ନାଗପୁର: କରୁଣ ନାୟର୍ଙ୍କ ଶତକ ଏବଂ ଦାନିଶ୍ ମାଲେୱର୍ଙ୍କ ଅର୍ଦ୍ଧଶତକ ସହାୟତାରେ କେରଳ ବିପକ୍ଷ ଚଳିତ ରଣଜୀ ଟ୍ରଫି ଫାଇନାଲ୍ର ବିଦର୍ଭ ୨୮୬ ରନ୍ର ଅଗ୍ରଣୀ ହାସଲ କରିଛି। ଚତୁର୍ଥ ଦିନ ଷ୍ଟମ୍ପ୍ସ ବେଳକୁ ବିଦର୍ଭ ଦ୍ୱିତୀୟ ଇନିଂସ୍ରେ ୪ ୱିକେଟ୍ ହରାଇ ୨୪୯ ରନ୍ କରିଛି। କରୁଣ ନାୟର୍ ୧୩୨ ଏବଂ କ୍ୟାପ୍ଟେନ୍ ଅକ୍ଷୟ ୱାଡ଼କର ୪ ରନ୍ କରି ଅପରାଜିତ ରହିଛନ୍ତି। ନାଗପୁରର ବିଦର୍ଭ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଖେଳାଯାଉଥିବା ମ୍ୟାଚ୍ର ତୃତୀୟ ଦିନରେ ବିଦର୍ଭର ହର୍ଷ ଦୁବେ ଓ ପାର୍ଥ ରେଖାଡ଼େ ୩-୩ ୱିକେଟ୍ ନେଇ ପ୍ରଥମ ଇନିଂସ୍ରେ କେରଳକୁ ୩୪୨ ରନ୍ରେ ଅଲ୍ଆଉଟ୍ କରିଦେଇଥିଲେ। ପୂର୍ବରୁ ବିଦର୍ଭ ପ୍ରଥମ ଇନିଂସ୍ରେ ୩୭୯ ରନ୍ କରିଥିଲା। ଫଳରେ ଅକ୍ଷୟ ୱାଡ଼କରଙ୍କ ନେତୃତ୍ୱାଧୀନ ଟିମ୍ ୩୭ ରନ୍ର ଅଗ୍ରଣୀ ଲାଭ କରିଥିଲା।
ଚତୁର୍ଥ ଦିନର ଖେଳ ବିଦର୍ଭର ଦ୍ୱିତୀୟ ଇନିଂସ୍ରୁ ଆରମ୍ଭ ହୋଇଥିଲା। ତେବେ ଟିମ୍ର ଆରମ୍ଭ ଖରାପ ରହିଥିଲା। ପାର୍ଥ ରେଖାଡ଼େ (୧)ଙ୍କୁ ଜଳଜ ସାକ୍ସେନା ବୋଲ୍ଡ ଆଉଟ୍ କରିବା ପରେ ମହମ୍ମଦ ଆଝାରୁଦ୍ଦିନ୍ଙ୍କ ହାତରେ ଧ୍ରୁବ ଶୋରେଙ୍କୁ ନିଧିଶ କ୍ୟାଚ୍ ଆଉଟ୍ କରାଇଥିଲେ। ସାତ ରନ୍ରେ ଦୁଇଟି ୱିକେଟ୍ ହରାଇଥିବା ବିଦର୍ଭ ପାଇଁ ଦାନିଶ ମାଲେୱର୍ ଓ କରୁଣ ନାୟର ସଙ୍କଟମୋଚନ ସାବ୍ୟସ୍ତ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୧୮୨ ରନ୍ର ଭାଗୀଦାରି ହୋଇଥିଲା। ଦାନିଶଙ୍କୁ ସଚିନ୍ ବେବିଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଅକ୍ଷୟ ଚନ୍ଦ୍ରନ୍ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ।
ଦାନିଶ ୧୬୨ ବଲ୍ରେ ପାଞ୍ଚ ଚୌକା ସହାୟତାରେ ୭୩ ରନ୍ର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ବ୍ୟତୀତ ୟଶ୍ ଠାକୁର ୨୪ ରନ୍ କରିଥିଲେ। ସେହିପରି କରୁଣ ନାୟକ ୧୩୨ ଏବଂ ଅକ୍ଷୟ ୱାଡ଼କର ୪ ରନ୍ କରି ଅପରାଜିତ ରହିଛନ୍ତି। ୧୮୪ ରନ୍ରେ ଶତକ ପୂରଣ କରିଥିବା ନାୟର୍ ୨୮୦ ବଲ୍ରୁ ୧୦ ଚୌକା ଓ ଦୁଇଟି ଛକା ସହାୟତାରେ ୧୩୨ ରନ୍ କରି ଅପରାଜିତ ଅଛନ୍ତି। ଏହା ତାଙ୍କ ପ୍ରଥମଶ୍ରେଣୀ କ୍ୟାରିୟର୍ର ୨୩ତମ ଏବଂ ଚଳିତ ସିଜନ୍ର ନବମ ଶତକ। କେରଳ ପକ୍ଷରୁ ନିଧିଶ, ଜଳଜ, ଆଦିତ୍ୟ ଓ ଅକ୍ଷୟ ୧-୧ ୱିକେଟ୍ ହାସଲ କରିଛନ୍ତି।










