ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନ୍ଙ୍କ ବିରୋଧରେ ଜମି କିଣା-ବିକା ଘୋଟାଲା ସହ ଜଡିତ ମନି ଲଣ୍ଡରିଂ ମାମଲା ପରିଚାଳନା କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମଙ୍ଗଳବାର ଅନୁମତି ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୧୪ ଫେବୃଆରୀରେ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ଏନେଇ ଅନୁମତି ମାଗିଥିଲା। ତେବେ ରାଷ୍ଟ୍ରପତିଙ୍କ ମଞ୍ଜୁରି ସହ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଥିବା ସତ୍ୟେନ୍ଦ୍ର ଜୈନ୍ଙ୍କ ବିରୋଧରେ ଏବେ ବିଏନ୍ଏସ୍ (ଭାରତୀୟ ନ୍ୟାୟ ସଂହିତା) ଧାରା ୨୧୮ ଅନ୍ତର୍ଗତ ମାମଲା ଜାରିରହିବ। କେବଳ ସେତିକି ନୁହେଁ, ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କର୍ତ୍ତୃପକ୍ଷ ମଧ୍ୟ ଏବେ ଯେକୌଣସି ମୁହୂର୍ତ୍ତରେ ସତ୍ୟେନ୍ଦ୍ର ଜୈନ୍ଙ୍କୁ ଗିରଫ କରିପାରେ। ରିପୋର୍ଟ ଅନୁସାରେ ଇଡି ତଦନ୍ତ ଏବଂ ପର୍ଯ୍ୟାପ୍ତ ପ୍ରମାଣ ଆଧାରରେ ଗୃହ ମନ୍ତ୍ରଣାଳୟ ସତ୍ୟେନ୍ଦ୍ର ଜୈନ୍ଙ୍କ ବିରୋଧରେ ମାମଲା ଜାରି ରଖିବା ନେଇ ଅନୁମତି ଦେବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲା।
ବାସ୍ତବରେ ଯେଉଁ ସମୟରେ ଏହି ମାମଲା ସତ୍ୟେନ୍ଦ୍ର ଜୈନ୍ଙ୍କ ବିରୋଧରେ ଫ୍ରେମ୍ କରାଯାଇଥିଲା ସେହି ସମୟରେ ସେ ଦିଲ୍ଲୀର ଅନ୍ୟତମ ବିଧାୟକ ଥିଲେ। ଏଥିପାଇଁ ତାଙ୍କ ବିରୋଧରେ ବିଏନ୍ଏସ୍ ଧାରା ୨୧୮ ଅନ୍ତର୍ଗତ ମାମଲା ଜାରି ରଖିôବାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରିର ଆବଶ୍ୟକତା ରହିଥିଲା। କିନ୍ତୁ କେତେକ ମାମଲାରେ ଇଡି, ସିବିଆଇ ପ୍ରଥମେ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିଥାଏ ଏବଂ ପରେ ଅନୁମତି ଲୋଡିଥାଏ। ସତ୍ୟେନ୍ଦ୍ର ଜୈନ୍ଙ୍କ ବିରୋଧରେ ୪ ଫେକ୍ କମ୍ପାନୀ ମାଧ୍ୟମରେ ମନି ଲଣ୍ଡରିଂ କରିଥିବା ଅଭିଯୋଗ ରହିଛି। ଇଡି ପକ୍ଷରୁ ଅଣାଯାଇଥିବା ଏପ୍ରକାର ଅଭିଯୋଗରେ ଦର୍ଶାଯାଇଛି ଯେ, ଏହି ୪ ଜାଲ୍ କମ୍ପାନୀ ମାଧ୍ୟମରେ ମିଳିଥିବା କୋଟି କୋଟି ଟଙ୍କାକୁ ୧୪ ଫେବ୍ରୂୁଆରୀ ୨୦୧୫ରୁ ୩୧ ମେ ୨୦୧୭ ମଧ୍ୟରେ ଅନେକ ଲୋକଙ୍କ ନାମରେ ସଚଳ ସମ୍ପତ୍ତି କ୍ରୟ କରାଯାଇଥିଲା।










