ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରୁ ଠେଲାପେଲାର ଖସିପଡିଲା ପୁଅ । ବିଚଳିତ ହୋଇ ଝିଅକୁ ଧରି ଟ୍ରେନରୁ ଡେଇଁପଡିଲେ ମହିଳା । ଏଭଳି ଘଟଣା ଉତ୍ତର ପ୍ରଦେଶର ପିଲିଭୀତରେ ଘଟିଛି । ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ନିଜ ପୁଅକୁ ବଞ୍ଚାଇବାକୁ ଯାଇ ଛୋଟ ଝିଅକୁ କୋଳରେ ଧରି ଟ୍ରେନରୁ ଡେଇଁ ପଡ଼ିଥିଲେ । ଖବର ମୁତାବକ, ମହିଳା(ସତବତୀ) ନିଜ ପୁଅ ନିଖିଲ(୯) ଏବଂ ଝିଅ ସେଜଲ(୫) ସହ ଟ୍ରେନ୍ ଯୋଗେ ବିସଲପୁରରୁ ଶାହଜହାଁପୁର ଯାଉଥିଲେ । ଟ୍ରେନଟି ଚିନି କଳ ନିକଟରେ ପହଞ୍ଚିବା ପରେ ଟ୍ରେନ୍ କୋଚ୍ ଗେଟ୍ ପାଖରେ ଛିଡ଼ା ହୋଇଥିବା ପୁଅ ନିଖିଲ ଭାରସାମ୍ୟ ହରାଇ ଟ୍ରେନରୁ ପଡ଼ିଯାଇଥିଲା । ଏହା ଦେଖି ତା’ ମା ବିଚଳିତ ହୋଇ ଯାଇଥିଲା । ତେଣୁ କିଛି ବୁଦ୍ଧି ନ ଦିଶିବାରୁ ନିଜ ପୁଅକୁ ବଞ୍ଚାଇବା ଚକ୍କରରେ ଝିଅକୁ କୋଳରେ ଧରି ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ ମହିଳା । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମାଆ, ପୁଅ ଓ ଝିଅଙ୍କୁ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସେମାନଙ୍କୁ ମେଡିକାଲ କଲେଜ ରେଫର କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା । ଏହି ଦୁର୍ଘଟଣା ଯୋଗୁଁ ଟ୍ରେନଟି ପ୍ରାୟ ଅଧ ଘଣ୍ଟା ପାଇଁ ଅଟକି ରହିଥିଲା । ତିନି ଜଣ ଗୁରୁତରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା । ସୂଚନାଯୋଗ୍ୟ, ପୂର୍ବରୁ ଟ୍ରେନରେ ଏମିତି ଅସାବଧାନତା ଯୋଗୁଁ ଅନେକ ଘଟଣା ଘଟିଛି। ଦୁଇ ଦିନ ପୂର୍ବରୁ କାନପୁରରେ ଜଣେ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ମହିଳା ଜଣକ ଟ୍ରେନରେ ଚଢିଥିବା ବେଳେ ପିଲାମାନେ ଚଢିପାରିନଥିଲେ । ତେଣୁ ମହିଳା ଜଣକ ଚଳନ୍ତା ଟ୍ରେନରୁ ଡେଇଁପଡିଥିଲେ । ଫଳରେ ଟ୍ରେନ ଏବଂ ପ୍ଲାଟଫର୍ମ ମଝିରେ ଫଶିଯାଇଥିଲେ ।