22.1 C
Bhubaneswar
Friday, February 13, 2026
Homeଓଡିଶାରାଜ୍ୟ ସରକାରଙ୍କ ଅଚ୍ୟୁତ ସାମନ୍ତଙ୍କୁ ସୁରକ୍ଷା ଦେଉଛନ୍ତି: ଛାତ୍ର ଓ ଯୁବ କଂଗ୍ରେସ

ରାଜ୍ୟ ସରକାରଙ୍କ ଅଚ୍ୟୁତ ସାମନ୍ତଙ୍କୁ ସୁରକ୍ଷା ଦେଉଛନ୍ତି: ଛାତ୍ର ଓ ଯୁବ କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ, ପ୍ରଦେଶ ଛାତ୍ର କଂଗ୍ରେସ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଛାତ୍ର କଂଗ୍ରେସ କମିଟି ପକ୍ଷରୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ଏହାର ପରବର୍ତୀ ପରିସ୍ଥିତିରେ ନେପାଳୀ ଛାତ୍ର ଛାତ୍ରୀମାନଙ୍କୁ ଜବରଦସ୍ତକରି ବଳପୂର୍ବକ କିଟ୍ ହଷ୍ଟଲରୁ ତଡି ଦିଆଯାଇଛି। ଏହି ପ୍ରସଙ୍ଗରେ କିଟ୍ ପ୍ରତିଷ୍ଠାତା ସାମନ୍ତଙ୍କ ଭୂମିକାକୁ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହି ଛାତ୍ରଛାତ୍ରୀମାନେ ସାଇନ୍ ଏ ଡାଏ ଘୋଷଣା ହେବା ପରେ ଏବଂ କିଟ୍ କର୍ତୃପକ୍ଷଙ୍କ ଠାରୁ ଅତ୍ୟାଚାରିତ ହୋଇ ହଷ୍ଟେଲରୁ ବାହାରିବା ପରେ ଉପାସ ଭୋକରେ ରହିଲେ। ସେମାନେ ବହୁ କଷ୍ଟରେ ନେପାଳ ଫେରିଗଲେ। ମୂଳ କଥାଟି ହେଉଛି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଷଡଯନ୍ତ୍ର କରି ନିଜ କର୍ମଚାରୀମାନଙ୍କୁ ଏଥିରେ ଫସାଇ ନିଜେ ଦୋଷମୁକ୍ତ ହୋଇଯାଉଛନ୍ତି।

ଅଚ୍ୟୁତ ସାମନ୍ତଙ୍କ ବିନା ନିର୍ଦ୍ଦେଶରେ କିଟ୍‌ରେ ଗଛପତ୍ର ହଲେ ନାହିଁ। ସୁତରାଂ ନେପାଳୀ ଛାତ୍ରୀଛାତ୍ରୀଙ୍କ ଉପରେ ଯେଉଁ ନିର୍ଯ୍ୟାତନା ଦିଆଯାଇଥିଲା ତାହା ସାମନ୍ତଙ୍କ ନିର୍ଦ୍ଦେଶରେ ହୋଇଥିଲା ବୋଲି ସଂଗଠନ ପକ୍ଷରୁ କୁହାଯାଉଛି। କିଟ୍ ପରିସରରେ ପ୍ରତିବର୍ଷ ମୃତ୍ୟୁ ଘଟଣା ଖବର ପ୍ରସାରିତ ହେଉଛି ମାତ୍ର ଏହାର ସଠିକ୍ ତଦନ୍ତ ହୋଇପାରୁନାହିଁ। କାରଣ କିଟ୍‌ର ପ୍ରତିଷ୍ଠାତା ଶ୍ରୀ ସାମନ୍ତ ପ୍ରଶାସନକୁ ପ୍ରଭାବିତ କରିବାରେ ସଫଳ ହୋଇପାରୁଛନ୍ତି। କିଟ୍‌ରେ ଛାତ୍ରୀ ଅସୁରକ୍ଷିତ। ସେଠରେ ଶୈକ୍ଷିକ ବାତାବରଣ ନାହିଁ। ସରକାରଙ୍କ ପାଖରେ ନିଶ୍ଚିତ ଭାବେ ଏ ଖବର ଅଛି କିନ୍ତୁ ଏହାର ପ୍ରତିକାର କରିବାକୁ ସରକାର ପଛଘୁଞ୍ଚା ଦେଉଛନ୍ତି। କିଟ୍ କେଳେଙ୍କାରୀକୁ ନେଇ ଓଡ଼ିଶାରେ ଘରେ ଘରେ ଚର୍ଚ୍ଚା ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଘଟଣା ସଂପର୍କରେ କୌଣସି ଟିପ୍ପଣି ନଦେବା ଆଶ୍ଚର୍ଯ୍ୟଜନକ କଲା?

ଶ୍ରୀ ସାମନ୍ତ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଯେଉଁ ଭିତିରି ସଂପର୍କ ରହିଛି ତାହା ଜଳଜଳ ହୋଇ ଦିଶୁଛି। ଯଦି ଅଚ୍ୟୁତ ସାମନ୍ତ ଗିରଫ ନ ହୁଅନ୍ତି ତେବେ ଆମର ଓ ଓଡ଼ିଶାର ସାଧାରଣ ଜନତାଙ୍କର ଯେଉଁ ସନ୍ଦେହ ପ୍ରକଟିତ ହୋଇଛି ତାହା ସତ୍ୟ ବୋଲି ପ୍ରମାଣିତ ହେବ। ବିଶ୍ୱବିଦ୍ୟାଳୟର କର୍ତୃପକ୍ଷଙ୍କ ଦ୍ୱାରା ଛାତ୍ରଛାତ୍ରୀମାନେ ଅତ୍ୟାଚାରିତ ହୋଇ ଅସହାୟ ହୋଇପଡ଼ୁଛନ୍ତି। ସେମାନଙ୍କୁ ନ୍ୟାୟ ଦେବା ସରକାରଙ୍କ କର୍ତବ୍ୟ। ଏଣୁ ସ୍ୱତନ୍ତ୍ର ଭାବେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଏବଂ ସଂପକ୍ତ ଶିକ୍ଷାନୁଷ୍ଠାନର ନିକଟବର୍ତି ଥାନାରେ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉ, ଯେଉଁଠାରେ ଛାତ୍ରଛାତ୍ରୀମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିପାରିବେ ଓ ନ୍ୟାୟ ଭିକ୍ଷା କରିପାରିବେ। କିଟ୍ ଯେଉଁଭଳି ଭାବରେ ପରିଚାଳିତ ହେଉଛି ଏଥିରୁ ସ୍ପଷ୍ଟ ହେଉଛି ଯେ କିଟ୍ ପାଖରେ ଆଉ ଡିମିଡ୍ ୟୁନିଭରସିଟ୍ ମାନ୍ୟତା ରହିବା ଉଚିତ୍ ନୁହେଁ। ତେଣୁ ତୁରନ୍ତ ଏହି ମାନ୍ୟତା ପ୍ରତ୍ୟାହାର କରିନିଆଯାଉ। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର କିଟ୍ ୟୁନିଭରସିଟିକୁ ସ୍ୱତନ୍ତ୍ର ଭାବେ ନିୟନ୍ତ୍ରଣ କରିବାକୁ ବ୍ୟବସ୍ଥା କରନ୍ତୁ। ନେପାଳୀ ଓ ଅନ୍ୟ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ଦିଆଯାଉ।

ନେପାଳ ଓ ଭାରତ ମଧ୍ୟରେ ବହୁ ପୁରୁଣା ସାଂସ୍କୃତିକ ଓ ଧାମିର୍କ କ୍ଷେତ୍ରରେ ନିବିଡ଼ ସଂପର୍କ ରହିଛି। ମାତ୍ର ସାମନ୍ତ ଏହି ଯୁଗ ଯୁଗର ସୁ ସଂପର୍କକୁ କ୍ଷୁର୍ଣ୍ଣ କରିଛି। ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ଓଡ଼ିିଶାକୁ ଶ୍ରୀ ସାମନ୍ତ ନିନ୍ଦିତ କରୁଛନ୍ତି। ଅନ୍ୟପକ୍ଷରେ ଶ୍ରୀ ସାମନ୍ତ କିଟ୍ ୟୁନିଭରସିଟିର ଉନ୍ନତି ଆଳରେ ବହୁ ଜଙ୍ଗଲ ଜମି, ଗୋଚର ଜମି ଓ ଆଦିବାସୀ ଜମି ବେଆଇନ ଭାବେ ଦଖଲ କରିଛନ୍ତି। ଏପରିକି ବହୁ ନିରିହ ଲୋକଙ୍କର ଜମି ମଧ୍ୟ ଶ୍ରୀ ସାମନ୍ତ ସେଠାରେ ମାଡ଼ି ବସିଛନ୍ତି। ସରକାରୀ ଜମିକୁ ଶ୍ରୀ ଅଚ୍ୟୁତ ସାମନ୍ତଙ୍କ କବଜ୍ଜାରୁ ମୁକ୍ତ କରିବା ସହ ସାଧାରଣ ଲୋକଙ୍କ ଜମିକୁ ସେମାନଙ୍କୁ ଫେରାଇବାକୁ ସରକାର ବ୍ୟବସ୍ଥା କରନ୍ତୁ। ଶିକ୍ଷା ମାଫିଆ, ଜମି ଜବରଦଖଲକାରୀ ଓ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଶୋଷଣକାରୀ ଶ୍ରୀ ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଚୁନୁ ସିଂ, ଉଦ୍ଦିତ ପ୍ରଧାନ, ମହମ୍ମଦ ଇମ୍‌ଦାର, କିରଣ ସାହୁ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ଅଖିଳେଷ ଯାଦବ, ସ୍ୱାଗତ କର, ଅମରେଶ ପରିଡ଼ା, ସୌମ୍ୟ ବରାଳ, ଶୁଭମ ରାଜ, ରାଜେଶ ଦାସ, କିର୍ତିମାନ ନାୟକ, ସରୋଜ ବାରିକ, ଲେଲିନ୍ ଜେନା, ସତ୍ୟ ମହାଳିକ୍‌, ଯୁବରାଜ ମହାନନ୍ଦ ଓ ଆଶିଷ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking