28.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଶେୟାର ବଜାରରେ ନିବେଶ ନାଁରେ ଲୁଟ୍

ଶେୟାର ବଜାରରେ ନିବେଶ ନାଁରେ ଲୁଟ୍

ନୂଆଦିଲ୍ଲୀ: ବ୍ୟାଙ୍କରେ ରଖିବା ପରିବର୍ତ୍ତେ ଲୋକେ ଶେୟାର ମାର୍କେଟରେ ଟଙ୍କା ଲଗାଇବାକୁ ପସନ୍ଦ କରୁଛନ୍ତି । ଶେୟାର ବଜାରରେ ଟଙ୍କା ଲଗାଇବା ଦ୍ବାରା ବ୍ୟାଙ୍କ ଅପେକ୍ଷା ଅଧିକ ରିଟର୍ଣ୍ଣ ମିଳିବାର ଆଶା ବଢ଼ିଯାଉଛି । କିନ୍ତୁ ଅନଲାଇନ୍ ଟ୍ରେଡିଂରେ ଟଙ୍କା ଲଗାଇବା ପୂର୍ବରୁ ସେ ବାବଦରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଜରୁରି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବଜାର ନିୟାମକ ସେବି ବାରମ୍ବାର ଚେତାବନୀ ଦେଇଆସିଛି । ଏହା ସତ୍ତ୍ୱେ ଲୋକମାନେ ସାଇବର ଠକେଇର ଶିକାର ହେଉଛନ୍ତି । ମଙ୍ଗଳବାର ବେଙ୍ଗଲୁରୁ ପୋଲିସ ଶେୟାର ମାର୍କେଟ ସହ ଜଡ଼ିତ ଏକ ଠକେଇର ପର୍ଦ୍ଦାଫାସ କରିଥିବା ନେଇ ସୂଚନା ଦେଇଛି । ଷ୍ଟକ୍ ମାର୍କେଟରେ ଟଙ୍କା ଲଗାଇଲେ ମୋଟାଅଙ୍କର ରିଟର୍ଣ୍ଣ ଦେବା ନେଇ ପ୍ରତିଶ୍ରୁତି ଦେଇ ୯୭ କୋଟି ଟଙ୍କା ଠକିନେଇଥିବା ୮ ସାଇବର ଠକଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଆକ୍ସିସ୍ ବ୍ୟାଙ୍କର ମ୍ୟାନେଜର ଏବଂ ତିନି ଜଣ ସେଲ୍ସ ଏକ୍ଜିକ୍ୟୁଟିଭ୍ ସାମିଲ ଅଛନ୍ତି । ବାଡ଼ ହୋଇ ଫସଲ ଖାଇଲା ଭଳି ବ୍ୟାଙ୍କର ଏହି କର୍ମଚାରୀ ଲୋକଙ୍କୁ ଚୂନ ଲଗାଇବା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଦେଶର ବିଭିନ୍ନ ଥାନାରେ ୯୭ କୋଟି ଟଙ୍କାର ଠକେଇ ମାମଲା ସହ ସଂପର୍କିତ ୨୫୪ଟି ମାମଲା ରୁଜୁ ହୋଇଛି । ତେବେ ଏହି ଟଙ୍କା ବ୍ୟାଙ୍କ କର୍ମଚାରୀଙ୍କ ଦ୍ବାରା ଖୋଲାଯାଇଥିବା ୬ଟି ଆକାଉଣ୍ଟ ଜରିଆରେ ନେଣଦେଣ କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ପଶ୍ଚିମ ବେଙ୍ଗାଲୁରୁରେ ଥିବା ଘରୋଇ ବ୍ୟାଙ୍କର ମ୍ୟାନେଜର କିଶୋର ସାହୁ ଏବଂ ସେଲ୍ସ ଏକ୍ଜିକ୍ୟୁଟିଭ୍ ମନୋହର, କାର୍ତ୍ତିକ ଏବଂ ରାକେଶ ସାମିଲ । ସେମାନଙ୍କ ବ୍ୟତୀତ ଲକ୍ଷ୍ମୀକାନ୍ତ, ରଘୁରାଜ, କେଙ୍ଗେଗୌଡା ଏବଂ ମାଲା ସିପିଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନାଁରେ ନକଲି ବ୍ୟାଙ୍କ ଆକାଉଣ୍ଟ ରହିଛି।

ଗତ ମାର୍ଚ୍ଚରେ ଉତ୍ତର ବେଙ୍ଗାଲୁରୁର ଜଣେ ବାସିନ୍ଦାଙ୍କ ପାଖରୁ ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଅଭିଯୋଗକାରୀଙ୍କ ଅନୁସାରେ, ତାଙ୍କୁ ଗୋଟିଏ ହ୍ବାଟସଆପ୍ ଗ୍ରୁପରେ ସାମିଲ କରାଯାଇଥିଲା । ସେଥିରେ ଶେୟାର ମାର୍କେଟରେ ନିବେଶ କରିବାର ଶୈଳୀ ଏବଂ କିଭଳି ୧୦ ଗୁଣ ରିଟର୍ଣ୍ଣ ମିଳିପାରିବ ସେନେଇ ତାଙ୍କୁ ଅବଗତ କରାଯାଇଥିଲା । ଏହା ପରେ ଲୋଭର ବଶବର୍ତ୍ତୀ ହୋଇ ବ୍ୟକ୍ତିଜଣଙ୍କ ୫୦ ହଜାର ଟଙ୍କା ନିବେଶ କରିଥିଲେ । ସେ ବହୁତ ଟଙ୍କା ରିଟର୍ଣ୍ଣ ପାଇବେ ବୋଲି ତାଙ୍କ ପାଖକୁ ମେସେଜ୍ ଆସିଥିଲା । ଏହା ପରେ ସେ ପୁଣି ଦେଢ଼ କୋଟି ଟଙ୍କା ନିବେଶ କରିଥିଲେ । ଏବେ ତାଙ୍କ ଆକାଉଣ୍ଟରେ ୨୮ କୋଟି ଟଙ୍କା ଥିବା ନେଇ ମେସେଜ ଆସିଥିଲା । କିନ୍ତୁ ଏସବୁ ଟଙ୍କା ଉଠାଇବା ଲାଗି ସର୍ଭର ପରିଚାଳନା ଫି’ ବାବଦକୁ ୭୫ ଲକ୍ଷ ଟଙ୍କା ତାଙ୍କୁ ମାଗିବା ପରେ ତାଙ୍କ ସହ ଧୋକା ହୋଇଛି ବୋଲି ଜାଣିବାକୁ ପାଇଥିଲେ ଅଭିଯୋଗକାରୀ । ସେ ସାଇବର ଥାନରେ ଏନେଇ ଅଭିଯୋଗ କରିବା ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା । ସାଇବର ଥାନା ପୋଲିସ ଠକେଇ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟର ପତ୍ତା ଲଗାଇବା ପରେ ଅଭିଯୁକ୍ତଙ୍କ ଠିକଣା ହାତରେ ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking