ୱାଶିଂଟନ୍: ଆମେରିକାର ନିଆଁ ଭୟଙ୍କର ରୂପ ନେଉଛି, ଲୋକେ ଘରୁ ବାହାରିବାକୁ ଡରିଲେଣି । ଆମେରିକାର ଲସଆଞ୍ଜେଲସ ସହର ସର୍ବାଧିକ କ୍ଷତି ହୋଇଛି । ବୁଧବାର ରାତିରୁ ସହରର ପୁଣି ଏକ ନୂଆ ଜଙ୍ଗଲକୁ ନିଆଁ ବ୍ୟାପିଛି । ଯାହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ସାଜିଛି । ଖବର ଅନୁଯାୟୀ, ମାତ୍ର କିଛି ସେକେଣ୍ଡରେ ୩୨ ଶହ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ନିଆଁ ବ୍ୟାପିଯାଉଛି । ଯେହେତୁ ପବନର ବେଗ ଅଧିକ ରହିଛି । ତେଣୁ ଖୁବକମ୍ ସମୟ ମଧ୍ୟରେ ନିଆଁ ଜଙ୍ଗଲରେ ବ୍ୟାପିଯାଉଛି । ୧୫ ଦିନ ହେଲାଣି ଆମେରିକାରେ ନିଆଁ ଲାଗିଛି । ପ୍ରଶାସନର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ନିଆଁ ଆୟତ୍ତ ହେଉନି । ପରିସ୍ଥିତିକୁ ନଜରରେ ରଖି, ଲସଆଞ୍ଜେଲସରେ ଜରୁରୀକାଳୀନ ଆଲର୍ଟ ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନିଆଁର ଭୟାଭୟତା ଦେଖି ଲୋକଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ ମୁହୂର୍ତ୍ତରେ ବି ଘର ଭିତରେ ନିଆଁ ପଶିଯିବ ତାହା କହିବା ମୁସ୍କିଲ । ତେଣୁ ନିଆଁ ଘରେ ପହଞ୍ଚିବା ପୂର୍ବରୁ ଆପଣ ଘର ଛାଡିଦିଅନ୍ତୁ ବୋଲି ପ୍ରଶାସନ କହିଛି । ପୂର୍ବରୁ ଏତେ ଭୟଙ୍କର ନିଆଁ କେବେ ଦେଖିବାକୁ ମିଳିନଥିଲା । ହେଲେ ଏବେର ନିଆଁ ପୁରା ଆମେରିକାରେ ହା ହା କାର ସ୍ଥିତି କରିଦେଇଛି । ନିଆଁର ମାତ୍ରା ଏତେ ଅଧିକ ରହିଛି ଯେ ଉଭୟ ଆକାଶ ଓ ସ୍ଥଳଭାଗରୁ ନିଆଁ ଲିଭା କାର୍ଯ୍ୟ ଚାଲିଛି ସତ ହେଲେ ନିଆଁ ଲିଭୁନି । ନିଆଁ ଧାସରେ ମଣିଷ ପଶିବା ସମ୍ଭବ ହେଉନଥିବାରୁ ରୋବର୍ଟ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛି । ବିକଶିତ ରାଷ୍ଟ୍ର ହେଲେ ମଧ୍ୟ ଆମେରିକାରେ ଦୀର୍ଘ କିଛି ଦିନ ହେବ ଲାଗିଥିବା ନିଆଁ ପାଇଁ ପ୍ରଶାସନ ଚିନ୍ତାରେ ଅଛି । ନିଆଁକୁ ଆୟତ୍ତ କରିବା ପାଇଁ ଶତଚେଷ୍ଟା ପରେ ମଧ୍ୟ ଲିଭୁନି । ବର୍ତ୍ତମାନ ସୁଦ୍ଧା ନିଆଁରେ ୨୫ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ବ୍ୟକ୍ତି ନିଖୋଜ ଅଛନ୍ତି । ତେବେ ସେମାନେ ଜୀବିତ କି ମୃତ ସେନେଇ କାହା ପାଖରେ ବି କିଛି ସୂଚନା ନାହିଁ । ଏପଟେ, ନିଆଁ କିନ୍ତୁ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି ।