25.1 C
Bhubaneswar
Friday, December 19, 2025
Homeଓଡିଶାପ୍ରଧାନମନ୍ତ୍ରୀ ଆବାସ ମଞ୍ଜୁର ନିମନ୍ତେ ହିତାଧିକାରୀ ଚୟନ ପ୍ରକ୍ରିୟା

ପ୍ରଧାନମନ୍ତ୍ରୀ ଆବାସ ମଞ୍ଜୁର ନିମନ୍ତେ ହିତାଧିକାରୀ ଚୟନ ପ୍ରକ୍ରିୟା

ଯାଜପୁର: ଯାଜପୁର ଜିଲ୍ଲା ପରିଷଦ ମିନି ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଗୃହ ମଞ୍ଜୁର ନିମନ୍ତେ ନୂତନ ହିତାଧିକାରୀ ଚିହ୍ନଟ ସମ୍ପର୍କୀୟ ଏକ ସମ୍ବାଦ ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରି ଯାଜପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ କହିଲେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତ ଟିଏ ଗଢି ତୋଳି ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀ ଯୋଗାଇଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରାଥମିକତା। ଏହି ଯୋଜନାରେ ହିତାଧିକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ ଦୁଇ ଚକିଆ ଯାନ, ଫ୍ରିଜ୍ ଅଥବା ଲ୍ୟାଣ୍ଡ ଲାଇନ ଫୋନ ଥିବା ପରିବାରକୁ ଅଯୋଗ୍ୟ ବିବେଚନା କରାଯିବ ନାହିଁ। ପରିବାରର ମାସିକ ଆୟର ସୀମା ୧୦ ହଜାର ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପରିବର୍ତ୍ତିତ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ନୂତନ ସର୍ଭେ ଆରମ୍ଭ ହେବାକୁ ଯାଉଛି। କ୍ଷେତ୍ର କର୍ମଚାରୀଙ୍କ ବ୍ୟତୀତ ଚଳିତ ସର୍ଭେରେ ଆଶାୟୀ ପରିବାର ମଧ୍ୟ ନିଜର ସର୍ଭେ ନିଜେ କରିପାରିବେ। ଏହା ଦ୍ବାରା ସର୍ଭେ ରୁ ବାଦ୍ ପଡ଼ିବା ଆଶଙ୍କା ଦୂର ହୋଇପାରିବ। ପ୍ରତ୍ୟେକ ପଞ୍ଚାୟତରେ ଏ ସମ୍ପର୍କରେ କର୍ମଶାଳା ଆୟୋଜନ କରାଯିବ। ଯାଜପୁର ଜିଲ୍ଲାରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଡିସେମ୍ବର ୨, ୩, ଏବଂ ୪ ତାରିଖରେ କର୍ମଶାଳା ଆୟୋଜନ କରାଯିବ। ସର୍ଭେ ସମୟରେ ପରିବାର ସଦସ୍ୟଙ୍କ ଆଧାର, ଜବ କାର୍ଡ, ଏବଂ ବ୍ୟାଙ୍କ୍ ଜମା ଖାତା ପ୍ରସ୍ତୁତ ରଖିବା ଆବଶ୍ୟକ। ବ୍ଲକ କର୍ମଚାରୀ ଗ୍ରାମର ପ୍ରତ୍ୟେକ ସାହିକୁ ଗସ୍ତ କରି ଗୃହହୀନ ଏବଂ କଚ୍ଚା ଘରେ ରହୁଥିବା ସମସ୍ତ ପରିବାରଙ୍କୁ ସର୍ଭେରେ ଅନ୍ତର୍ଭୁକ୍ତ କରିବେ। ପୂର୍ବେ ଏକାନ୍ନବର୍ତ୍ତି ପରିବାରର ସଦସ୍ୟମାନେ ପୃଥକ୍ ଭାବେ ବସବାସ କରୁଥିଲେ ସେମାନଙ୍କୁ ଏହି ସର୍ଭେ ରେ ଭିନ୍ନ ପରିବାର ହିସାବରେ ଗ୍ରହଣ କରାଯିବ। ଯୋଗ୍ୟ ଭିନ୍ନକ୍ଷମ ସଦସ୍ୟ, ତୃତୀୟ ଲିଙ୍ଗି, ବିଧବା, ନିରାଶ୍ରୟ ଏବଂ ମୁକ୍ତ ଗୋତି ଶ୍ରମିକ ପରିବାରଙ୍କ କ୍ଷେତ୍ରରେ ତାଲିକାଭୁକ୍ତ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵତନ୍ତ୍ର ଧ୍ୟାନ ଦେବେ। କ୍ଷେତ୍ର କର୍ମଚାରୀମାନେ ସର୍ଭେ ସମୟରେ ପରିବାରର ସମସ୍ତ ସଦସ୍ୟଙ୍କର ବୟସ, ବୃତ୍ତି, ଶିକ୍ଷାଗତ ଯୋଗ୍ୟତା, ଆଧାର ନମ୍ବର, ଜବ କାର୍ଡ ନମ୍ବର, ରୋଜଗାର ଇତ୍ୟାଦି ସଂକ୍ରାନ୍ତୀୟ ତଥ୍ୟ ପୂରଣ କରିବେ। ପରିବାରର ମହିଳା ମୁଖ୍ୟ ହିଁ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ର ହିତାଧିକାରୀ ଭାବେ ପରିଗଣିତ ହେବେ। ସର୍ଭେ ଆରମ୍ଭ ହେବାର ଏକ ମାସ ପରେ କ୍ଷେତ୍ର କର୍ମଚାରୀଙ୍କ ଦ୍ଵାରା ଚିହ୍ନଟ ହୋଇଥିବା ଓ ହିତାଧିକାରୀଙ୍କ ଦ୍ଵାରା ପଞ୍ଜୀକୃତ ହୋଇଥିବା ପରିବାରଙ୍କ ନାମ ଗ୍ରାମୱାରି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ କରାଯିବ। ସର୍ଭେ ଶେଷ ହେବା ପରେ ପଞ୍ଜୀକୃତ ହୋଇଥିବା ହିତାଧିକାରୀଙ୍କ ତାଲିକାକୁ ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟ ଓ ଗ୍ରାମର ପ୍ରମୁଖ ସ୍ଥାନରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶନ କରାଯିବ। ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନିଜେ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ତଦାରଖ କରିବେ। ଯାଜପୁର ଜିଲ୍ଲାରେ ଗତ ୨ ବର୍ଷରେ ୨୬ ହଜାର ଲୋକଙ୍କୁ ଗୃହ ଯୋଗାଇ ଦିଆଯାଇଛି। ଯାଜପୁର ଜିଲ୍ଲାର ୩୧୧ ପଞ୍ଚାୟତରେ ଡିସେମ୍ବର ୨, ୩ ଓ ୪ ତାରିଖରେ ଏହି କର୍ମଶାଳା ଅନୁଷ୍ଠିତ ହେବ ବୋଲି ଶ୍ରୀ ବେହୁରିଆ ସୂଚନା ପ୍ରଦାନ କରିବା ସହ ଗଣମାଧ୍ୟମ ଜରିଆରେ ଜନ ସାଧାରଣଙ୍କ ନିକଟରେ ଏ ସମ୍ପର୍କୀୟ ସଚେତନତା ବାର୍ତ୍ତା ପହଞ୍ଚିପାରିବ ବୋଲି ପ୍ରକାଶ କରିଥିଲେ। ଏହି ସମ୍ବାଦ ଦାତା ସମ୍ମିଳନୀ ରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରୋଜେକ୍ଟ ମ୍ୟାନେଜର, ରୁରାଲ ହାଉସିଂ ସୁହାନା ବେଗମ୍ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking