ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ପ୍ରଭାବିତ ହେବାକୁ ଅଞ୍ଚଳରେ ବୁଧବାର ସକାଳୁ ଆରମ୍ଭ ହେବ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆବଶ୍ୟକସ୍ଥଳେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ । ୩ ହଜାରରୁ ଅଧିକ ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଚିହ୍ନଟ କରାଯାଇଛି । ବୁଧବାର ସୂର୍ଯ୍ୟାସ୍ତ ପୂର୍ବରୁ ସରିବ ସ୍ଥାନାନ୍ତରଣ ।
୮୬୪୭ ଜଣ ଗର୍ଭବତୀ ମହିଳାଙ୍କୁ ନିରାପଦ ପ୍ରସବ ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି । ୧୪ଟି ଜିଲ୍ଲାରେ ପ୍ରସ୍ତୁତି ଜୋରଦାର କରାଯାଇଛି । ୨୦ଟି ଏନଡିଆରଏଫ ଟିମ୍, ୫୧ଟି ଓଡ୍ରାଫ ଟିମ୍ ଓ ୧୭୮ ଅଗ୍ନିଶମ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ଆଗୁଆ ମୁତୟନ ହୋଇଛନ୍ତି । ଆଉ ୫ଟି ଏନଡିଆରଏଫ ଟିମ୍ ଆଜି ରାତିରେ ଆସି ପହଞ୍ଚିବେ । ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ଉଚ୍ଚସ୍ତରୀୟ ବୈଠକ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସଚିବସ୍ତରୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡ଼ା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ପୁରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କଟକ, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କେନ୍ଦୁଝର, ବିଭୁତି ଭୂଷଣ ଜେନାଙ୍କୁ ଗଞ୍ଜାମ, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୟୂରଭଞ୍ଜ, ସୁରଜ ସୂର୍ଯ୍ୟବଂଶୀଙ୍କୁ ଭଦ୍ରକ, ରବିନାରାୟଣ ନାଏକଙ୍କୁ ବାଲେଶ୍ୱର ଓ ସମ୍ପଦ ସ୍ୱାଇଁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଏହି ସବୁ ଜିଲ୍ଲାରେ ଉଦ୍ଧାର ଓ ପ୍ରସ୍ତୁତି କାର୍ଯ୍ୟକୁ ମନ୍ତ୍ରୀମାନେ ତଦାରଖ କରିବେ ।
୧୪ ଜିଲ୍ଲାର ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅଙ୍ଗନାବାଡ଼ି ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରମାନଙ୍କ ଛୁଟି ମଧ୍ୟ ୨୫ ତାରିଖ ଯାଏଁ ବାତିଲ କରାଯାଇଛି । ସମସ୍ତ ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀରେ ରହି ଲୋକଙ୍କୁ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଦନ କରିଛନ୍ତି । ସର୍ବାଧିକ ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାକୁ ଅନୁଭବୀ ବରିଷ୍ଠ ଅଫିସରଙ୍କୁ ପଠାଯାଇଛି । ବରିଷ୍ଠ ଆଇଏଏସ୍ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂହଙ୍କୁ ପୁରୀ, ଭିନିଥ ଭରଦ୍ୱାଜଙ୍କୁ ମୟୂରଭଞ୍ଜ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ପଠାଯାଇଛି । ସେମାନେ ବରିଷ୍ଠ ଅଧିକାରୀ ଭାବେ ସମସ୍ତ କାର୍ଯ୍ୟକୁ ତଦାରଖ କରିବେ ।










