ଭୁବନେଶ୍ୱର: ସାରା ରାଜ୍ୟରେ ବିଜେଡି ଶୂନ ହୋଇଯିବ ବୋଲି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି । ସେ କହିଛନ୍ତି ଯେ ୨୦୨୯ ନିର୍ବାଚନ ବେଳେ ବିଜେଡି ଆଉ ଏକ ଦଳ ହୋଇ ରହିବନି । ବିଜେପି ନେତାଙ୍କ ସହ ବିଜେଡି ବିଧାୟକ ସମ୍ପର୍କରେ ଅଛନ୍ତି । ମୋ ସହ ବି କିଛି ବିଜେଡି ବିଧାୟକ ସମ୍ପର୍କରେ ଅଛନ୍ତି । ପ୍ରଥମେ ୧୬ ପରେ ୨୭, ବଢ଼ି ୫୦ ହୋଇଯିବେ । ସମସ୍ତେ ବିଜେପିକୁ ଲମ୍ଫ ମାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ବେଳେ କହିଥିଲେ ୪ ଜୁନ, ବିଜେଡି ଶୂନ । ଏହାକୁ ଯାଜପୁରବାସୀ ଆରମ୍ଭ କରିଛନ୍ତି । ପରେ ସାରା ଓଡ଼ିଶାରେ ହେବ ବୋଲି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି । ଅନ୍ୟପକ୍ଷରେ ବିଜେଡି ନେତା ମୁନ୍ନା ଖାଁଙ୍କ ବୟାନ ପରେ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ଦଳ ଅଦଳବଦଳ ଚର୍ଚ୍ଚାକୁ ନେଇ ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ବଡ ବୟାନ । ସେ କହିଛନ୍ତି,”ବିଜେପିରେ ମିଶିବେ ବିଜେଡିର ୨୭ଜଣ ବିଧାୟକ । ଆମ ସହ ଯୋଗାଯୋଗରେ ଅଛନ୍ତି । ଆମ ଦଳର ନେତୃତ୍ୱ ସହ ଆଲୋଚନା କରୁଛନ୍ତି ।”ସେପଟେ ବାଲେଶ୍ବରେ ବିଜେଡ଼ି ପକ୍ଷରୁ ଆୟୋଜନ ହୋଇଛି ‘ଜନ ସମ୍ପର୍କ ପଦଯାତ୍ରା’ ।