ଭୁବନେଶ୍ୱର : ରାଜ୍ୟରେ ୯୧୦୬ ଜଣ ସାମ୍ବାଦିକ ଅଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୯୧୦୬ ସଂଖ୍ୟକ ସାମ୍ବାଦିକ ଥିବାବେଳେ ବିଗତ ବର୍ଷର ପଞ୍ଜିକୃତ ଓ ବୀମାଭୁକ୍ତ ୭୦୨୭ ଜଣ ସାମ୍ବାଦିକଙ୍କର ବୀମା ଏହି ବର୍ଷ ସ୍ୱତଃ ନବୀକରଣ କରାଯାଇଛି ।
ନୂତନ ଭାବେ ଆବେଦନ କରିଥିବା ୮୦୪ ଜଣ ସାମ୍ବାଦିକଙ୍କ ଦରଖାସ୍ତ ଉପରେ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା ଚାଲୁ ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ସାମ୍ବାଦିକମାନଙ୍କୁ ପେନ୍ସନ ପ୍ରଦାନ ପାଇଁ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ସାମ୍ବାଦିକମାନଙ୍କୁ ଓଡିଶା କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଆବଶ୍ୟକସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେବାପାଇଁ ଓଡିଶା କର୍ମଜୀବୀ ସାମ୍ବଦିକ ସ୍ୱାସ୍ଥ୍ୟ ବୀମା-୨୦୧୬ ପ୍ରଣୟନ କରାଯାଇଛି । ସେହିଭଳି କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପିଲାଙ୍କୁ ଶିକ୍ଷା ପାଇଁ ସହାୟତା ଦିଆଯିବାର ବ୍ୟବସ୍ଥା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।