ନୂଆଦିଲ୍ଲୀ: କୁହାଯାଏ ଯାହାର ମାଆ ଅଛି ତାର ସବୁ ଅଛି । ହେଲେ ମାଆ ଯେତେବେଳେ ପିସାଚୀନି ସାଜେ ସେତେବେଳେ କହିବ ବା କାହାକୁ । ଅନୈତିକ ସମ୍ପର୍କରେ ବୁଡି ରହି ନିଜ ରକ୍ତକୁ ଭୁଲିଗଲା ଜନ୍ମଦାତ୍ରୀ । ବିରୋଧ କରିବାରୁ ଛୁଆଙ୍କ ପାଇଁ କାଳ ସାଜିଲା । ପ୍ରେମିକ ସହ ମିଶି ଛୁଆଙ୍କୁ ଗରମ ଚେଙ୍କ ଦେଲା । ତେବେ ଥରେ କି ଦୁଇଥର ନୁହେଁ ବାରମ୍ବାର ଏଭଳି ଚେଙ୍କ ଦେବା ପରେ ବର୍ତ୍ତମାନ ପୋଲିସ ୨ ନିଷ୍ପାପ ଛୁଆଙ୍କୁ ଉଦ୍ଧାର କରିଛି । ତେବେ ଏହା କୌଣସି ଗ୍ରାମାଞ୍ଚଳରେ ନୁହେଁ ବରଂ ରାଜଧାନୀରୁ ସାମ୍ନାକୁ ଆସିଛି ଏଭଳି କାଣ୍ଡ । ସୂଚନା ଅନୁସାରେ, ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଏଭଳି କାଣ୍ଡ ଘଟିଛି ।
ଦୁଇ ଛୁଆଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖାଯାଇଛି । ପୋଲିସ ଖବର ପାଇ ଦୁଇ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ମାଆ ଏବଂ ପ୍ରେମିକକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ବାପାର ଅନୁପସ୍ଥିତିରେ ବୟଫ୍ରେଣ୍ଡକୁ ଘରକୁ ଡାକୁଥିବା ମାଆ । ତେବେ ମାଆଙ୍କୁ ପରପୁରୁଷ ସହିତ ଦେଖି ଦୁଇ ଛୁଆ ବରଦାସ୍ତ କରିନପାରି ବିରୋଧ କରିଥିଲେ । ତେବେ ଛୁଆକୁ କଣ୍ଟା ଭାବି ଅକଥନୀୟ ନିର୍ଯାତନା ଦେଉଥିଲା ମାଆ । ଅଭିଯୋଗ ଅନୁସାରେ, ଛୁଆଙ୍କୁ ଚେଙ୍କ ଦେଇ ଗୋଟିଏ ରୁମରେ ବନ୍ଦ କରିଦେଇଥିବା ମଧ୍ୟ ଜଣାପଡିଛି । ତେବେ ଛୁଆମାନଙ୍କର ଦେହର ଅନେକ ସ୍ଥାନରେ ଫୋଟକା ଏବଂ ପୋଡାଜଳା ଚିହ୍ନ ଦେଖାଯାଇଛି ।