– ଡବଲ ଇଞ୍ଜିନର ସୁଫଳ ମିଳିବା ଆରମ୍ଭ ହୋଇଛି: ମୋଦୀ
– ଓଡ଼ିଶାକୁ କେନ୍ଦ୍ର ସରକାର ଦେଉଛନ୍ତି ସର୍ବାଧିକ ଗୁରୁତ୍ୱ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଓଡ଼ିଶା ହେବ କେନ୍ଦ୍ର ବିନ୍ଦୁ। ବିକାଶର ଗତି ଏଠି ଅଦ୍ଭୂତପୂର୍ବ। ଡବଲ ଇଞ୍ଜିନ ସରକାରର ସୁଫଳ ମିଳିବା ଆରମ୍ଭ ହୋଇଛି। ବିକାଶ ପାଇଁ ଆମେ ବଦ୍ଧପରିକର। ରାଜ୍ୟର ବିଜେପି ସରକାର ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଗୁରୁତ୍ୱ ଦେଉଛି। ତେଣୁ ସମସ୍ତେ ମିଶି ଓଡ଼ିଶାର ଗୌରବ ବୃଦ୍ଧି କରିବା ପାଇଁ ବଜ୍ର ଶପଥ ନେବା। ତିନି ଦିନିଆ ପୁଲିସ ଡିଜି ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘ଜୟ ଜଗନ୍ନାଥ’ ବୋଲି ଓଡ଼ିଆରେ କହିବା ସହ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଟିକୁ ଆସିବାକୁ ଆଜି ସୁଯୋଗ ମିଳିଛି ବୋଲି ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି ଯେ ବିଶ୍ୱ ମାନଚିତ୍ରରେ ଓଡ଼ିଶାର ଗୁରୁତ୍ୱ ବଢ଼ୁ। ସେଥିପାଇଁ ଏଠାରେ ଜି-୨୦ ସମ୍ମିଳନୀଠୁ ଆରମ୍ଭ କରି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ପୁଲିସ ଡିଜି ସମ୍ମିଳନୀ ଓ ନୌସେନା ଦିବସ ଭଳି ଜାତୀୟ ସ୍ତରର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହା ଓଡ଼ିଶାକୁ ପ୍ରାଥମିକତା ଦେବାର ଏହା ଜ୍ୱଳନ୍ତ ଉଦାହରଣ। ଦେଶରେ ପ୍ରାୟ ଶହେ ବର୍ଷ ଧରି ପୁଲିସ ଡିଜି ସମ୍ମିଳନୀ ହେଉଥିଲେ ହେଁ ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି। ଚାରି ଦିନ ପରେ ପୁରୀରେ ‘ନୌସେନା ଦିବସ’ ପାଳନ କରାଯିବ। ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିରେ ତାହା ଆୟୋଜନ ହେବ। ଫଳରେ ଓଡ଼ିଶା ସମଗ୍ର ବିଶ୍ୱ ନଜରରେ ରହିବ। ଆଉ ଜାନୁୟାରୀରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ। ବିଦେଶରେ ରହୁଥିବା ଆମ ଲୋକେ ଆସିବେ। ପର୍ଯ୍ୟଟନର ସୁଯୋଗ ବଢ଼ିବ। ଓଡ଼ିଶାକୁ ବିଶ୍ୱର ମାନଚିତ୍ରରେ ପ୍ରାଥମିକତା ମିଳିବ। ପ୍ରବାସୀ ଭାରତୀୟ ଦିବସର ଆୟୋଜନ ସେଭଳି ବର୍ଣ୍ଣାଢ଼୍ୟ ଢଙ୍ଗରେ କରିବାକୁ ହେବ। ବିଶ୍ୱର ଲୋକେ ଆମ ଘରକୁ ଆସୁଥିବାରୁ ସେଭଳି ଭାବେ ପ୍ରସ୍ତୁତି କରିବାକୁ ପଡ଼ିବ। ଯେପରି କିଛି ଖୁଣ ନରହିଯାଏ ସେଥିପ୍ରତି ନଜର ଦେବାକୁ ହେବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଜୟର ଅୟମାରମ୍ଭ ଓଡ଼ିଶାରୁ ହିଁ ହୋଇଛି। ମହାରାଷ୍ଟ୍ର ନିର୍ବାଚନ ଫଳ, ହରିୟାଣା ନିର୍ବାଚନ ଫଳ ପରେ ଦେଶରେ ବିଶ୍ୱାସ ଭରିଛି। ବିରୋଧୀ ଦଳ ମୋଦୀ ସରକାରଙ୍କ ବିରୋଧରେ ସବୁବେଳେ ଅପପ୍ରଚାର କରୁଛନ୍ତି। ହେଲେ ସଫଳ ହେବେ ନାହିଁ। ଜନତା ମୋଦୀ ସରକାରଙ୍କୁ ଆଶୀର୍ବାଦ କରୁଛନ୍ତି। ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ କିଛି ଲୋକ କହୁଥିଲେ, ଓଡ଼ିଶାରେ ବିଜେପି ଜିତିବ ନାହିଁ। ମାତ୍ର ନିର୍ବାଚନ ଫଳାଫଳ ଓଲଟା ହେଲା। ଆମ ଦଳ ସରକାର ଗଢ଼ିଲା। କେନ୍ଦ୍ରର କାର୍ଯ୍ୟ ଓଡ଼ିଶାବାସୀ ବି ଗ୍ରହଣ କରିଛନ୍ତି। ଡବଲ ଇଞ୍ଜିନର ସୁଫଳ ମିଳିଛି। ବିଗତ ୧୦ବର୍ଷ ମଧ୍ୟରେ ଗାଁ ଗାଁ ଓ ଘରେଘରେ ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଯୋଜନା ପହଞ୍ଚାଇବା ପାଇଁ କ୍ରମାଗତ କାର୍ଯ୍ୟ କରୁଥିଲୁ। ହେଲେ ପୂର୍ବ ସରକାର ଆମ ଯୋଜନାର ନାମକୁ ବଦଳାଇ ଦେବାର ମାହିର ଥିଲେ।
ଏହାସତ୍ତ୍ୱେ ଆମେ ଭଲ କାମ ଜାରି ରଖିଥିଲୁ। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଆଙ୍କ ପ୍ରତିନିଧିତ୍ୱ ଅଧିକ ରଖିଥିଲୁ। ତାହା ପୂର୍ବରୁ କେବେ ଏମିତି ନଥିଲା। କିଛି ଭେଦଭାବ ନକରି ଓଡ଼ିଶା ପାଇଁ ବଜେଟ୍ ପରିମାଣକୁ ୩ଗୁଣ କରିଥିଲୁ। ସେଥିପାଇଁ ଓଡ଼ିଶାର ଲୋକେ ବିଜେପିକୁ ବିଶ୍ୱାସ କଲେ ଓ ଆଶୀର୍ବାଦ ଦେଲେ। ତେଣୁ ବିଜେପିର କର୍ମୀମାନଙ୍କ ସମେତ ଯେଉଁମାନେ ସମ୍ବିଧାନର ସମ୍ମାନ କରୁଛନ୍ତି, ଯିଏ ଗଣତନ୍ତ୍ରରେ ବଞ୍ଚୁଛନ୍ତି, ଯିଏ ଦେଶକୁ ଭଲ ପାଉଛନ୍ତି ସେମାନଙ୍କ ପାଇଁ ଏଭଳି ଲୋକଙ୍କ ଉଦ୍ଦେଶ୍ୟ ଓ କାର୍ଯ୍ୟ ବହୁତବଡ଼ ଚ୍ୟାଲେଞ୍ଜ ପାଲଟିଛି। କ୍ଷମତାଲୋଭୀ ଲୋକମାନଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ଓଡ଼ିଶା ପର୍ବରେ ସେ ପିଇଥିବା ‘ମସଲା ଚା’ର ପ୍ରଶଂସା କରି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିର ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ।
ବିମାନବନ୍ଦରରେ ଆୟୋଜିତ ଉକ୍ତ ‘ସମ୍ବର୍ଦ୍ଧନା ସଭା’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଆଜି ହେଉଛି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ। ରାଜ୍ୟରେ ସରକାର ହେବା ପରେ ଆଜି ତୃତୀୟ ଥର ପାଇଁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି। ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ଏ ସ୍ନେହ, ଶ୍ରଦ୍ଧା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନକରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଆମ ସରକାର ଓଡ଼ିଶାବାସୀଙ୍କ ସେବା କରୁଛି। ସରକାର ଆସିବାର ୫ ମାସ ମଧ୍ୟରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ’କୁ ମୂଳମନ୍ତ୍ର କରି ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି। ଓଡ଼ିଆ ଅସ୍ମିତା ଏବଂ ସ୍ୱାଭିମାନର ସୁରକ୍ଷା ସହ ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନା ଦ୍ୱାରା ଏକ କୋଟି ମହିଳାଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି।
ଚାଷୀଙ୍କ ଉନ୍ନତି ପାଇଁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବାକୁ ନିଷ୍ପତ୍ତି ନିଆଯାଇ ପ୍ରତିଶ୍ରୁତି ପୂରଣ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଶିଳ୍ପ କ୍ଷେତ୍ରର ବିକାଶକୁ ଆଗେଇନେବା ପାଇଁ ‘ଉତ୍କର୍ଷ ଓଡ଼ିଶା’ ମାଧ୍ୟମରେ ପୁଞ୍ଜିନିବେଶ ଦିଗରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟକୁ ମୋଟ ୧ ଲକ୍ଷ ୮୦ ହଜାର କୋଟିର ପୁଞ୍ଜି ନିବେଶକୁ ଅନୁମୋଦନ ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ଖୁବ କମ ଦିନରେ ୧୮ ହଜାର ସରକାରୀ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇଛି। ପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ’ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ଓଡ଼ିଶାର ବହୁତ ବଡ ଯୋଗଦାନ ରହିଛି। ୨୦୩୬ରେ ଯେବେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ, ସେବେ ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନ ହେବ; ଯାହାକି ‘ବିକଶିତ ଭାରତ’ ନିର୍ମାଣରେ ବିଶେଷ ସହଯୋଗ କରିବ। କେନ୍ଦ୍ର ସରକାର ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଡିଜିପି ସମ୍ମିଳନୀ ଆୟୋଜନ କରିବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ପୂର୍ବୋଦୟ ବିକାଶର କେନ୍ଦ୍ରବିନ୍ଦୁ ହେବା ସହିତ ଦେଶର ବିକାଶର ରେଳରେ ପ୍ରଥମ ବଗି ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଏହାକୁ ସାକାର ରୂପ ଦେବାପାଇଁ ଡବଲ ଇଞ୍ଜିନ ସରକାର ନିଶ୍ଚୟ ଏକ ଆହ୍ୱାନର ସହ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୃଢ଼ତାର ସହ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।