ନୂଆଦିଲ୍ଲୀ: ଉଠୁଛି ପଡୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ ମାହୋଲ । କେମିତି ଭୋଟରଙ୍କ ଭୋଟ୍ ହାତେଇବେ ନେତା ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି । ଏହାରି ଭିତରେ ଆପ୍ ଯେଉଁପରି ଭାବରେ ଭଡାଟିଆଙ୍କ ଲାଗି ଯୋଜନା କଲାଣି ତାହାକୁ ନେଇ ଏବେ ଆଲୋଚନା । କାରଣ ଆପ୍ ଘୋଷଣା କରିଛି, ଯେଉଁମାନେ ଭଡ଼ାରେ ରହିଛନ୍ତି ସେମାନଙ୍କୁ ଫ୍ରିରେ ମିଳିବ ବିଜୁଳି ଏବଂ ପାଣି । ଏନେଇ ବଡ ପ୍ରତିଶ୍ରୁତି ଦେଇଛନ୍ତି ଅରିବନ୍ଦ କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି, ଦିଲ୍ଳୀରେ ରହୁଥିବା ସମସ୍ତ ଭଡାଟିଆଙ୍କୁ ଫ୍ରିରେ ବିଜୁଳି ଓ ପାଣି ମିଳୁନାହିଁ । କିନ୍ତୁ ନିର୍ବାଚନ ପରେ ଯଦି ଆପ ସରକାର ଗଠନ କଲା ତେବେ ଭଡାଟିଆମାନଙ୍କ ଦୁଃଖ ଯିବ। ସେମାନଙ୍କୁ ଫ୍ରିରେ ମିଳିବ ଇଲେକ୍ଟ୍ରି ଏବଂ ପାଣି । ସେ କହିଥିଲେ ଯେ ଏହି ଯୋଜନା ପୂର୍ବାଞ୍ଚଳ ସମାଜକୁ ବହୁତ ଲାଭ ଦେବ । କିଛି ଦିନ ପୂର୍ବରୁ କେଜ୍ରିୱାଲ ଘୋଷଣା କରିଥିଲେ ଆମ ଆଦମୀ ପାର୍ଟି ନିର୍ବାଚନ ଜିତିଲେ ଡିଟିସି ବସ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଫ୍ରିରେ ଯିବାଆସିବା ସୁବିଧା ମିଳିବ । ବିଜେପି ଗତକାଲି ତାର ସଂକଳ୍ପ ପତ୍ର ଜାରି କରିସାରିଛି । ସଂକଳ୍ପ ପତ୍ରରେ ଦିଲ୍ଲୀ ମହିଳାଙ୍କ ପାଇଁ ହାତ ଖୋଲି ଦେଇଥିଲା ବିଜେପି । ତେବେ ଏଠି ଗୋଟିଏ କଥା ସ୍ପଷ୍ଟ ସୁବୁ ରାଜନୈତିକ ଦଳଙ୍କ ଫୋକସରେ ମହିଳା ଭୋଟର। ଯାହାଙ୍କୁ ନିର୍ବାଚନ ସମୟରେ ଥୋପ କରିଥାନ୍ତି ରାଜନୈତିକ ଦଳ । ଖାଲି ବିଜେପି ନୁହେଁ ଆମ ଆଦମି ପାର୍ଟି , କଂଗ୍ରେସ ମଧ୍ୟ ମହିଳା ଭୋଟରଙ୍କୁ ଦେଉଛନ୍ତି ପ୍ରାଧାନ୍ୟ । ଏପଟେ ବିଜେପିକୁ କଡା ଆକ୍ଷେପ କରି କେଜ୍ରିୱାଲ କହିଛନ୍ତି ଆପ୍ କୁ ସହିପାରୁନି ଭାରତୀୟ ଜନତା ପାର୍ଟି । କାରଣ ଆମ ଆଦମୀ ପାର୍ଟି ଉପରେ ହୋଇଥିବା ଡକ୍ୟୁମେଣ୍ଟାରୀଟି ‘ଅନବ୍ରେକେବଲ୍’ର ସ୍କିନିଂକୁ ବନ୍ଦ କରିଦେଇଥିଲା ବିଜେପି । ଡରୁଛି ବିଜେପି ତେଣୁ ଆପ ଉପରେ ହୋଇଥିବା ଫିଲ୍ମ କୁ ଅବୈଧ ଭାବେ ବନ୍ଦ କରିଦେଇଛି ଦଳ । ଏହି ଡକ୍ୟୁମେଣ୍ଟାରୀରେ ପ୍ରଦର୍ଶିତ ହେବାକୁ ଥିଲା ଯେ ଆପ କିପରି ବିଜେପିର ଷଡ଼ଯନ୍ତ୍ରର ସାମ୍ନା କରିଥିଲା । ଜାଣି ଶୁଣି ଏପରି କରୁଛି ବିଜେପି ଏହା କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ତେବେ ନିର୍ବାଚନ ସମୟରେ ଆରୋପ ପ୍ରତ୍ୟାରୋପ ତ ଏକ ସାଧାରଣ କଥା। ହେଲେ କିଏ ଦିଲ୍ଳୀ ବାସୀଙ୍କ ଦିଲ୍କୁ ଛୁଉଁଛନ୍ତି ଆଉ ସରକାର ଗଢୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।