27.1 C
Bhubaneswar
Wednesday, October 23, 2024
Homeଓଡିଶାବାତ୍ୟା ‘ଦାନା’ ପ୍ରଭାବିତଙ୍କୁ ସହାୟତା ପାଇଁ ହେଲ୍ପଲାଇନ ଜାରି କଲା ବିଜେଡି

ବାତ୍ୟା ‘ଦାନା’ ପ୍ରଭାବିତଙ୍କୁ ସହାୟତା ପାଇଁ ହେଲ୍ପଲାଇନ ଜାରି କଲା ବିଜେଡି

– ନବୀନଙ୍କ ଶାସନ କାଳରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟରେ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା
– ଦଳର ସମସ୍ତ କର୍ମୀ ଓ ନିର୍ବାଚିତ ପ୍ରତିନିଧି ବାତ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ ପାଇଁ ସଜାଗ
– ବିଜେଡ଼ିର ୨୪ ଘଣ୍ଟିଆ ହେଲ୍ପଲାଇନ ନଂ ଜାରି- ୯୯୩୭୦୫୨୫୭୮/୮୯୮୫୩୦୩୫୩୪

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବକୁ ନେଇ ଜନମାନସରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ଦୃଢ଼ ମନୋବଳ ନେଇ ବାତ୍ୟାକୁ ମୁକାବିଲା କରିବା ପାଇଁ ଆହ୍ଵାନ ଦେଇଛନ୍ତି। ଓଡ଼ିଶାରେ ଏକ ସୁଦୃଢ଼ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି ଓ ଏହି ବ୍ୟବସ୍ଥା ମାଧ୍ୟମରେ ସମସ୍ତଙ୍କ ମିଳିତ ଉଦ୍ୟମରେ ରାଜ୍ୟରେ ଆସିଥିବା ଅନେକ ବାତ୍ୟାର ସଫଳ ମୁକାବିଲା କରିବାରେ ସକ୍ଷମ ହୋଇଛେ। ତେଣୁ ଭୟ ନକରି ସଜାଗ ରହି ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନବୀନ ଜନ ସାଧାରଣକୁ ଆହ୍ୱାନ ଦେଇଛନ୍ତି।

ବାତ୍ୟା ମୁକାବିଲାରେ ପ୍ରଶାସନକୁ ସହଯୋଗ କରିବା ପାଇଁ ନବୀନ ଅନୁରୋଧ କରିଥିବା ବେଳେ, ଦଳର କର୍ମୀ ଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଏହି ବିପଦ ସମୟରେ ଲୋକଙ୍କ ସହ ରହି ବାତ୍ୟାରେ ପ୍ରଭାବିତଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ପୂର୍ବପରି ବାତ୍ୟା ‘ଦାନା’କୁ ମଧ୍ୟ ଆମେମାନେ ସଫଳତାର ସହିତ ମୁକାବିଲା କରି ପାରିବା ବୋଲି ନବୀନ କହିଛନ୍ତି। ଆଜି ଶଙ୍ଖଭଵନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଓ ଡ଼ଃ ପ୍ରିୟବ୍ରତ ମାଝୀ ନବୀନଙ୍କ ଭିଡିଓ ବାର୍ତ୍ତା ବିଷୟରେ ସୂଚନା ଦେବା ସହ ନବୀନଙ୍କ ଶାସନ କାଳରେ ଓଡିଶା କିପରି ଭାବେ ବାତ୍ୟା ମୁକାବିଲା କ୍ଷେତ୍ରରେ ଏକ ଉଦାହରଣ ପାଲଟିଥିଲା ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ, ୧୯୯୯ ମହାବାତ୍ୟା ସମୟରେ ରାଜ୍ୟ ସରକାରଙ୍କ ନିକଟରେ ବାତ୍ୟା ମୁକାବିଲା ପାଇଁ କୌଣସି ବ୍ୟବସ୍ଥା ନଥିଲା, ଯେଉଁ କାରଣରୁ ପଡୋଶୀ ରାଜ୍ୟମାନଙ୍କ ଠାରୁ ସହାୟତା ଗ୍ରହଣ କରାଯାଇଥିଲା।

ବାତ୍ୟା ସମୟରେ ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କୁ ସୁରକ୍ଷା ଦେବା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ନଥିଲା। ନବୀନ ବାବୁ ଶାସନ ଭାର ଗ୍ରହଣ କରିବା ପରେ ବାତ୍ୟା ମୁକାବିଲା ପାଇଁ ଏକ ସୁଦୃଢ଼ ବାତ୍ୟା ମୁକାବିଲା ବ୍ୟବସ୍ଥା ପ୍ରତିଷ୍ଠା କରିଥିଲେ ଏବଂ ବାତ୍ୟାପ୍ରବଣ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳ ମାନ ନିର୍ମାଣ ହୋଇଥିଲା। ବାତ୍ୟାକୁ ମୁକାବିଲା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି ମାନ କିଣା ଯାଇଥିଲା ଓ ତାର ସଫଳ ବ୍ୟବହାର ପାଇଁ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା। ପରବର୍ତ୍ତୀ ସମୟରେ, ଅନ୍ୟ ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସହାୟତା ପ୍ରଦାନ କରିଥିଲା। ଏକ ସଫଳ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ ମିଳିତ ଜାତିସଙ୍ଘ ଦ୍ୱାରା ଓଡିଶାର ଉଦ୍ୟମକୁ ପ୍ରଶଂସା କରାଯାଇଥିଲା ବୋଲି ଡ଼ଃ ଲେନିନ ମହାନ୍ତି କହିଥିଲେ।

ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ମୁକାବିଲା କରିବା ପାଇଁ ରାଜ୍ୟରେ ସବୁ ସ୍ତରରେ ପ୍ରସ୍ତୁତି ଚାଲିଥିବା ବେଳେ, ବିଜୁ ଜନତା ଦଳ ତରଫରୁ ଏକ ହେଲ୍ପଲାଇନ ପ୍ରତିଷ୍ଠା କରାଯାଇଛି ବୋଲି ଡ଼ଃ ପ୍ରିୟବ୍ରତ ମାଝୀ ସୂଚନା ଦେଇଥିଲେ। ହେଲ୍ପଲାଇନ ପାଇଁ ଦିଆଯାଇଥିବା ଦୁଇଟି ନମ୍ବର ହେଲା, ୯୯୩୭୦୫୨୫୭୮ ଓ ୮୯୮୫୩୦୩୫୩୪ । ଏହି ଦୁଇଟି ନମ୍ବର ବାତ୍ୟା ପୂର୍ବରୁ ଓ ବାତ୍ୟା ପରେ ମଧ୍ୟ ଚବିଶ ଘଣ୍ଟା ଖୋଲା ରହିବ। ଏଥିରେ ବାତ୍ୟା ସମ୍ପର୍କିତ କୌଣସି ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ଯୋଗାଯୋଗ କରି ପାରିବେ। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଏହି ବାତ୍ୟାରେ ପ୍ରଭାବିତ ଲୋକଙ୍କୁ ସହାୟତା କରିବାକୁ ସଜାଗ ରହିବେ ବୋଲି ଡ଼ଃ ମାଝୀ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking