27.1 C
Bhubaneswar
Wednesday, October 23, 2024
Homeଓଡିଶାଓଡ଼ିଶାରେ ପ୍ରଥମ ଥର ପାଇଁ ହୃତପିଣ୍ଡ ପ୍ରତିରୋପଣ ନିମନ୍ତେ ସ୍ୱାକ୍ଷର ହେଲା ବୁଝାମଣାପତ୍ର

ଓଡ଼ିଶାରେ ପ୍ରଥମ ଥର ପାଇଁ ହୃତପିଣ୍ଡ ପ୍ରତିରୋପଣ ନିମନ୍ତେ ସ୍ୱାକ୍ଷର ହେଲା ବୁଝାମଣାପତ୍ର

ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ ଯୋଗୁଁ ଉପକୃତ ହେବେ ରାଜ୍ୟବାସୀ : ମନ୍ତ୍ରୀ ଡ. ମହାଲିଙ୍ଗ
ଭୁବନେଶ୍ୱର: ଆଜି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ପ୍ରତିରୋପଣ ଆରମ୍ଭ କରିବା ପାଇଁ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଏବଂ ଚେନ୍ନାଇସ୍ଥିତ ଏମ୍‌ଜିଏମ୍‌ ହେଲଥ୍‌କେୟାର ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟପାର, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷଠାରେ ସ୍ୱାକ୍ଷରିତ ହୋଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଲୋକହିତୈଷୀ ସରକାର ଓଡ଼ିଶାବାସୀଙ୍କୁ ଗୁଣାତ୍ମକ ଓ ସୁଲଭ ଚିକିତ୍ସାସେବା ଯୋଗାଇଦେବା ପାଇଁ ପ୍ରତିବଦ୍ଧ । ଆଜିର ବୁଝାମଣାପତ୍ର ତା’ର ଏକ ଜ୍ୱଳନ୍ତ ଉଦାହରଣ । ଏହି ଐତିହାସିକ ପଦକ୍ଷେପ ଦ୍ୱାରା ଓଡ଼ିଶାବାସୀ, ବିଶେଷ କରି ଗରିବ ରୋଗୀମାନେ ଉପକୃତ ହେବେ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍‌ପିଟାଲ୍‌ରେ ଅଦ୍ୟାବଧି ବୃକକ୍‌, ଅସ୍ଥିମଜ୍ଜା ଓ ଯକୃତ ପ୍ରତିରୋପଣ ହେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଥିବାରୁ ଏମ୍‌ଜିଏମ୍‌ ହେଲଥ୍‌ କେୟାର ଏସ୍‌ସିବିରେ ହୃତପିଣ୍ଡ ପ୍ରତିରୋପଣ କରିବା ପାଇଁ ସମ୍ମତି ପ୍ରକାଶ କରିଛି । ଏସ୍‌ସିବିରେ ପ୍ରଥମ ଦଶଜଣଙ୍କ ହୃତପିଣ୍ଡ ପ୍ରତିରୋପଣ ସଂପୂର୍ଣ୍ଣ ମାଗଣାରେ କରାଯିବ । ଏହା ମଧ୍ୟରେ ଏମ୍‌ଜିଏମ୍‌ ହେଲଥ୍‌ କେୟାର ଓଡ଼ିଶାର ଦୁଇଟି ଡାକ୍ତରୀ ଦଳକୁ ବିନାଦେୟରେ ତାଲିମ ଦେଇଛି । ପ୍ରଥମେ ଏସ୍‌ସିବିରେ ଏମ୍‌ଜିଏମ୍‌ ହେଲଥ୍‌ କେୟାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୃତପିଣ୍ଡ ପ୍ରତିରୋପଣ କରାଯିବ । ଏସ୍‌ସିବିର ଡାକ୍ତରମାନେ ଏହି କାର୍ଯ୍ୟରେ ପାରଙ୍ଗମ ହେଲା ପରେ ନିଜ ଦଳ ନେଇ ହୃତପିଣ୍ଡ ପ୍ରତିରୋପଣ କରିବେ । ଏହା ଦ୍ୱାରା ଓଡ଼ିଶା ଲୋକଙ୍କୁ ଏହି ଚିକିତ୍ସା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ମନ୍ତ୍ରୀ ଡ. ମହାଲିଙ୍ଗ, କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍‌ଙ୍କ ଉପସ୍ଥିତିରେ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡା. ସନ୍ତୋଷ ମିଶ୍ର ଏବଂ ଏମ୍‌ଜିଏମ୍‌ ହେଲଥ୍‌ କେୟାର ପକ୍ଷରୁ ଡା. ସୁରେଶ ରାଓ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌ସିବିର ପ୍ରଫେସର ଡା. ମନୋଜ କୁମାର ପଟ୍ଟନାୟକ, ପ୍ରଫେସର ଡା. ସୁର କିଶୋର ମିଶ୍ର ଓ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking