ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଆସନ୍ତା ୨୩ ତାରିଖରେ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ଦକ୍ଷିଣ ଭାରତର କିଛି ରାଜ୍ୟ ଅତି ପ୍ରବଳ ବର୍ଷା ହେବ । ଆସନ୍ତା ୨୬ ତାରିଖରେ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ତାଲିମନାଡ଼ୁ ଓ ଆନ୍ଧ୍ରପ୍ରଦେଶକୁ ୟେଲୋ ଚେତାବନୀ ଜାରି କରାଯାଇଛି । ସେହିପରି କେରଳକୁ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି । ୨୭ ତାରିଖରେ ମଧ୍ୟ ଏହି ୩ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି । ତେବେ ୨୭ ତାରିଖରେ ଆନ୍ଧ୍ରପ୍ରଦେଶରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ । ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ ।
ତଳମୁହାଁ ରାତି ତାପମାତ୍ରା । ୫ ଡିଗ୍ରୀ ଯାଏଁ ବିଭିନ୍ନ ସ୍ଥାନରେ ହ୍ରାସ ପାଇଛି ବା ତଳମୁହାଁ ହୋଇଛି ତାପମାତ୍ରା । ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଶୀତର ପ୍ରକୋପ ବଢ଼ୁଥିବାରୁ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେଉଛି । ଆଗାମୀ ୪ରୁ ୫ ଦିନ ପଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ପାଗ ମୁଖ୍ୟତ ଶୁଖିଲା ରହିବ । ଗୋଟେ ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ିପାରେ । କୁହୁଡି କିଛି କିଛି ସ୍ଥାନରେ ଦେଖା ଯିବାର ସମ୍ଭାବନା ରହିଛି । ଆଗାମୀ ୨ ଦିନ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଡିସେମ୍ବର ଓ ଜାନୁଆରୀ ମାସରେ ଶୀତ ବଢିବାର ସମ୍ଭାବନା ରହିଛି ।