ନୂଆଦିଲ୍ଲୀ : ଯାହାକୁ ବାହା ହୋଇଥିଲେ ତାକୁ ଧୋକା ଦେଇ ଅନ୍ୟ ପୁରୁଷ ସହ ଚାଲିଗଲେ । କେବଳ ସେ ଏକା ଯାଇନାହାଁନ୍ତି , ସାଙ୍ଗରେ ନିଆଁରେ ସାତ ଘେରା ବୁଲି ବିବାହ କରିଥିବା ସ୍ୱାମୀଙ୍କ କିଡନୀ ବିକିଥିଲେ । ଏଥିରେ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିଥିଲା । ତାପରେ ସେହି ଟଙ୍କା ଧରି ନିଜ ପ୍ରେମିକ ସହ ଫେରାର ହୋଇଛନ୍ତି । ଏଭଳି ଅମାନବୀୟ ଘଟଣା ପଶ୍ଚିମବଙ୍ଗର ହାୱଡା ଜିଲ୍ଲା ସାଙ୍କ୍ରାଇଲ ବ୍ଲକର ଧୂଲାଗଡ଼ି ହଟ୍ଟାଲାଘଟିଛି । ସୂଚନା ଅନୁଯାୟୀ, ପିଣ୍ଟୁ ବେଜ୍ ନାମକ ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କର କିଡନୀ ବିକ୍ରି କରିବାକୁ ସ୍ତ୍ରୀ ବାଧ୍ୟ କରିଥିଲେ । ସ୍ୱାମୀଙ୍କ କିଡନୀ ବିକ୍ରି କରି ଯେଉଁ ୧୦ ଲକ୍ଷ ଟଙ୍କା ମିଳିଥିଲା ସେହି ଟଙ୍କାକୁ ନେଇ ସ୍ତ୍ରୀ ପ୍ରେମିକଙ୍କ ସହିତ ଚମ୍ପଟ ମାରିଥିଲେ। ପିଣ୍ଟୁଙ୍କ ପତ୍ନୀଙ୍କ ବିରୋଧରେ କୋଲକତା ହାଇକୋର୍ଟରେ ମାମଲା ଦାୟର ହୋଇଛି । ପିଣ୍ଟୁ କହିଛନ୍ତି, ତାଙ୍କ ସ୍ତ୍ରୀ ସୁପର୍ଣ୍ଣା ବାଏଜ୍ ତାଙ୍କୁ ବାରମ୍ବାର ଝିଅର ଭବିଷ୍ୟତ ଓ ବିବାହ ପାଇଁ ତାଙ୍କର ଗୋଟିଏ କିଡନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ । ପିଣ୍ଟୁ ନିଜ ସ୍ତ୍ରୀଙ୍କ ବୁଦ୍ଧିରେ କିଡନୀ ବିକ୍ରି କରି ୧୦ ଲକ୍ଷ ଟଙ୍କା ସ୍ତ୍ରୀ ହାତରେ ଦେଇଥିଲେ । ସୁପର୍ଣ୍ଣା ୧୦ ଲକ୍ଷ ଟଙ୍କା ସହିତ ସୁନା ଅଳଙ୍କାର ନେଇ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଛି । ପିଣ୍ଟୁଙ୍କ ଅଭିଯୋଗ ଆଧାରରେ କୋଲକତା ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା । ପିଣ୍ଟୁ ପ୍ରଥମେ ତାଙ୍କ ପତ୍ନୀଙ୍କ ନିଖୋଜ ହେବାର ଏକ ମାମଲା ଡାଏରୀ ନିକଟସ୍ଥ ଥାନାରେ ଲେଖିଥିଲେ ଏବଂ ପରେ ସ୍ତ୍ରୀକୁ ଖୋଜିବା ପାଇଁ ହାଇକୋର୍ଟରେ ଏକ ହେବିୟସ୍ କର୍ପସ୍ ମାମଲା ଦାୟର କରିଥିଲେ ।










