କଟକ: ଅନ୍ୟ ଏକ ବିଦ୍ୟାଳୟରେ କାର୍ଯ୍ୟ କରିବା ସହ ସେଠାରୁ ସୁବିଧା ସୁଯୋଗ ପାଇବା ପରେ ପୂର୍ବ ବିଦ୍ୟାଳୟ ଚାକିରୀର ସୁବିଧା ପ୍ରଦାନ ପାଇଁ ଆଗତ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି । ଅତ୍ୟଧିକ ବିଳମ୍ବ କାରଣରୁ ପୂର୍ବ ବିଦ୍ୟାଳୟରେ ଚାକିରୀ ନିୟମିତ ପ୍ରାର୍ଥନା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ପାଇଁ ହୋଇଥିôା ଆବେଦନକୁ ଅଗ୍ରାହ୍ୟ କରାଯାଇପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଆବେଦନକାରୀ ତପସ୍ୱିନୀ ଆଚାର୍ଯ୍ୟଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଶଶୀକାନ୍ତ ମିଶ୍ର ଉପରୋକ୍ତ ଆଦେଶ ଦେଇଛନ୍ତି। ଆବେଦନକାରୀ ବିଏସ୍ସି (ବିଇଡି) ଯୋଗ୍ୟତା ଆଧାରରେ ୧୯୯୧ ମସିହା ଜୁଲାଇ ୪ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ଆଖୁଆ ଓଡଙ୍ଗ ହାଇସ୍କୁଲ୍ରେ ବିଦ୍ୟାଳୟର ପରିଚାଳନା ପରିଷଦ ଦ୍ୱାରା ଆଡିସିନାଲ୍ ଟ୍ରେନ୍ଡ ଗ୍ରାଜୁଏଟ୍ ପଦବୀରେ ନିଯୁକ୍ତି ପାଇଥିଲେ । ଏହା ପରେ ୧୯୯୬ ବିଦ୍ୟାଳୟ ପରିଚାଳନା ପରିଷଦ ତାଙ୍କର ନିଯୁକ୍ତି ଅନୁମୋଦନ ନିମନ୍ତେ ବିଭାଗୀୟ କର୍ତୃପକ୍ଷଙ୍କ ନିକଟକୁ ପଠାଇଥିଲେ । ତେବେ ଆବେଦନକାରୀ ୧୯୯୬ ମସିହାରେ ଇନ୍ସର୍ଭିସ୍ ବିଇଡି ଯୋଗ୍ୟତା ହାସଲ କରିଥିବାରୁ ତାଙ୍କ ନିଯୁକ୍ତିକୁ ଅନୁମମୋଦନ କରାଯାଇନଥିଲା । ଏପରି ନିର୍ଦ୍ଦେଶ ବିରୋଧରେ ସେ ଅଦାଲତଙ୍କ ଆଶ୍ରୟ ନେଇଥିଲେ । କୋର୍ଟ ମାମଲାର ଶୁଣାଣି କରି ୧୯୯୮ ମସିହାରେ ଉପଯୁକ୍ତି ଯାଞ୍ଚ କରିବାକୁ ଶିକ୍ଷା ନିର୍ଦ୍ଦେଶକଙ୍କୁ ଆଦେଶ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା ।
ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୦୦ ମସିହା ଏପ୍ରିଲ୍ ୨୪ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଥିରେ ଯେଉଁମାନେ ୧୯୯୪ ମସିହା ମଇ ୭ ତାରିଖ ସୁଦ୍ଧା ବିଇଡି ଯୋଗ୍ୟତା ହାସଲ କରିନଥିବେ ସେମାନଙ୍କୁ ଚାକିରୀରୁ ଅନ୍ତର କରାଯିବ ବୋଲି ଦର୍ଶାଯାଇଥିଲା । ବିଭାଗର ଏପରି ନିର୍ଦ୍ଦେଶନାମା ବିରୋଧରେ କ୍ୟାଟ୍ରେ ଏକାଧିକ ଆବେଦନ ଆବେଦନ ହୋଇଥିଲା । କ୍ୟାଟ୍ ଏହାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉକ୍ତ ନିର୍ଦ୍ଦେଶନାମାକୁ ଖାରଜ କରିବା ସହ ନିଯୁକ୍ତିକୁ ଅନୁମୋଦନ କରିଥିଲେ । କ୍ୟାଟ୍ଙ୍କ ଉପରୋକ୍ତ ନିର୍ଦ୍ଦେଶନାମା ଆଧାରରେ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଆବେଦନକାରୀ ଶିକ୍ଷା ନିର୍ଦ୍ଦେଶଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ଫଳରେ ଆବେଦନକାରୀ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କ ପିଟିସନ୍ରେ ଦର୍ଶଇଥିଲେ ଯେ ତାଙ୍କ ନିଯୁକ୍ତିକୁ ଖାରଜ କରାଯାଇଥିବା ବେଳେ ସେ ଇତି ମଧ୍ୟରେ ଅନ୍ୟ ଏକ ବିଦ୍ୟାଳୟରେ ନିଯୁକ୍ତି ପାଇଛନ୍ତି ।
ପୂର୍ବ ବିଦ୍ୟାଳୟରୁ ତାଙ୍କୁ ଅନ୍ତ କରାଯିବା ବେଳେ ସେ ଅନ୍ୟ ଏକ ବିଦ୍ୟାଳୟରେ ଶିକ୍ଷକତା କରିବା ବେଆଇନ ନୁହେଁ । ହାଇକୋର୍ଟ ଏହାର ଶୁଣାଣି କରି ଦର୍ଶାଇଥିଲେ ଯେ ଆବେଦନକାରୀଙ୍କ ଆବେଦନ କରିବାରେ ବହୁ ବିଳମ୍ବ ହୋଇଛି । ସେ ୧୯୯୮ ମସିହାରୁ ୨୦୧୩ ପର୍ଯ୍ୟନ୍ତ ଆବେଦନ କରିନଥିଲେ । ଏଥିସହିତ ଉପରୋକ୍ତ ପ୍ରସଙ୍ଗରେ ରୁଜୁ ମାମଲାରେ କ୍ୟାଟ୍ ୨୦୦୩ ମସିହାରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆବେଦନକାରୀ କୋର୍ଟଙ୍କୁ ଅପିଲ୍ କରିନାହଁନ୍ତି । ଆବେଦନକାରୀ ଅନ୍ୟ ଏକ ବିଦ୍ୟାଳୟରେ କାର୍ଯ୍ୟରତ ସମୟରେ ତାଙ୍କୁ ମଧ୍ୟ ବ୍ଲକ୍ ଗ୍ରାଂଟ୍ ମିଳିଛି । ସେ ସେହି ବିଦ୍ୟାଳୟରେ ବେତନଭୋଗୀ ହୋଇଥିବାରୁ ସେ କ୍ୟାଟ୍ରେ ଆବେଦନ କରିବାକୁ ଆବଶ୍ୟକ ମନେ କରିନାହାନ୍ତି । ଏପରିସ୍ଥଳେ ଆବେଦନକାରୀ ପୂର୍ବ ବିଦ୍ୟାଳୟରେ କାର୍ଯ୍ୟକୁ ଦର୍ଶାଇ ସେଥିପାଇଁ ଚାକିରୀ ନିୟମତି କରିବା ସହ ଅନ୍ୟାନ୍ୟ ସୁବିଧା ପାଇବା ନିମନ୍ତେ ଆବେଦନ କରିବା ମଧ୍ୟ ଭୁଲ୍ । ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ମନ୍ତବ୍ୟ ଦେବା ସହିତ ଆବେଦନକାରୀଙ୍କ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ।










