19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍‌ସେନାଙ୍କୁ ନୋଟିସ୍ ଜାରି କରିଛନ୍ତି। ୨ ସପ୍ତାହ ମଧ୍ୟରେ କୋର୍ଟ ଏହାର ଉତ୍ତର ମାଗିଛନ୍ତି। ରିପୋର୍ଟ ଅନୁସାରେ ନୋଟିସ୍‌ରେ ସୁପ୍ରିମକୋର୍ଟ ଉପରାଜ୍ୟପାଳଙ୍କୁ ପ୍ରଶ୍ନ କରିଛନ୍ତି ଯେ “ନିର୍ବାଚନରେ ହସ୍ତକ୍ଷେପ ଅଧିକାର କିଏ ଦେଲା? ଏକ ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବା ସତ୍ତ୍ୱେ ଏଭଳି ଆଚରଣ ଦ୍ୱାରା ଗଣତନ୍ତ୍ରର ଭବିଷ୍ୟତ କ’ଣ ହେବ?” ଏମ୍‌ସିଡି ଷ୍ଟାଣ୍ଡିଂ କମିଟିର ୬ଷ୍ଠ ସଦସ୍ୟ ନିର୍ବାଚନ ସମ୍ପର୍କରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଉପରାଜ୍ୟପାଳ ଶ୍ରୀ ସକ୍‌ସେନାଙ୍କ କାର୍ଯ୍ୟାଳୟକୁ ଏହି ନୋଟିସ ଜାରି କରିଛନ୍ତି। ଜଷ୍ଟିସ ପିଏସ୍ ନରସିଂହ ଏବଂ ଜଷ୍ଟିସ ଆର ମହାଦେବନଙ୍କ ଏକ ବେଞ୍ଚ ଦ୍ୱାରା ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ସ୍ଥିର କରିଛନ୍ତି ଖଣ୍ଡପୀଠ।
ପ୍ରକାଶ, ଏମ୍‌ସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନ ପ୍ରକ୍ରିୟାରେ ଉପରାଜ୍ୟପାଳ ଭିକେ ସକ୍‌ସେନାଙ୍କ ହସ୍ତକ୍ଷେପ ଉପରେ ମେୟର ଶୈଲୀ ଓବେରଏ ପ୍ରଶ୍ନ ଉଠାଇ ଏହା ଅଣସାମ୍ବିଧାନିକ ଏବଂ ଡିଏମ୍‌ସି ଆକ୍ଟର ଉଲ୍ଲଂଘନ ବୋଲି କହିଥିଲେ। ତାଙ୍କ ଅନୁପସ୍ଥିତିରେ ଉପରାଜ୍ୟପାଳ ତରବରିଆ ଭାବେ ଷ୍ଟାଣ୍ଡିଂ କମିଟି ନିର୍ବାଚନ କରାଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ସୁତରାଂ ନିର୍ବାଚନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ୍ କରି ଶୈଲୀ ଓବେରଏ, ଉପରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ। ଶୁକ୍ରବାର ଏହି ପିଟିସନ୍ ଉପରେ ଶୁଣାଣି କରିବାକୁ ଯାଇ ଖଣ୍ଡପୀଠ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ନିର୍ବାଚନୀ ପ୍ରକ୍ରିୟାରେ ଉପରାଜ୍ୟପାଳଙ୍କ ହସ୍ତକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ଅଯଥା ରାଜନୀତି କରାଯାଉଛି ବୋଲି କୋର୍ଟ କହିଛନ୍ତି। ସ୍ଥାୟୀ କମିଟିର ସଦସ୍ୟ ଚୟନରେ ମେୟର ଏକ ଭୂମିକା ଗ୍ରହଣ କରନ୍ତି। ଏପରି ପରିସ୍ଥିତିରେ, ଉପରାଜ୍ୟପାଳ କେଉଁ ଅଧିକାରରେ ଏଥିରେ ହସ୍ତକ୍ଷେପ କଲେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ ମେୟରଙ୍କ ଅନୁପସ୍ଥିତିରେ ଏମ୍‌ସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନ ଆୟୋଜନ କରିବାରେ ଉପରାଜ୍ୟପାଳ ଏତେ ତତ୍ପରତା ଦେଖାଇବା ପଛର କାରଣ ମଧ୍ୟ ପଚାରିଛନ୍ତି ସୁପ୍ରିମକୋର୍ଟ। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୭ରେ, ଏମ୍‌ସିଡିର ଷ୍ଟାଣ୍ଡିଂ କମିଟିର ୬ଷ୍ଠ ସଦସ୍ୟଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଜେପି ବିଜୟୀ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking