦନର ଶୁଣାଣି କରି ଜଷ୍ଟିସ୍ ଏମ୍‌.ଏମ୍‌. ସୁନ୍ଦରରେଶ ଏବଂ ରାଜେଶ ବିନ୍ଦାଲଙ୍କ ଖଣ୍ଡପୀଠ କହିଛନ୍ତି, ରୋମାନ୍ସ ବିଫଳ ହୋଇଗଲେ କିମ୍ବା ଯୋଡ଼ି ଭାଙ୍ଗିଗଲେ ମହିଳାମାନେ ବଳାତ୍କାର ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ। ବିଶେଷକରି ସମାଜରେ ପରିବର୍ତ୍ତନଶୀଳ ନୈତିକ ମୂଲ୍ୟବୋଧ ଦୃଷ୍ଟିକୋଣରୁ ବ୍ରେକ୍‌ଅପ୍ ପରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦ୍ୱାହି ଦେଇ ଏପରି ଅଭିଯୋଗ ଅଣାଯିବା ଅନୁଚିତ। ଆଲୋଚ୍ୟ ମାମଲାରେ ମହିଳା ଜଣକ ନିଜ ପିଟିଶନରେ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗ ଆଣିଥିଲେ।

ଏହାକୁ ତାଙ୍କ ପୁରୁଷ ବନ୍ଧୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶୀର୍ଷ ଅଦାଲତ ଏହା ଉପରେ ଆହୁରି କହିଛନ୍ତି, ଅଧିକାଂଶ ସମୟରେ ଏକ ରୁଢ଼ିବାଦୀ ମାନସିକତାର ପରିଣାମରୁ ଏଭଳି ଅଭିଯୋଗ ଆସିଥାଏ। ଆମ ବ୍ୟବସ୍ଥାରେ ଅଭାବ ଥିବାରୁ ମହିଳାମାନେ ପୁରୁଷଙ୍କୁ ଦୋଷ ଦେଇଥାନ୍ତି। ସମ୍ପୃକ୍ତା ମହିଳା ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ୫ଟି ମାମଲା ଦାଏର କରିଛନ୍ତି।

ମହିଳା ଜଣକ ଯଦି ଏତେ ନୀରିହା ତେବେ ସେ ସୁପ୍ରିମକୋର୍ଟକୁ ଆସି ନ ଥାଆନ୍ତେ। ସେ ଜଣେ ସାବାଳିକା। ତେଣୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଯୋଗୁ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ବୋଲି କହିବା ଅନୁଚିତ। ଏଠି ମହିଳାଙ୍କ ଯୁକ୍ତିକୁ ସତ ବୋଲି ଧରିନେଲେ କଲେଜରେ ଝିଅ ଓ ପୁଅଙ୍କ ମଧ୍ୟରେ ଯେକୌଣସି ସମ୍ପର୍କ ଦଣ୍ଡନୀୟ ହୋଇପାରିବ। ଧରାଯାଉ, ଉଭୟେ ପରସ୍ପରକୁ ଭଲ ପାଉଥିଲେ। ସମ୍ବନ୍ଧକୁ ଝିଅ ବିରୋଧ କଲେ ଏବଂ ପୁଅ କହିଲେ, ମୁଁ ଆସନ୍ତା ସପ୍ତାହରେ ତୁମକୁ ବିବାହ କରିବି। କିନ୍ତୁ ପରେ କୌଣସି କାରଣବଶତଃ ବିବାହ ସମ୍ପନ୍ନ ହୋଇ ନ ପାରିଲେ ତାହା ମଧ୍ୟ ଅପରାଧର ପଦବାଚ୍ୟ ହେବ। ତେଣୁ ଏଭଳି ମାମଲାରେ ଝିଅଙ୍କୁ ପୀଡ଼ିତା ଭାବେ ଦେଖାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିବା ସହ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking