27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ; ୨୯ ସୁଦ୍ଧା ଡେପସାଙ୍ଗ, ଡେମ୍‌ଚୋକ୍‌ରୁ ପ୍ରକ୍ରିୟା ଶେଷ କରିବେ...

ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ; ୨୯ ସୁଦ୍ଧା ଡେପସାଙ୍ଗ, ଡେମ୍‌ଚୋକ୍‌ରୁ ପ୍ରକ୍ରିୟା ଶେଷ କରିବେ ଭାରତ-ଚୀନ୍‌

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ପାଟ୍ରୋଲିଂ ନେଇ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ପରେ ପୂର୍ବ ଲଦାଖରୁ ଦୁଇ ଦେଶ ନିଜର ନିଜର ସେନା ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ବିଶେଷକରି ଡେପସାଙ୍ଗ ଏବଂ ଡେମ୍‌ଚୋକ୍ ଅଞ୍ଚଳରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର ଶେଷ ହେବ। ଦୁଇ ଦେଶ ମଧ୍ୟରେ ଏ ନେଇ ନିଷ୍ପତ୍ତି ହୋଇଥିବା ପ୍ରତିରକ୍ଷା ସୂତ୍ରରୁ ସୂଚନା ମିଳିଛି। ତେବେ ଏସବୁ ମଧ୍ୟରେ ୨ ଦେଶ ମଧ୍ୟରେ ଗତ ଅକ୍ଟୋବର ୨୨ତାରିଖରୁ ଏଲଏସିରେ ଆରମ୍ଭ ହୋଇଥିବା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଅନ୍ତର୍ଗତ ଶୁକ୍ରବାର ସୁଦ୍ଧା ଏହି ୨ ବିବାଦୀୟ ସୀମାଞ୍ଚଳରେ ୪୦ରୁ ୫୦% ସୈନ୍ୟ ପ୍ରତ୍ୟାହାର ହୋଇଛି। ସୁତରାଂ ଅକ୍ଟୋବର ୨୮ ଓ ୨୯ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବ ଏବଂ ଚଳିତ ମାସ ଶେଷ ଅର୍ଥାତ୍ ଅକ୍ଟୋବର ୩୧ ସୁଦ୍ଧା ଏଲ୍‌ଏସିରେ ଦୁଇ ଦେଶ ପକ୍ଷରୁ ପାଟ୍ରୋଲିଂ ପ୍ରକ୍ରିୟା ପୁନଃ ସ୍ୱାଭାବିକ ଭାବେ ଆରମ୍ଭ ହେବ ବୋଲି ଆଶା ସଞ୍ଚାର ହୋଇଛି।
ରୁଷ୍‌ରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଭାରତ ଓ ଚୀନ୍ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ପାଇଁ ବୁଝାମଣା ହୋଇଥିଲା। ଏଥିରେ ମୁଖ୍ୟତଃ ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋକ ପଏଣ୍ଟକୁ ନେଇ ମଧ୍ୟ ଭାରତ ଓ ଚୀନ୍ ମଧ୍ୟରେ ଚୁକ୍ତି ହୋଇଥିଲା। ଏହାକୁ ମୂୂଳାଧାର କରି ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସୀମା ବିବାଦ ଉପରେ ଆଲୋଚନା ସମ୍ଭବ ହୋଇପାରିଥିଲା। ଦୀର୍ଘ ୫ ବର୍ଷ ପରେ ଦୁଇ ନେତା ପରସ୍ପର ସହ କଥା ହେବା ସହ ହାତ ମିଳାଇଥିଲେ। ଦୁଇ ଦେଶର ଆଲୋଚନା ପରେ ଏବେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଖବର ସାମ୍ନାକୁ ଆସିଛି। ବ୍ରିକ୍ସ ଶିଖର ସମ୍ମିଳନୀ ପରେ ଉଭୟ ଦେଶର ସେନା ଏବେ ଏସବୁ ବିବାଦୀୟ ଅଞ୍ଚଳରୁ ନିଜ ନିଜ ଅସ୍ଥାୟୀ ତମ୍ବୁ ଓ ସେଡ୍ ହଟାଇବା ଆରମ୍ଭ କରିଛନ୍ତି। ଏଥିସହିତ ସାମରିକ ଉପକରଣ ଓ ଯାନଗୁଡ଼ିକୁ ମଧ୍ୟ ପଛକୁ ଫେରାଇନେଉଥିବା ଦେଖିବାକୁ ମିଳୁଛି। ସୁତରାଂ ୨୦୨୦ ବିବାଦ ପୂର୍ବରୁ ନିଜ ପୂର୍ବ ସ୍ଥିତାବସ୍ଥାକୁ ଦୁଇ ଦେଶର ସେନା ଫେରିଯିବେ। ସୀମାରେ ଉଭୟ ଦେଶ ନିର୍ମାଣ କରିଥିବା ଅସ୍ଥାୟୀ ଭିତ୍ତିଭୂମି ଯଥା ଟେଣ୍ଟ ଓ ଅନ୍ୟାନ୍ୟ ଜିନିଷକୁ ହଟାଇବେ। ତେବେ ଗ୍ରାଉଣ୍ଡ କମାଣ୍ଡର୍ସଙ୍କ ମଧ୍ୟରେ ନିୟମିତ ମିଟିଂ ଜାରି ରହିବ। ସେହିପରି ଡେପସାଙ୍ଗ୍ ଓ ଡେମ୍‌ଚୋକ୍‌ରେ ଉଭୟ ଦେଶ ସର୍ଭେଲାନ୍ସ କରିପାରିବେ। ଏଠାରେ ପାଟ୍ରୋଲିଂ କରିବା ପୂର୍ବରୁ ଉଭୟ ଦେଶକୁ ସୂଚନା ଦେଇପାରିବେ। ଏହାଦ୍ୱାରା ଭୁଲ ବୁଝାମଣା ସୃଷ୍ଟି ହେବ ନାହିଁ।
ସୂଚନାଯୋଗ୍ୟ, ୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ପାଟ୍ରୋଲିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଗଲୱାନ୍ ଘାଟିରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଭଳି ଭୟଙ୍କର ସ୍ଥିତି ଉପୁଜିଥିଲା। ଏଥିରେ ଭାରତର ୨୦ ଜଣ ଯବାନ ସହିଦ୍ ହୋଇଥିବା ବେଳେ ଚୀନ୍‌ର ପ୍ରାୟ ୪୦ରୁ ଅଧିକ ସୈନ୍ୟ ନିହତ ହୋଇଥିଲେ। ଏହାପରେ କେଉଁ ଦେଶ ଏଲ୍‌ଏସିର କେତେ ଭିତର ଯାଏ ପାଟ୍ରୋଲିଂ କରିପାରିବ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିଶେଷକରି ଏହି ଘଟଣା ପରଠାରୁ ୨ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିଲା। ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବା ସହ, ସୀମାର ଉଭୟ ପଟେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିଥିଲେ ଦୁଇ ଦେଶ। ଏହାର ସମାଧାନ ପାଇଁ ବହୁ ପର୍ଯ୍ୟାୟରେ କୋର୍ କମାଣ୍ଡର ସ୍ତରୀୟ ବୈଠକ ଏବଂ କୂଟନୀତିକ ଆଲୋଚନା ହୋଇଥିଲା। ଶେଷରେ ଭାରତ ଓ ଚୀନ୍ ମଧ୍ୟରେ ଆପୋଷ ବୁଝାମଣା ସଫଳ ହୋଇଛି। ଏବଂ ଏବେ ଦୁଇ ଦେଶ ମଧ୍ୟରେ ଧୀରେ ଧୀରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଅଗ୍ରସର ହୋଇଆସୁଛି ଏବଂ ସୀମାରେ ଶାନ୍ତି ଫେରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking