ଅହମ୍ମଦାବାଦ୍: ଗୁଜରାଟର ଅହମଦାବାଦ ଅଞ୍ଚଳରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ସମେତ ମୋଟ୍ ୧୨ଜଣଙ୍କୁ ବିଷ ଦେଇ ହତ୍ୟା କରିଥିବା ବେଳେ ନିଜେ ପୁଲିସ୍ କଷ୍ଟଡିରେ ପ୍ରାଣ ହରାଇଛି। ତେବେ ମୃତ ଅଭିଯୁକ୍ତଜଣକ ହତ୍ୟାକାଣ୍ଡ ସେ ଏକାଥରକେ ନୁହେଁ ବରଂ ସମୟ ଅନ୍ତରାଳେ କରିଥିବା ଜଣାପଡିଛି। ଅଭିଯୁକ୍ତର ନାମ ନାଭାଲ୍ ସିଂହ ଚାୱଡା ଏବଂ ସେ ସ୍ଥାନୀୟ ଅଞ୍ଚଳରେ ଗୁଣିଗାରେଡି କରୁଥିବା ଲୋକେ କହନ୍ତି। ତେବେ ପୁଲିସ୍ ଯେତେବେଳେ ନାଭାଲ ସିଂହକୁ ଗିରଫ କରି ଜେରା କରିଥିଲା ସେତେବେଳେ ସେ ସବୁସତ କହିଥିଲା। ନାଭାଲ ସିଂହ ୨୦୧୦ରେ ବୟସ ଜନିତ ରୋଗରେ ପଡ଼ିଥିବା ନିଜର ଜେଜେ ମା’ ମାଙ୍ଗୁ ବାନିଆଙ୍କୁ ହତ୍ୟା କରିଥିଲା। ଜେଜେ ମା’ ରୋଗରେ ପଡ଼ିଥିବାରୁ ସେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନଥିଲା। ଏଥିପାଇଁ ସେ ସେ ପାଣିରେ ବିଷ ମିଶାଇ ତାଙ୍କୁ ପିଆଇ ଦେଇଥିଲା।
୯ ମାସ ପୂର୍ବେ ନାଭାଲ ସିଂହ ତା’ ନିଜ ଜନ୍ମକଲା ମା’ ସରୋଜଙ୍କୁ ମଧ୍ୟ (ଅସୁସ୍ଥତା କାରଣରୁ) ସମାନ ଢଙ୍ଗରେ ହତ୍ୟା କରିଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ଦାଦା ସୁରା ଚାୱଡା ମଧ୍ୟ ଅସୁସ୍ଥ ହେବାରୁ ତାଙ୍କୁ ମଧ୍ୟ ନାଭାଲ୍ ବିଷ ଦେଇ ହତ୍ୟା କରିଥିଲା। ନିଜ ପରିବାରର ୩ ଜଣଙ୍କ ସଦସ୍ୟଙ୍କ ବ୍ୟତୀତ ନାଭାଲ ସିଂହ ୨୦୨୧ ଅଗଷ୍ଟ ୨୩ରେ ନିଜର ବନ୍ଧୁ ବିବେକ ଗୋହଲିଙ୍କୁ ଅସଲାଲିରେ ହତ୍ୟା କରିଥିଲା। ସୁରେନ୍ଦ୍ର ନଗରର ଗୋଟିଏ କେନାଲରୁ ୩ ଜଣଙ୍କ ମୃତଦେହ ୨୦୨୩ ମାର୍ଚ୍ଚ ୧୧ରେ ମିଳିଥିଲା। ସେମାନଙ୍କୁ ମଧ୍ୟ ନାଭାଲ ସିଂହ ମାରିଥିଲା। ସେହିପରି ୨୦୨୪ ମେ’ ୨୨ରେ ପାଧାରିରେ ଗୋଟିଏ ଅଟୋ ରିକ୍ସ ମଧ୍ୟରୁ ୩ ଜଣଙ୍କ ମୃତଦେହ ମିଳିବା ପଛରେ ନାଭାଲ ସିଂହ ରହିଥିଲା। ଅନଜାର ଠାରେ ମଧ୍ୟ ସେ ଜଣେ ଧର୍ମପୀଠର ପୂଜକଙ୍କୁ ଚା’ରେ ସୋଡିୟମ ନାଇଟ୍ରେଟ ମିଶାଇ ପିଇବାକୁ ଦେଇଥିଲା। ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହିପ୍ରକାରେ ସେ ୧୨ଜଣଙ୍କୁ ହତ୍ୟା କରିଛି। ପୁଲିସ୍ ଘଟଣାସ୍ଥଳରୁ ଅନେକ ନରକଙ୍କାଳ ମଧ୍ୟ ଜବତ କରିଛି।