28.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶନିର୍ବାଚନରେ ମାଗଣା ଉପହାର ପ୍ରତିଶ୍ରୁତି, କେନ୍ଦ୍ର ଓ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନିର୍ବାଚନରେ ମାଗଣା ଉପହାର ପ୍ରତିଶ୍ରୁତି, କେନ୍ଦ୍ର ଓ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ମାଗଣା ଉପହାର ଓ ଯୋଜନା ପ୍ରତିଶ୍ରୁତି ବିରୋଧରେ ଆଗତ ପିଟିସନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନ (ଇସି)ଙ୍କୁ ନୋଟିସ୍ ଜାରି କରିଛନ୍ତି। କର୍ଣ୍ଣାଟକର କେ. ଶଶାଙ୍କ ଜେ. ଶ୍ରୀଧର ଏହି ପିଟିସନ କରି ନିର୍ବାଚନ ବେଳେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ମାଗଣା ଉପହାର ପ୍ରତିଶ୍ରୁତିକୁ ଲାଞ୍ଚ ଘୋଷଣା କରିବାକୁ ନିବେଦନ କରିଥିଲେ। ନିର୍ବାଚନ କମିଶନ ଏପରି ଯୋଜନା ଉପରେ ରୋକ ଲଗାନ୍ତୁ ବୋଲି ମଧ୍ୟ ସେ ଦାବି କରିଥିଲେ । ସୁପ୍ରିମକୋର୍ଟ ପୁରୁଣା ପିଟିସନଗୁଡ଼ିକୁ ଏହି ପିଟିସନ ସହ ଏକାଠି କରିଦେଇଛନ୍ତି।

ପିଟିସନରେ କୁହାଯାଇଛି ଯେ, ନିର୍ବାଚନ ପରେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ଫ୍ରିବିଜ୍ ବା ମାଗଣା ଉପହାର ପ୍ରତିଶ୍ରୁତି ପୂରଣ କରିବା ପାଇଁ କୌଣସି ମେକାନିଜମ୍ ନାହିଁ, ଯେଉଁ ଆଧାରରେ ସେହି ଦଳ ଭୋଟ ହାତେଇଥିଲା । ମାଗଣା ଯୋଜନା ଏବଂ ଟଙ୍କା ବାଣ୍ଟିବା ଭଳି ପ୍ରତିଶ୍ରୁତି ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଅନୁସାରେ ଲାଞ୍ଚ ବଦଳରେ ଭୋଟକୁ ପ୍ରୋତ୍ସାହିତ କରିବାର ଭ୍ରଷ୍ଟ ପ୍ରଥା। ରାଜନୈତିକ ଦଳଗୁଡ଼ିକ ଏପରି ପ୍ରତିଶ୍ରୁତିକୁ କିପରି ପୂରଣ କରିବେ ସେ ବାବଦରେ କହି ନଥାନ୍ତି । ଏହାଦ୍ୱାରା ରାଜକୋଷ ଉପରେ ବୋଝ ପଡ଼ିଥାଏ । ଏହା ଭୋଟର ଏବଂ ସମ୍ବିଧାନ ସହ ପ୍ରତାରଣା ଭଳି । ତେଣୁ ଏହା ଉପରେ ତତ୍କାଳ ରୋକ ଲଗାଯାଉ । ୨୦୨୨ ଜାନୁଆରୀରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ମଧ୍ୟ ମାଗଣା ଉପହାର, ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ପିଟିସନ ଦାଖଲ କରିଥିଲେ । ୨୦୨୨ ଅଗଷ୍ଟରେ ସୁପ୍ରିମକୋର୍ଟରେ ଏହା ଉପରେ ଶୁଣାଣି ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking