25.1 C
Bhubaneswar
Friday, October 25, 2024
Homeଓଡିଶାବାତ୍ୟା “ଦାନା” ମୁକାବିଲା ଉଦ୍ୟମ ପ୍ରଶଂସନୀୟ

ବାତ୍ୟା “ଦାନା” ମୁକାବିଲା ଉଦ୍ୟମ ପ୍ରଶଂସନୀୟ

ଭୁବନେଶ୍ୱର: ବାତ୍ୟା “ଦାନା”ର ପ୍ରଭାବ ଏବେ ହ୍ରାସ ପାଇଥିବା ବେଳେ ପବନ ଓ ବର୍ଷାର ପ୍ରକୋପ କମିବାରେ ଲାଗିଛି । ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ ବିଭାଗର ଟିମ୍ ଓଡିଶା ବନ ଉନ୍ନୟନ ନିଗମର ଟିମ୍, ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ସଫାକାରି ଦଳ ବାତ୍ୟା ପ୍ରଭାବିତ ଜିଲ୍ଲାରେ ରାସ୍ତାଘାଟ ସଫା କରି ଗମନାଗମନ ବ୍ୟବସ୍ଥାକୁ ସ୍ୱାଭାବିକ କରୁଛନ୍ତି । ଯେଉଁ ସବୁ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଛିନ୍ନ ବା ବ୍ୟାହତ ହୋଇଛି ସେହି ସବୁ ସ୍ଥାନରେ ତ୍ୱରିତ ପଦକ୍ଷେପ ସ୍ୱରୂପ ବିଦ୍ୟୁତ୍ ର ପୁନଃ ସଂଯୋଗୀକରଣ କାର୍ଯ୍ୟ ଚାଲୁରହିଛି । ଆଜି ସନ୍ଧ୍ୟା ପୂର୍ବରୁ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ ସ୍ୱାଭାବିକ ହେବ । ଟେଲି ଯୋଗାଯୋଗ କ୍ଷେତ୍ରରେ କୌଣସି ପ୍ରକାର ଅସୁବିଧା ଉପୁଜି ନାହିଁ । ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ନିରାପଦ ଆଶ୍ରୟ ସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ଗର୍ଭବତୀ ମହିଳାମାନଙ୍କୁ ନିକଟବର୍ତ୍ତୀ ସ୍ୱାସ୍ଥ୍ୟକେନ୍ଦ୍ର/ ମା’ ଗୃହକୁ ସୁରକ୍ଷିତ ପ୍ରସବ ପାଇଁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ବର୍ତ୍ତମାନ ୧୬୦୦ ଶିଶୁ ଜନ୍ମଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୧୩ ଟି ଯମଜ ଶିଶୁ ଜନ୍ମ ହୋଇଥିବା ଜଣାପଡିଛି । ଆଶ୍ରୟସ୍ଥଳୀରେ ମଧ୍ୟ ଲୋକ ମାନଙ୍କୁ ରାତ୍ରୀରେ ରନ୍ଧା ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସରକାରଙ୍କ ସହ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟର ହାତ ବଢାଇଛନ୍ତି । ଏବେବି ମଧ୍ୟ ଜିଲ୍ଲା ପ୍ରଶାସନ ଲୋକମାନଙ୍କ ନିରାପତା ବ୍ୟବସ୍ଥା ପ୍ରତି ସଜାଗ ରହିଛନ୍ତି । ବାତ୍ୟା ଦ୍ୱାରା ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଲେଶ୍ୱର, ମୟୂରଭଞ୍ଜ, ପୁରୀ ଓ କଟକ ଜିଲ୍ଲା ମଧ୍ୟ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ଆସନ୍ତାକାଲି ପାଗ ଭଲ ରହିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ କରାଯାଇ ଖୁବ୍ ଶୀଘ୍ର କ୍ଷୟକ୍ଷତିର ସହାୟତା ରାଶି ପ୍ରଦାନ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଶ୍ରୀ ସୁରେଶ ପୁଜାରୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ବାତ୍ୟା “ଦାନା” ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ସଂପୃକ୍ତ ଜିଲ୍ଲା ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ଆନ୍ତରିକ ଓ ନିଷ୍ଠାପର ଉଦ୍ୟମ ସର୍ବଥା ଅଭିନନ୍ଦନୀୟ । ଏହି ପ୍ରୟାସ ଓ ସହଭାଗିତା ବାସ୍ତବିକ ବିରଳ ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking