ନୂଆଦିଲ୍ଲୀ: ସୋମବାର ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ନ୍ୟାୟିକ ସେବାରେ ନିଯୁକ୍ତି ଦେବାର ଅଧିକାରକୁ ଦୃଢ଼ ସମର୍ଥନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଶାରୀରିକ ଅକ୍ଷମତା କୌଣସି ଏକ ପ୍ରକିୟାରୁ କାହାକୁ ବାଦ ଦେବାର କେବେହେଲେ କାରଣ ହୋଇପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ଦୃଷ୍ଟିହୀନ ବା ଦୃଷ୍ଟିବାଧିତ ପ୍ରାର୍ଥୀଙ୍କୁ ଜିଲ୍ଲା ନ୍ୟାୟପାଳିକାରେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ଯୋଗ୍ୟ ଘୋଷଣା କରିଛନ୍ତି। କିଛି ରାଜ୍ୟରେ ନ୍ୟାୟିକ ସେବାରେ ଏପରି ପ୍ରାର୍ଥୀଙ୍କୁ ସଂରକ୍ଷଣ ପ୍ରଦାନ କରିବାକୁ ମନା କରିବା ସମ୍ପର୍କିତ ଏକ ସ୍ୱତଃପ୍ରବୃତ୍ତ ମାମଲା ସମେତ ଅନେକ ଆବେଦନର ଶୁଣାଣି କରି ବିଚାରପତି ଜେବି ପାରଡିୱାଲା ଏବଂ ଆର ମହାଦେବନଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ, ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କୁ ନ୍ୟାୟିକ ସେବାରେ ନିଯୁକ୍ତି ପ୍ରଦାନକୁ ମନା କରାଯାଇପାରିବ ନାହିଁ। କେବଳ ଦୃଷ୍ଟିବାଧିତ ନୁହନ୍ତି, ଯେକୌଣସି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ତାଙ୍କ ଶାରୀରିକ ଭିନ୍ନକ୍ଷମତାକୁ ଆଳକରି ନ୍ୟାୟିକ ସେବାରେ ନିଯୁକ୍ତିରୁ ବାଦ୍ ଦିଆଯିବା ଅନୁଚିତ। ଏଥିସହ ମଧ୍ୟପ୍ରଦେଶ ସରକାରଙ୍କ ଏ ସମ୍ପର୍କିତ ଏକ କଟକଣାକୁ ଅଦାଲତ ଖାରଜ କରିଦେଇଛନ୍ତି।
କିଛି ରାଜ୍ୟର ନ୍ୟାୟିକ ସେବାରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସଂରକ୍ଷଣ ଦେବାକୁ ମନା କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ୫ଟି ପିଟିଶନ ଆବେଦନକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବାବେଳେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ସେବା ପରୀକ୍ଷା (ନିଯୁକ୍ତି ଓ ସେବା ସର୍ତ୍ତ) ରୁଲ୍ସ ୧୯୯୪ର ନିୟମ ୬ଏ ଏବଂ ୭କୁ ନେଇ ନିଜ ଆଡ଼ୁ ଗୋଟିଏ ମାମଲା ରୁଜୁ କରିଥିଲେ। ସ୍ୱଳ୍ପ ଦୃଷ୍ଟିଶକ୍ତି ସମ୍ପନ୍ନ ଓ ଆଦୌ ଦେଖି ପାରୁ ନ ଥିବା ପ୍ରାର୍ଥୀଙ୍କୁ ବିଚାର ବିଭାଗରେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଉପରୋକ୍ତ ନିୟମରେ ଉଲ୍ଲେଖ ରହିଛି। ତେବେ ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଆର୍ ମହାଦେବନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଡିସେମ୍ବର ୩ (ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ)ରେ ଏହି ସମସ୍ତ ମାମଲାର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ। ସୋମବାର ସୁପ୍ରିମକୋର୍ଟ ଏହା ଉପରେ ରାୟ ଶୁଣାଇ କହିଛନ୍ତି, ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିବା ପର୍ସନ୍ସ ୱିଥ୍ ଡିଜାବିଲିଟିଜ୍ (ପିଡବ୍ଲ୍ୟୁଡି) ପ୍ରାର୍ଥୀମାନେ ନ୍ୟାୟିକ ସେବାରେ ନିଯୁକ୍ତି ପାଇଁ ଯୋଗ୍ୟ। ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଖାଲି ପଦବୀରେ ସେମାନଙ୍କୁ ନିଯୁକ୍ତି ଦିଆଯାଇପାରିବ। ଭିନ୍ନକ୍ଷମମାନେ କୌଣସି ଭେଦଭାବର ସମ୍ମୁଖୀନ ହେବା ଅନୁଚିତ ନୁହେଁ।
ରାଜ୍ୟଗୁଡ଼ିକ ଏଭଳି ବ୍ୟକ୍ତିଙ୍କ ନିଯୁକ୍ତି ସକାଶେ ସମାବେଶୀ ଢାଞ୍ଚା ପ୍ରସ୍ତୁତ ପାଇଁ ସକାରାମତ୍କ ପଦକ୍ଷେପ ନେବା ଜରୁରୀ। କୌଣସି ଆଶାୟୀଙ୍କୁ କେବଳ ଭିନ୍ନକ୍ଷମତା ଆଧାରରେ ନିଯୁକ୍ତି ପ୍ରଦାନରୁ ମନା କରାଯାଇପାରିବ ନାହିଁ। ପର୍ସନ୍ସ ୱିଦ୍ ଡିଜାବିଲିଟିଜ୍ ଆକ୍ଟ, ୨୦୧୬ରେ ପ୍ରଦତ୍ତ ଅଧିକାର ବଳରେ ସରକାର ସେମାନଙ୍କୁ ଚାକିରି ଦେବେ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରକାଶ ଯେ, ଗତବର୍ଷ ନଭେମ୍ବର ୭ରେ ଖଣ୍ଡପୀଠ ସାରା ଦେଶର ନ୍ୟାୟିକ ସେବା ନିଯୁକ୍ତିରେ ଦିବ୍ୟାଙ୍ଗଙ୍କୁ ସମାନ ସୁଯୋଗ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଅନେକ ନିର୍ଦ୍ଦେଶନାମା ଜାରି କରିଥିଲେ।










