29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶସଲମାନଙ୍କୁ ହତ୍ୟା ପାଇଁ ୨୫ ଲକ୍ଷର ସୁପାରୀ, ପାକିସ୍ତାନରୁ ଆସିଥିଲା ଏକେ-୪୭

ସଲମାନଙ୍କୁ ହତ୍ୟା ପାଇଁ ୨୫ ଲକ୍ଷର ସୁପାରୀ, ପାକିସ୍ତାନରୁ ଆସିଥିଲା ଏକେ-୪୭

ମୁମ୍ବାଇ: ନୂଆଦିଲ୍ଲୀ,୧୭ା୧୦: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ କିଲରଙ୍କୁ ୨୫ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା। କେବଳ ସେତିକି ନୁହେଁ, ହତ୍ୟା କରିବା ପାଇଁ ପାକିସ୍ତାନରୁ ଏକ ଏକେ-୪୭ ବନ୍ଧୁକ ମଧ୍ୟ ଆସିଥିଲା। ସଲମାନଙ୍କୁ ତାଙ୍କରି ଫାର୍ମ ହାଉସରେ ହିଁ ହତ୍ୟା କରିବାର ଯୋଜନା କରାଯାଇଥିଲା। ନଭି ମୁମ୍ବାଇ ପୁଲିସ୍ ପକ୍ଷରୁ ଦାଖଲ ହୋଉଥିବା ଚାର୍ଜସିଟରେ ଏଭଳି କିଛି ଖୁଲାସା ହୋଇଛି।

ମୁମ୍ବାଇ ପୁଲିସ୍ ୫ଜଣଙ୍କ ନାମରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ଦର୍ଶାଇଛି ଯେ, ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନିର୍ଦ୍ଦେଶରେ ସଲମାନ୍‌ଙ୍କୁ ହତ୍ୟା ପାଇଁ ଡିଲ୍ କରାଯାଇଥିଲା ଏବଂ ଏକ ନାବାଳକ ଗ୍ୟାଙ୍ଗ୍‌କୁ ସୁପାରୀ ଦିଆଯାଇଥିଲା। ଏହି ଗ୍ୟାଙ୍ଗ୍‌ରେ ସାମିଲ ଥିବା ସମସ୍ତ ଅପରାଧୀଙ୍କ ବୟସ ପ୍ରାୟତଃ ୧୮ବର୍ଷରୁ କମ୍ ଥିଲା। କେବଳ ସେତିକି ନୁହେଁ ସଲମାନ୍‌ଙ୍କୁ ହତ୍ୟା କରିବା ପାଇଁ ଯେଉଁ ନାବାଳକଙ୍କୁ ନିୟୋଜିତ କରାଯାଇଥିଲା ସେମାନଙ୍କ ପାଇଁ ପାକିସ୍ତାନରୁ ଅତ୍ୟାଧୁନିକ ଅସ୍ତ୍ର ଏ.କେ ୪୭, ଏ.କେ ୯୨ ଏବଂ ଏମ୍ ୧୬ ଏବଂ ତୁର୍କୀରେ ନିର୍ମିତ ଜିଗାନା ଅସ୍ତ୍ର ଆଦି ଆଣିବା ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଥିଲା। ସଲମାନ୍‌ଙ୍କ ପାଇଁ କଡାକଡି ରହିଥିବା ସିକ୍ୟୁରିଟି ବ୍ୟବସ୍ଥା ଏବଂ ବୁଲେଟ୍ ପ୍ରୁଫ୍ ଗାଡ଼ି ଯୋଗୁଁ ହତ୍ୟାକାଣ୍ଡ ପାଇଁ ହାଇଟେକ୍ ଅସ୍ତ୍ରଶସ୍ତ୍ର ଆବଶ୍ୟକ ହେବ ବୋଲି ଲରେନ୍ସ ବିଷ୍ଣୋଇ ବେଶ୍ ଭଲଭାବେ ଜାଣିଥିଲା। ଏଥିପାଇଁ ଅଭିଯୁକ୍ତ ନାବାଳକଙ୍କୁ ହାଇଟେକ୍ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ସେ କହିଥିଲା।

ମୋଟାମୋଟି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ଭଳି ସଲମାନ୍‌ଙ୍କୁ ମଧ୍ୟ ହତ୍ୟା କରାଯିବା ପାଇଁ ସବୁକିଛି ପ୍ରସ୍ତୁତ କରାଯାଇଥିଲା। ତେବେ ଏସବୁ ନାବାଳକ ମୁଖ୍ୟତଃ ପୁଣେ, ରାଇଗଡ, ନଭି ମୁମ୍ବାଇ, ଥାଣେ ଏବଂ ଗୁଜରାଟ ଆଦି ଅଞ୍ଚଳରେ ଲୁଚି ରହିଥିଲେ। ଏମାନଙ୍କ ୬୦ ରୁ ୭୦ ଜଣ ସଲମାନଙ୍କ ପ୍ରତ୍ୟେକ ଗତିବିଧିକୁ ଟ୍ରାକ୍ କରୁଥିଲେ, ବିଶେଷ କରି ସଲମାନ୍‌ଙ୍କ ବାନ୍ଦ୍ରାସ୍ଥିତ ଘର, ପାନଭେଲା ଫାର୍ମ ହାଉସ ଏବଂ ଗୋରେଗାଓଁ ଫିଲ୍ମ ସିଟି ଉପରେ ନଜର ରଖାଯାଇଥିଲା। ଏହାପରେ ସଲମାନଙ୍କୁ ହତ୍ୟା କରିବାକୁ ଅଗଷ୍ଟ ୨୦୨୩ ଏବଂ ଏପ୍ରିଲ ୨୦୨୪ ମଧ୍ୟରେ କରିବାକୁ ଯୋଜନା କରାଯାଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି।

ଚାର୍ଜସିଟ୍ ଅନୁସାରେ ସବୁକିଛି ପ୍ରସ୍ତୁତ ହୋଇସାରିଥିଲା। କେବଳ ଅପେକ୍ଷା ଥିଲା କାନାଡା ଭିତ୍ତିକ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ଠାରୁ ଗ୍ରୀନ ସିଗନାଲକୁ। ଗ୍ରୀନ୍ ସିଗନାଲ ମିଳିବା ପରେ ଏମାନେ କାମରେ ଲାଗିପଡ଼ିଥାନ୍ତେ। ଏପରିକି ଅଭିଯୁକ୍ତଙ୍କୁ ଅସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ଭିତ୍ତିକ ଅସ୍ତ୍ର ବିକ୍ରେତା ଡୋଗରଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ଅର୍ଡର ବାବଦ ୫୦% ଆଡ଼ଭାନ୍ସ ପେମେଣ୍ଟ ମଧ୍ୟ କରାଯାଇସାରିଥିଲା।

ଏତଦ୍‌ବ୍ୟତୀତ ସଲମାନ୍‌ଙ୍କୁ ଗୁଳିମାଡ଼ କରିବା ପରେ ଅଭିଯୁକ୍ତମାନେ କନ୍ୟାକୁମାରୀରେ ଏକାଠି ହେବା ପାଇଁ ଏବଂ ସେଠାରୁ ସେମାନେ ଡଙ୍ଗାରେ ଶ୍ରୀଲଙ୍କା ପଳାୟନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ମୋଟାମୋଟି ପାନଭେଲ ଫାର୍ମହାଉସରେ ସଲମାନ ଖାନଙ୍କୁ ଗୁଳିକରି ହତ୍ୟା କରାଯିବାର ରଚାଯାଇଥିବା ଷଡଯନ୍ତ୍ର ସେତେବେଳେ ଜଣାପଡିଥିଲା ଯେତେବେଳେ ମୁମ୍ବାଇ ବାନ୍ଦ୍ରାସ୍ଥିତ ସଲମାନ୍‌ଙ୍କ ଘର ବାହାରେ ଗୁଳି ବିନିମୟ ଘଟଣାର ତଦନ୍ତ କରିଥିଲା। ଏହି ସମୟରେ ଲରେନ୍ସ ବିଷ୍ଣୋଇର ଅନ୍ୟତମ ସହଯୋଗୀ ସୁଖା ହରିଆଣାର ପାନିପତ୍‌ରୁ ଗିରଫ ହେବା ପରେ ସବୁକିଛି ଜଣାପଡିଯାଇଥିଲା। ସୁଖା ଏହି ଷଡଯନ୍ତ୍ରରେ ସମ୍ପୃକ୍ତ ସୁଟର ଅଜୟ କାଶ୍ୟପ ଛଦ୍ମନାମ ଏ.କେ ଏବଂ ଅନ୍ୟ ୪ଜଣଙ୍କୁ ଏହି କଣ୍ଟ୍ରାକ୍ଟ ଦେଇଥିଲା। ସୁଖା ଏସବୁ ଲରେନ୍ସ ବିଷ୍ଣୋଇ ନିର୍ଦ୍ଦେଶରେ ହିଁ କରିଥିଲା ବୋଲି ପୁଲିସ୍ ସମ୍ମୁଖରେ ସ୍ୱୀକାର କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking