30.1 C
Bhubaneswar
Sunday, February 8, 2026
Homeଓଡିଶାଆସନ୍ତାକାଲି ଓଡ଼ିଶା ଆସିବେ ଭାରତ ଓ ଇଂଲଣ୍ଡ ଦଳ; ୮ରେ ବାରବାଟୀରେ ଅଭ୍ୟାସ

ଆସନ୍ତାକାଲି ଓଡ଼ିଶା ଆସିବେ ଭାରତ ଓ ଇଂଲଣ୍ଡ ଦଳ; ୮ରେ ବାରବାଟୀରେ ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡ଼ିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ ଖେଳାଯିବ। ଆସନ୍ତାକାଲି ଦୁଇ ଦଳ ଭୁବନେଶ୍ୱରରେ ପହଞ୍ଚିବେ। ଦୁଇ ଦଳ ନାଗପୁରରୁ ସ୍ୱତନ୍ତ୍ର ଚାର୍ଟାଡ ବିମାନ ଯୋଗେ ସନ୍ଧ୍ୟା ୭ଟା୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏୟାରପୋର୍ଟରେ ଭବ୍ୟ ସ୍ୱାଗତ ଜଣାଇବା ସହ କଡା ସୁରକ୍ଷା ବଳୟ ଭିତରେ ସମସ୍ତଙ୍କୁ ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲ ମେ ଫେୟାରକୁ ଅଣାଯିବ। ଏହି ହୋଟେଲରେ ଖେଳାଳି, କୋଚ୍ ଏବଂ ମ୍ୟାଚ୍ ଅଫିସିଆଲମାନଙ୍କ ରହଣୀ ବ୍ୟବସ୍ଥା ହୋଇଛି। ପରେ ୮ ତାରିଖରେ ଉଭୟ ଦଳର ଅଭ୍ୟାସ ବାରବାଟୀ ଷ୍ଟାଡିୟମରେ ରହିଛି।

ଆଉ ତିନି ଦିନ ପରେ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ବିପକ୍ଷ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ଦିବସ ଯେତେ ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ବହୁ ପୂର୍ବରୁ କଟକରେ କ୍ରିକେଟ୍ର କ୍ରେଜ୍ ବାରି ହୋଇ ପଡ଼ଲାଣି। ରୋହିତ ବାହିନୀକୁ ଦେଖିବା ନିମନ୍ତେ କ୍ରିକେଟପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଭରି ହୋଇ ରହିଛି। ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ୪ ୱିିକେଟରେ ହରାଇଥିବା ଭାରତୀୟ ଦଳ ବାରବାଟୀରେ ବିଜୟୀ ହୋଇ ସିରଜ କବ୍ଚା କରିବା ଲକ୍ଷ୍ୟରେ ରହିଛି। ବାରବାଟୀରେ ଏହି ଦୁଇଦଳ ମୋଟ୍ ୫ଥର ମୁହାଁମୁହିଁ ହୋଇଛନ୍ତି। ଭାରତ ୩ଟି ଜିତିଥିା ବେଳେ ଇଂଲଣ୍ଡ ପକ୍ଷରେ ୨ଟି ବିଜୟ ରହିଛି। ଅନ୍ତିମ ଦୁଇ ମୁକାବିଲା ମଧ୍ୟ ଭାରତ ଜିତିଛି।

ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟ ନେଇ ଭାରତୀୟ ଦଳ ବାରବାଟୀ ଅଭିଯାନ କରିବ। ଶନିବାର ଅପରାହ୍ଣରେ ବାରବାଟୀ ଷ୍ଟାଡିୟମ୍‌କୁ ଉଭୟ ଦଳର ଖେଳାଳିମାନେ ଅଭ୍ୟାସ କରିବାକୁ ଆସିବେ। ସେଥିପାଇଁ ଆଜି ସନ୍ଧ୍ୟାରେ ମେ ଫେୟାର ହୋଟେଲରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ କାରକେଡ଼ ରିହଲସଲ କରାଯାଇଥିଲା। ଏହି କାରକୋଡ୍ ଦାୟିତ୍ୱରେ ଭୁବନେଶ୍ୱର ଡ଼ିସିପି ପିନାକି ମିଶ୍ର ରହିଛନ୍ତି। କାରକେଡ୍ ଟିମ୍‌ରେ କମିସନରେଟ୍ ପୁଲିସ ଟ୍ରାଫିକ ଡିସିପି ରହିଛନ୍ତି। କଟକରେ ଖେଳାଳିଙ୍କ ଗାଡ଼ି ପ୍ରବେଶ କରିବା ପରେ ପ୍ରତି ବ୍ଲକିଂ ପଏଣ୍ଟରୁ ଆଡଭାନ୍ସ ପାଇଲଟ୍‌ଭାବେ ଜଣେ ଲେଖାଏଁ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା କଟକ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

ଖେଳାଳିଙ୍କ ଗାଡ଼ି ମେ ଫେୟାରରୁ ବାହାରିବା ପରେ ୧୬ ନଂ ଜାତୀୟ ରାଜପଥ ଦେଇ କଟକ ଅଭିମୁଖେ ଆସିବ। ଏହାପରେ ମହାନଦୀ ରିଂଗ୍ ରୋଡ଼ ଦେଇ ବାରବାଟୀ ଷ୍ଟାଡିୟମ୍‌କୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଖେଳାଳିଙ୍କ ଗାଡ଼ି ଯାତାୟାତ ସମୟରେ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଖେଳାଳିମାନେ ଯିବା ପୂର୍ବରୁ କଟକଣା ଲାଗୁ କରାଯିବ। ସାଧାରଣ ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ମାତ୍ର ୨୦ ମିନିଟ୍ ପର୍ଯ୍ୟନ୍ତ ଅଟକାଯିବ ବୋଲି କମିସନରେଟ୍ ପୁଲିସର ଟ୍ରାଫିକ୍ ଡିସିପି ସୂଚନା ଦେଇଛନ୍ତି। ଏହି ସମୟରେ ଯଦି କୌଣସି ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ଯାଉଥାଏ, ତେବେ ଉକ୍ତ ଆମ୍ବୁଲାନ୍ସକୁ ଅଟକାଯିବ ନାହିଁ ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking