28.1 C
Bhubaneswar
Tuesday, April 28, 2026
Homeଓଡିଶା‘ପୂର୍ବ ଭାରତର ଅର୍ଥନୈତିକ ହବ୍ ହେବ ଓଡ଼ିଶା’

‘ପୂର୍ବ ଭାରତର ଅର୍ଥନୈତିକ ହବ୍ ହେବ ଓଡ଼ିଶା’

ଭୁବନେଶ୍ୱର: ପୂର୍ବ ଭାରତରେ ପ୍ରଗତିଶୀଳ ଶିଳ୍ପ ଓ ଅର୍ଥନୈତିକ କ୍ଷମତା କେନ୍ଦ୍ର ଭାବେ ଓଡ଼ିଶା ଉଭା ହେବାକୁ ଯାଉଛି। ଓଡ଼ିଶାରେ ନିବେଶ ବୃଦ୍ଧି ପାଇଁ ବଡ଼ ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ଦିବସ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଘାଟନୀ ସମାରୋହର ଦ୍ୱିତୀୟାର୍ଦ୍ଧରେ ଆୟୋଜିତ ‘ଓଡ଼ିଶାରେ ନିବେଶ’ ଶୀର୍ଷକ କର୍ମଶାଳାରେ ଏପରି ମତ ପ୍ରକାଶ ପାଇଛି। ଏହି ଅଧିବେଶନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ସାମିଲ ହୋଇ ନିଜ ନିଜ ମତ ରଖିଛନ୍ତି।

‘ପ୍ରବାସୀ ଭାରତୀୟ ଦିବସ’ ଆୟୋଜନ ପରିପ୍ରେକ୍ଷୀରେ ଆଜି ‘ଓଡ଼ିଶାରେ ନିବେଶ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଭାବେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ ଜୟଶଙ୍କର ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟଟନ ଉପରେ ଧ୍ୟାନ ଦେଇ ରାଜ୍ୟର ଅଭିବୃଦ୍ଧି ଉପରେ ଓଡ଼ିଶା କାର୍ଯ୍ୟ କରିବା ଦରକାର। ଓଡ଼ିଶାର ସମୃଦ୍ଧ ପ୍ରାକୃତିକ ଓ ସାଂସ୍କୃତିକ ସୁବିଧାକୁ ଜୟଶଙ୍କର ପ୍ରଶଂସା କରିବା ସହ ଏହା ରାଜ୍ୟକୁ ବିଶ୍ୱ ବାଣିଜ୍ୟର ବୈଷୟିକ ହବ ଭାବେ ପରିଣତ କରିବ ବୋଲି କହିଥିଲେ। ବିଶ୍ୱ ବାଣିଜ୍ୟ ସହଭାଗୀତା ବୃଦ୍ଧି ତଥା ନବସୃଜନ-ନେତୃତ୍ୱ ଅଭିବୃଦ୍ଧି ପାଇଁ ଓଡ଼ିଶାର ପ୍ରତିଯୋଗିତାମୂଳକ ଶକ୍ତି ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଡଃ.ଏସ ଜୟଶଙ୍କର କହିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପ୍ରଭୁ ଶ୍ରୀଜଗନ୍ନାଥ ଓ ଅପର ସମ୍ଭାବନାର ଭୂମି ଭାବରେ ଅଭିହିତ କରିଛନ୍ତି। ସ୍ୱତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ଉପସ୍ଥାପିତ କରିଛନ୍ତି। ଓଡ଼ିଶାର ପ୍ରଚୁର ଖଣିଜ ସମ୍ପଦ, ଶାନ୍ତ ଓ ଶୃଙ୍ଖଳିତ ପରିବେଶ ଏବଂ ସଡ଼କ ତଥା ରେଳ ସଂଯୋଗୀକରଣ ନିବେଶକମାନଙ୍କୁ ଆକୃଷ୍ଟ କରୁଛି। ରାଜ୍ୟରେ ଅକ୍ଷୟ ଶକ୍ତି, ଅଟୋମୋବାଇଲ, ବାୟୋ-ଟେକ୍ନୋଲୋଜି, ଫାର୍ମାସ୍ୱିଟିକାଲସ ଓ ଡାଟା ସେଣ୍ଟର ଇତ୍ୟାଦି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ଥିବାବେଳେ ପୁଞ୍ଜିନିବେଶ ପାଇଁ ଅନୁକୂଳ ନୀତି ରହିଛି। ତେଣୁ ଓଡ଼ିଶାରେ ପୁଞ୍ଜିନିବେଶ ହିଁ ଭବିଷ୍ୟତ ପାଇଁ ନିବେଶ। ଓଡ଼ିଶାର ବିକାଶ ଓ ଓଡିଶାବାସୀଙ୍କ ହିତ ପାଇଁ ପ୍ରବାସୀ ଭାରତୀୟମାନେ ଅବଦାନ ପ୍ରକଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।

ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଥିଲେ ଯେ ଓଡ଼ିଶାର ଯୁବଶକ୍ତିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ କ୍ରମେ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଇ ପାରିବ। କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ଅଭିଯାନରେ ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ସାମଗ୍ରିକ ବିକାଶ ଓ ବିପୁଳ ନିଯୁକ୍ତି ସୁଯୋଗ ପାଇଁ ଓଡ଼ିଶା ପର୍ଯ୍ୟଟନ ଶିଳ୍ପ ନିବେଶକମାନଙ୍କ ପାଇଁ ଲାଭଦାୟକ ହେବ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ଓଡ଼ିଶାକୁ ବିଶ୍ୱ ଶିଳ୍ପ-ଶୃଙ୍ଖଳରେ ସାମିଲ କରିବା ନିମନ୍ତେ ସମସ୍ତ ପ୍ରୟାସ କରାଯିବ। ପୂର୍ବ ଭାରତରେ ଓଡ଼ିଶାକୁ ଖାଦ୍ୟ ପ୍ରକ୍ରିୟାକରଣ ହବ ରୂପେ ପ୍ରତିଷ୍ଠିତ କରିବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି। ସେହିପରି ଶିଳ୍ପ, ବୈଷୟିକ ଶିକ୍ଷାନୁଷ୍ଠାନ, ଖଣିଜ ସମ୍ପଦ, ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର, ଇଜ ଅଫ ଡୁଇଂ ବିଜିନେସ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, କେମିକାଲସ ଓ ପେଟ୍ରୋ-କେମିକାଲସ କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଚିତ୍ର ଉପସ୍ଥାପନ କରିଥିଲେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking