27.1 C
Bhubaneswar
Tuesday, April 1, 2025
Homeଓଡିଶାସିୱାଇଏସଡିର ୪୩ ତମ ପ୍ରତିଷ୍ଠା ଦିବସ ସମାବେଶ ଅନୁଷ୍ଠିତ

ସିୱାଇଏସଡିର ୪୩ ତମ ପ୍ରତିଷ୍ଠା ଦିବସ ସମାବେଶ ଅନୁଷ୍ଠିତ

– ସରକାରୀ ସେବାର ଉପଲବ୍ଧତା ଏବଂ ପ୍ରଭାବୀ ପହଞ୍ଚ ପାଇଁ ଡିଜିଟାଲ ମାଧ୍ୟମର ବ୍ୟବହାର ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
– ବିକଶିତ ଓଡ଼ିଶା ପାଇଁ ସରକାର, ସ୍ୱେଚ୍ଛାସେବୀ ସଂଗଠନ ତଥା ନାଗରିକ ସମାଜର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକତା ରହିଛି 

ଭୁବନେଶ୍ୱର: ଏବେ ସ୍ଵିଗୀ, ଜୋମାଟୋ ଭଳି ଅନ୍ ଲାଇନ୍ ଜରିଆରେ କିଏ ଘରେ ବସି ସାମଗ୍ରୀ କିଣି ପାରୁଛନ୍ତି ତ କିଏ ଖାଦ୍ୟ ମଗାଇ ପାରୁଛନ୍ତି । କିନ୍ତୁ ଏଭଳି ଡିଜିଟାଲ ପ୍ରଯୁକ୍ତିକୁ ସରକାରୀ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ବ୍ୟାପକ ବ୍ୟବହାର ହେବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା । ଆଜି ଭୁବନେଶ୍ୱରସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ “ସେଣ୍ଟର ଫର ୟୁଥ୍ ଆଣ୍ଡ ସୋସିଆଲ ଡେଭେଲପମେଣ୍ଚ(ସିୱାଇଏସଡି)”ର ୪୩ ତମ ବାର୍ଷିକ ଦିବସ ସମାବେଶର ପ୍ରାତଃ ଅଧିବେଶନରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଏହା କହିଛନ୍ତି । ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟ ସରକାର ବିକଶିତ ଓଡ଼ିଶାର ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । ହିତାଧିକାରୀମାନଙ୍କୁ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ ସଚେତନତା ଓ ସୂଚନା ପ୍ରଦାନ କରାଯାଉଛି । ତେବେ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଆମେ ବହୁ ଲୋକଙ୍କୁ କମ୍ ସମୟ ମଧ୍ୟରେ ଓ ସହଜରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଅଧିକରୁ ଅଧିକ ଜଣାଇବା ଓ ସତେତନ କରିପାରିବା ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ବିକଶିତ ଓଡ଼ିଶା ଗଠନରେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯେଉଁ ପ୍ରୟାସ ରହିଛି, ସେଥିରେ ସିଓ୍ୱାଇଏସଡି, ବିଭିନ୍ନ ସାମାଜିକ ଅନୁଷ୍ଠାନ ସମେତ, ନାଗରିକ ସମାଜ ତଥା ଜନସାଧାରଣଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ପ୍ରକାଶ କରିଥିଲେ । ଶ୍ରୀ ଆହୁଜା ଯୁବ ସମାଜସେବୀମାନଙ୍କ ସହଯୋଗ କାମନା କରି ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ବିନା ଆଶଙ୍କାରେ ସାହସର ସହିତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବା, ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଜାଣିବା, ପଲ୍ଲୀ ସଭା, ଗ୍ରାମ ସଭା ଆଦିରେ ଗଣତାନ୍ତ୍ରିକ ନିଷ୍ପତ୍ତି ନିର୍ଣ୍ଣୟ ପ୍ରକ୍ରିୟାରେ ଜନସାଧାରଣ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ପ୍ରତିଭାଗୀ ହେବାର ଆବଶ୍ୟକତା ଥିବା ନେଇ ଶ୍ରୀ ଆହୁଜା ମତବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ତଥା ସାମାଜିକ ସୁରକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ଏସ୍. ଗୋପାଳନ୍ ଯୋଗଦେଇ ଲୋକଙ୍କ ପାଖରେ ଅଧିକ ପ୍ରଭାବୀ ଭାବେ ସରକାରୀ ଯୋଜନା ପହଞ୍ଚିବା ଦିଗରେ ସରକାର ପ୍ରୟାସ କରୁଥିବା ସୂଚାଇଥିଲେ । ସିୱାଇଏସଡ଼ିର ପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ଶ୍ରୀ ଜଗଦାନନ୍ଦ ରାଜ୍ୟରେ ଏହି ସଂଗଠନ ସୁଚନା ଅଧିକାର ଆଇନ ଓ ସାମାଜିକ ସମୀକ୍ଷା କ୍ଷେତ୍ରରେ ବିଳ୍ପବ ଆଣିଛି ବୋଲି ଦର୍ଶାଇଥିଲେ । ସେହିପରି ଆଦିବାସୀଙ୍କ ବିକାଶ, ଯୁବବର୍ଗଙ୍କ ମଧ୍ୟରେ ମତଦାନରେ ଅଂଶଗ୍ରହଣ ନେଇ ସିୱାଇଏସଡ଼ି ଦ୍ୱାରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ସହିତ ବୁଦ୍ଧିଜୀବୀ, ଶିକ୍ଷାବିତ୍, ନାଗରିକ ସମାଜ, ଲୋକ ସଙ୍ଗଠନ ଓ କର୍ପୋରେଟ୍ ଜଗତର ପ୍ରତିନିଧିଙ୍କୁ ଏକାଠି କରି “ଓଡ଼ିଶା ବିକାଶ କନକ୍ଲେଭ ମଞ୍ଚ” ସୃଷ୍ଟି କରିଛି ବୋଲି ସେ ଅବଗତ କରାଇଥିଲେ । ସିୱାଇଏସଡିର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀ ବସନ୍ତ ନାୟକ ସିୱାଇଏସଡ଼ିର ୪୩ ବର୍ଷର ଯାତ୍ରା ସଂପର୍କିତ ପରିସଂଖ୍ୟାନ ଉପସ୍ଥାପନ କରିଥିଲେ । ରାଜ୍ୟର ୧୨ଟି ଜିଲ୍ଲାର ୨୩୫ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସିୱାଇଏସଡ଼ି ୧୩୦୦ଗୋଷ୍ଠୀ ମୂରବୀଙ୍କ ସମେତ ୩୦୦୦ ଲୋକ ସଙ୍ଗଠନର ବିକାଶ ଦିଗରେ କାର୍ଯ୍ୟ କରୁଥିବା ଶ୍ରୀ ନାୟକ ସୂଚନା ଦେଇଥିଲେ । ପ୍ରତିଷ୍ଠା ଦିବସ ସମାବେଶରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ହେମଲତା ତାଣ୍ଡି, କୋରାପୁଟ ବୈପାରିଗୁଡାରୁ ଅଭି ଦଲାରି ଓ ଭଗବତୀ ମାଝୀ, ରାୟଗଡ଼ା ଜିଲ୍ଲାରୁ କୈଳାଶ ସିକ୍କା ଯୋଗଦେଇ ସେମାନେ ସଂପୃକ୍ତ ଗୋଷ୍ଠୀର ଲୋକମାନଙ୍କୁ ବିଭିନ୍ନ ସରକାରୀ ସେବା ପ୍ରଦାନରେ ପୂର୍ବରୁ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ସିୱାଇଏସଡ଼ି ସହିତ ଯୋଡ଼ି ଶିକ୍ଷା ଲାଭ କରି ଏବେ କିପରି ସେମାନଙ୍କର ବିଭିନ୍ନ ଅସୁବିଧାର ସମାଧାନ ହୋଇପାରୁଛି, ସେ ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିଥିଲେ ।

ଏହି ଅବସରରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ନେତୃବୃନ୍ଦ ଓ ସଂଗଠନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋରାପୁଟ ବୈପାରିଗୁଡାର ମୁଦୁଲିଗୁଡା ଲେବର ସଲିଡାରିଟି ଗ୍ରୁପ୍ ଓ ସବୁଜିମା ପ୍ରଡ୍ୟୁସର କମ୍ପାନୀଙ୍କୁ ଯଥାକ୍ରମେ “ଜିରୋ ମାଇଗ୍ରେସନ୍” ଏବଂ ବାଜରାରେ ମୂଲ୍ୟ ସଂଯୋଜନ(ଭାଲ୍ୟୁ ଆଡିସନ) ମାଧ୍ୟମରେ ମହିଳା ସଶକ୍ତିକରଣ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋରାପୁଟ ଦଶମନ୍ତପୁରର ମା’ ପାଟଖଣ୍ଡା ଉତ୍ପାଦକ ଗୋଷ୍ଠୀ ଜୈବିକ ପଦ୍ଧତିରେ ଷ୍ଟ୍ରବେରୀ ଚାଷ ପାଇଁ ସ୍ୱୀକୃତି ପାଇଥିବା ବେଳେ କେନ୍ଦୁଝରର ସାହାରାପଡ଼ା କୃଷକ ଉତ୍ପାଦକ କମ୍ପାନୀ ନର୍ସରୀ ଚାରା ଉତ୍ପାଦନ ଓ ବାଜରା ପ୍ରକ୍ରିୟାକରଣ ପାଇଁ ସ୍ୱୀକୃତି ଲାଭ କରିଛନ୍ତି । ସିୱାଇଏସଡ଼ି ପକ୍ଷରୁ ରମେଶ ସ୍ୱାଇଁ ବ୍ଲକ ସ୍ତରୀୟ ଯୋଜନା ସହିତ ପଞ୍ଚାୟତ ଯୋଜନା ମଧ୍ୟରେ ସମନ୍ୱୟ ରହିବା, ପଞ୍ଚାୟତ ଓ ଆଦିବାସୀ ବିକାଶ ବିଭାଗ ସହିତ ସମନ୍ୱୟର ଆବଶ୍ୟକ ଥିବା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । କମନ୍ ସର୍ଭିସ୍ ସେଣ୍ଟର୍ ଗୁଡିକରେ ନେଟୱର୍କ ସମସ୍ୟାର ସମାଧାନ ସହିତ ଆସୁଥିବା ହିତାଧିକାରୀଙ୍କ ସମସ୍ୟାଗୁଡ଼ିକର ସଂପୃକ୍ତ କେନ୍ଦ୍ରରେ ତତ୍କାଳ ସମାଧାନ ପାଇଁ ସେ ଦୃଷ୍ଟି ଆକର୍ଷଣ କରାଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା “ଓଡିଶା ବିକାଶ କନକ୍ଲେଭ” ରିପୋର୍ଟ ଲୋକାର୍ପିତ ହୋଇଥିଲା । ସିୱାଇଏସଡ଼ିର ପ୍ରତିଷ୍ଠାତା ଶ୍ରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ଗ୍ରାମ ବିକାଶର ପ୍ରତିଷ୍ଠାତା ଜୋ ମାଡିଏଥ୍ ଉପସ୍ଥିତ ରହି ଏପରି ସାମାଜିକ କାର୍ଯ୍ୟରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରି ସ୍ୱେଚ୍ଛାସେବୀ ଓ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking