ମୁମ୍ବାଇ: ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ବିବାହ ଉତ୍ସବକୁ ଲୋକଙ୍କୁ ନେଇ ଯାଉଥିବା ଦ୍ରୁତଗାମୀ ବସ୍ ରାସ୍ତାରେ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସକାଳ ପ୍ରାୟ ୯ଟା ୧୫ରେ ମନଗାଁ ନିକଟ ତାମହିନୀ ଘାଟରେ ଏହି ଦୁର୍ଘଟଣା ଘଟିଥିଲା । ବସ୍ ପୁଣେର ଲୋହେଗାଓଁରୁ ମହାଡର ବୀରୱାଡ଼ି ଅଭିମୁଖେ ଯାଉଥିଲା । ଏହି ସମୟରେ ଡ୍ରାଇଭର ଏକ ମୋଡ଼ରେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ଗାଡ଼ିଟି ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା । ଏହି ଲୋକମାନେ ମହାଡରେ ଏକ ବିବାହ ସମାରୋହରେ ଯୋଗଦେବା ପାଇଁ ଯାଉଥିଲେ । ସୂଚନା ମୁତାବକ, ଦୁର୍ଘଟଣାରେ ଦୁଇ ଜଣ ପୁରୁଷ ଏବଂ ତିନି ଜଣ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ।
ଆହତ ୨୭ ଜଣଙ୍କୁ ମନଗାଁ ଗ୍ରାମୀଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ସେପଟେ ମୃତକ ୪ ଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କର ଏ ପର୍ଯ୍ୟନ୍ତ ମିଳିପାରି ନାହିଁ । ମୃତ ବ୍ୟକ୍ତିମାନେ ହେଲେ ସଙ୍ଗୀତା ଧନଞ୍ଜୟ ଯାଦବ, ଗୌରବ ଅଶୋକ ଦରାଡେ, ଶିଳ୍ପା ପ୍ରଦୀପ ପାୱାର ଓ ବନ୍ଦନା ଯାଦବ । ଏ ସମସ୍ତ ଯାତ୍ରୀ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଟିମ୍ ସହ ମିଶି ପୋଲିସ ମୃତଦେହଗୁଡ଼ିକୁ ବାହାର କରିବା ସହ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ହେଲା, ବସ୍ ଚାଳକଙ୍କ ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଛି । ତେବେ ପୋଲିସ ଏହି ମାମଲାର ତଦନ୍ତ ଚାଲିଥିବା କହିଛି ।