19.1 C
Bhubaneswar
Wednesday, February 11, 2026
Homeଓଡିଶାଓଡ଼ିଶାରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଶାରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ

– ଗୁରୁ ପଦ୍ମସମ୍ଭବଙ୍କ ଜୀବନୀ ଓ ଆଦର୍ଶକୁ ନେଇ ଆୟୋଜିତ ହୋଇଥିବା ସମ୍ମିଳନୀରେ ଯୋଗଦେଲେ ବୌଦ୍ଧଗୁରୁ, ପ୍ରଚାରକ ଏବଂ ଶ୍ରଦ୍ଧାଳୁ
– ଓଡ଼ିଶାରେ ବୌଦ୍ଧଧର୍ମର ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଏବଂ କୀର୍ତ୍ତିରାଜିର ବିକାଶ ଏବଂ ବହୁଳ ପ୍ରଚାର ଓ ପ୍ରସାର ଦିଗରେ ସହାୟକ ହେବ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହୋଇଛି ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ। ଗୁରୁ ପଦ୍ମସମ୍ଭବଙ୍କ ଜୀବନୀ, ଆଦର୍ଶକୁ ଆଧାର କରି ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀ ଜାନୁଆରୀ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଇଥିଲା। ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧଧର୍ମର ଗୁରୁ, ପଣ୍ଡିତ, ବୌଦ୍ଧ ଧର୍ମର ପ୍ରଚାରକ ଏବଂ ଅନେକ ଶ୍ରଦ୍ଧାଳୁ ଓ ଜନସାଧାରଣ ଯୋଗ ଦେଇଥିଲେ। ସମ୍ମିଳନୀରେ ବୌଦ୍ଧ ଧର୍ମର ଇତିହାସ, ଏହାର ବିକାଶ, ବୌଦ୍ଧଧର୍ମ ପ୍ରଦାନ କରୁଥିବା ଶାନ୍ତି ଓ ମୋକ୍ଷର ବାର୍ତ୍ତା ସହିତ ଗୁରୁ ପଦ୍ମସମ୍ଭବଙ୍କ ଜୀବନଶୈଳୀ ଓ ଆଦର୍ଶକୁ ନେଇ ସବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହିତ ଓଡ଼ିଶାରେ ବୌଦ୍ଧ ଧର୍ମର ଇତିହାସ, ସଂସ୍କୃତି ଓ ଐତିହ୍ୟ ଆଦି ସମ୍ବନ୍ଧରେ ଗୁରୁତ୍ୱାରୋପ କରାଯିବା ସହିତ ବୌଦ୍ଧଧର୍ମ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଯେପରି ବିକାଶ କରାଯାଇପାରିବ ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା।

ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀରେ ଅତିଥିଭାବେ ଯୋଗ ଦେଇ କହିଥିଲେ ଯେ, ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀରେ ଓଡ଼ିଶାର ଇତିହାସ, ବୌଦ୍ଧ ଧର୍ମର ସଂସ୍କୃତି ଏବଂ ଐତିହ୍ୟ ସମ୍ବନ୍ଧରେ ଆଲୋଚନା କରାଯିବା ସହ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ପ୍ରଦାନ କରାଯିବା ଖୁବ ପ୍ରଶଂସନୀୟ। ରତ୍ନଗିରି, ଉଦୟଗିରି, ଲଳିତଗିରି ବୌଦ୍ଧ ଧର୍ମର ପ୍ରମୁଖ କୀର୍ତ୍ତିରାଜି ଏବଂ ହୀରକ ତ୍ରିଭୁଜ ଭାବେ ବିଶ୍ୱପ୍ରସିଦ୍ଧ। ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଓଡ଼ିଶାରେ ରହିଥିବା ବିଭିନ୍ନ ବୌଦ୍ଧଧର୍ମ କୀର୍ତ୍ତିରାଜି ଏବଂ ପର୍ଯ୍ୟଟନସ୍ଥଳୀ ଗୁଡିକର ପ୍ରଚାର ଓ ପ୍ରସାର କରିବା ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ। ପ୍ରକାଶଯୋଗ୍ୟ ଯେ, ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀରେ ପ୍ରାୟ ୨୫୦୦ଜଣ ବୌଦ୍ଧ ଧର୍ମାବଲମ୍ବୀ ଓ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ। ସମ୍ମିଳନୀରେ ବୌଦ୍ଧଧର୍ମ ଏବଂ ଗୁରୁ ପଦ୍ମସମ୍ଭବଙ୍କ ଆଦର୍ଶ ଓ ଶିକ୍ଷା ସମ୍ବନ୍ଧରେ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ବିଭିନ୍ନ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking