26.1 C
Bhubaneswar
Wednesday, February 11, 2026
Homeଓଡିଶାଓଏଏସ୍ ପରୀକ୍ଷା ଫଳ ପ୍ରକାଶିତ: ୬୮୩ କୃତକାର୍ଯ୍ୟ, ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର

ଓଏଏସ୍ ପରୀକ୍ଷା ଫଳ ପ୍ରକାଶିତ: ୬୮୩ କୃତକାର୍ଯ୍ୟ, ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର

-ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ମହିଳା , ୫ ପୁରୁଷ
କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)-ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୬୮୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲା ବେଳେ ଏଥିରେ ୪୨୫ଜଣ ପୁରୁଷ ଏବଂ ୨୫୮ଜଣ ମହିଳା ରହିଛନ୍ତି । ତେବେ ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର ହୋଇଛନ୍ତି । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ଜଣ ଲେଖାଏଁ ପୁରୁଷ ଓ ମହିଳା ପରୀକ୍ଷାର୍ଥୀ ରହିଛନ୍ତି । ପ୍ରିଙ୍କିଲ ପରବୀନ ପରିଡ଼ା ଦ୍ୱିତୀୟ, ଦୀପ୍ତିରଞ୍ଜନ ପତି ତୃତୀୟ, ପ୍ରଜ୍ଞା ପାରଙ୍ଗମା ଚତୁର୍ଥ, ଆଜାଦ୍ କୁମାର ସାହୁ ପଞ୍ଚମ, ଦୀପମ୍‌ରାଉତ ଷଷ୍ଠ, ଦେବବ୍ରତ ଗୌଡ ସପ୍ତମ, ଆଦିତ୍ୟ ଦୀପଙ୍କର ଷଡଙ୍ଗୀ ଅଷ୍ଟମ, କପିଳ କୁମାର ମହାନ୍ତି ନବମ ଏବଂ ଅମ୍ରିତା ସାହୁ ଦଶମ ସ୍ଥାନରେ ରହିଛନ୍ତି ।

ପ୍ରମାଣପତ୍ର ଯାଞ୍ଚ ସମୟରେ ଅନୁପସ୍ଥିତ ରହିବା ଏବଂ ପ୍ରମାଣପତ୍ରରେ ତ୍ରୁଟି ଥିବାରୁ ୨୬ ଜଣ ପରୀକ୍ଷାର୍ଥୀଙ୍କୁ ନାକଚ କରାଯାଇଛି ବୋଲି ଓପିଏସସି ଅଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ଓପିଏସସି ପକ୍ଷରୁ ୨୦୨୨ ଡିସେମ୍ବର ୩୧ରେ ଓଡ଼ିଶା ସିଭିଲ ସର୍ଭିସର ଗ୍ରୁପ-ଏ ଏବଂ ଗ୍ରୁପ-ବିର ୬୮୩ଟି ପଦ ପୂରଣ ନିମନ୍ତେ ପରୀକ୍ଷା କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୩ ଜାନୁଆରୀ ୧୭ ଠାରୁ ଫେବୃଆରୀ ୧୬ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ମୋଟ ପଦ ମଧ୍ୟରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ରେ ୨୪୪, ଓଡ଼ିିଶା କୋଅପରେଟିଭ ସର୍ଭିସ (ଓସିଏସ)ରେ ୭, ଓଡ଼ିଶା ଲେବର ସର୍ଭିସ (ଓଏଲଏସ)ରେ୫୦, ଓଡ଼ିଶା ରାଜସ୍ୱ ସେବା (ଓଆରଏସ)ରେ ୨୯୫,ଓଡ଼ିଶା ପରିବହନ ସେବା (ଓଟିଏସ)ରେ ୨୨, ଓଡ଼ିଶା ଟ୍ୟାକ୍ସେସନ ଓ ଆକାଉଣ୍ଟ୍ସ ସେବା (ଓଟି ଓ ଏଏସ)ରେ ୬୫ ପଦ ପୂରଣ ନିମନ୍ତେ ଏହି ବିଜ୍ଞପ୍ତିରେ ଦର୍ଶାଯାଇଥିଲା ।

ମୋଟ ପଦରୁ ଅସଂରକ୍ଷିତ ବର୍ଗରେ ୩୮୭, ଏସଇବିସି ବର୍ଗରେ ୭୧, ଅନୁସୂଚିତ ଜାତି ବର୍ଗରେ ୮୯ ଏବଂ ଅନୁସୂଚିତ ଜନଜାତି ବର୍ଗରେ ୧୩୬ ଆଦି ପଦ ସଂରକ୍ଷିତ ରଖାଯାଇଥିଲା ।୨୦୨୩ ମସିହା ଅକ୍ଟୋବର ୧୫ ତାରିଖରେ ପ୍ରିଲିମିନାରୀ ପରୀକ୍ଷା କରାଯାଇଥିଲା । ୯୨ ହଜାର ୯୧୪ ପ୍ରାର୍ଥୀ ଆବେଦନ କରିଥିବାବେଳେ ପ୍ରାୟ ୪୦ ହଜାର ୫୮୬ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ ।

ସେହିବର୍ଷ ନଭେମ୍ବର ୨୪ ତାରିଖ ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ୮୨୨୦ ପରୀକ୍ଷାର୍ଥୀ ମୁଖ୍ୟ ଲିଖିତ ପରୀକ୍ଷା ନିମନ୍ତେ ଉତ୍ତୀର୍ଣ୍ଣ ହୋଇଥିଲେ । ଚଳିତବର୍ଷ ଫେବୃଆରୀ ୨୫ରୁମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ମେନ୍ ମୁଖ୍ୟ ଲିଖିତ ପରୀକ୍ଷା କରାଯାଇଥିଲା । ଅଗଷ୍ଟ ୨୮ ତାରିଖ ଫଳ ପ୍ରକାଶ ପାଇଥିବାବେଳେ ୧୩୬୭ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ସେମାନଙ୍କୁ ନେଇ ଗତ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ସାକ୍ଷାତ୍‌କାର ଏବଂ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଓପିଏସସିର ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking