ଭୁବନେଶ୍ୱର : ମାତ୍ର କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବେଧଡ଼କ ଚାଲିବ ଡ୍ୟାନ୍ସବାର । କିନ୍ତୁ ଆଉ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ କିମ୍ବା ତାଙ୍କ ଉପରକୁ ଫିଲ୍ମ ଷ୍ଟାଇଲରେ ଟଙ୍କା ଉଡ଼ାଇ ହେବନାହିଁ । ମହିଳା ଡ୍ୟାନ୍ସରମାନଙ୍କର ପୋଷାକ ପରିଧାନରେ ବି ଶାଳୀନତା ରହିବ । ରାଜ୍ୟ ସରକାର ଏଭଳି କିଛି କଡ଼ା ପ୍ରାବଧାନ ସହ ୟୁ-ଟର୍ଣ୍ଣ ନେଇ ରାଜ୍ୟରେ ଡ୍ୟାନ୍ସବାର ପରିଚାଳନା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ସହ ଗତ ଅଗଷ୍ଟ ୩୧ତାରିଖରେ ଜାରି କରିଥିବା ‘୨୦୨୪-୨୫ ଆର୍ଥିକବର୍ଷର ଅବକାରୀ ନୀତିରେ ଡ୍ୟାନ୍ସବାର ଉପରେ ଥିବା କଟକଣା’ର ପ୍ରାବଧାନରୁ ସରକାର ଓହରି ଯାଇଛନ୍ତି ।
ଡ୍ୟାନ୍ସ ବାର୍ ପରିସରରେ ସିସିଟିଭି କ୍ୟାମେରା ଲାଗିବ, ଯାହାକି ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ ଏବଂ ଏହି କ୍ୟାମେରା ୨୪ଘଣ୍ଟା ଅନ୍ ରହିବ ତଥା ସେଥିରେ କୌଣସି ପ୍ରକାରର ଟ୍ୟାମ୍ପରିଂ କରାଯିବ ନାହିଁ । ଏହି ସିସିଟିଭି କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବା ଜରୁରୀ । ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୁଲିସ୍ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ । ଯଦି କୌଣସି କାରଣରୁ ସିସିଟିଭି ଖରାପ ହୋଇଯାଏ ତା’ହେଲେ ସମ୍ପୃକ୍ତ ବାରମାଲିକ ସଙ୍ଗେସଙ୍ଗେ ନିଜ ଅଂଚଳର ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଅବଗତ କରାଇବେ । ଆଉ ଯେପର୍ଯ୍ୟନ୍ତ ସିସିଟିଭି ଠିକ୍ ନହୋଇ ସେପର୍ଯ୍ୟନ୍ତ ନୃତ୍ୟଗୀତ କାର୍ଯ୍ୟକ୍ରମ ବନ୍ଦ ରହିବ । ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ଡ୍ୟାନ୍ସବାରଗୁଡ଼ିକୁ ରେଜିଷ୍ଟର ରଖିବାକୁ ପଡ଼ିବ । ଯାହା ଦରକାର ସମୟରେ ପୁଲିସ ଅବା ଅବକାରୀ ଅଫିସରଙ୍କୁ ଦେବେ । ଲାଇସେନ୍ସଧାରୀ ନିଜର ଲାଇସେନ୍ସକୁ ସ୍ପଷ୍ଟ ଭାବେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରିବେ ।